ଶାନ୍ତିସ୍ତୁପରୁ ବିଶ୍ୱକୁ ଧଳାବାଡ଼ିର ସନ୍ଦେଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ଅକ୍ଟୋବର ମାସ ୧୫ତାରିଖକୁ ବିଶ୍ୱ ଧଳାବାଡ଼ି ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ରାଜ୍ୟର ଦୃଷ୍ଟିବାଧିତଙ୍କ ବିକାଶ ଲାଗି କାର୍ଯ୍ୟକରୁଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ବୁଲ୍ସଆଇ’ ପକ୍ଷରୁ ଶାନ୍ତିସ୍ତୁପ ଧଉଳି ଠାରେ ବିଶ୍ୱ ଧଳାବାଡ଼ି ଦିବସ ନିଆରା ଢ଼ଙ୍ଗରେ ପାଳିତ ହୋଇଯାଇଛି । ଧଳାବାଡ଼ି ପ୍ରତି ଦୃଷ୍ଟିବାଧିତଙ୍କ ମନରେ ଆଗ୍ରହ ବୃଦ୍ଧି କରିବା, ଏହାର ବହୁଳ ବ୍ୟବହାର ସହ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାସ୍କର୍ଯ୍ୟ କଳାର ପ୍ରତୀକାତ୍ମକ ରୂପେ ୧୬ଫୁଟ ଲମ୍ବର ବିଶ୍ୱର ବୃହତ୍ତମ ଧଳାବାଡ଼ି ତିଆରି କରାଯାଇ ସାରା ବିଶ୍ୱକୁ ଦିଆଯାଇଛି ଧଳାବାଡ଼ିର ମହତ୍ୱ ସମ୍ପର୍କରେ ବଳିଷ୍ଠ ସନ୍ଦେଶ । ବାଡ଼ିଟିକୁ ନିଖୁଣ ରୂପେ ତିଆରି କରିଛନ୍ତି ଧଉଳି ଚାରୁକଳା ମହାବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗର ଦୁଇ ଛାତ୍ର ଆର୍ଯ୍ୟାନ୍ ସାମଲ ଓ ବୃନ୍ଦାବନ ପଣ୍ଡା । ଏହି ଅବସରରେ ‘ବୁଲ୍ସଆଇ’ ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା ଯୋଗଦେଇ କହିଥିଲେ ଆମ ରାଜ୍ୟରେ ପାଖାପାଖି ୭୦ପ୍ରତିଶତ ଦୃଷ୍ଟିବାଧିତ ବ୍ୟକ୍ତି ଧଳାବାଡ଼ି ବ୍ୟବହାର କରନ୍ତି ନାହିଁ । ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ଅନୁଧ୍ୟାନ କଲେ ଜଣାପଡ଼େ, ହାତଗଣତି କେତେଜଣ ବିଦ୍ୟାର୍ଥୀଙ୍କୁ ଛାଡ଼ିଦେଲେ ଅଧିକାଂଶ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ । ସେଥିମଧ୍ୟରୁ ଅନେକ ଲଜ୍ୟା ଓ ଟାହିଟାପରା ଭୟରେ ଧଳାବାଡ଼ିକୁ ବ୍ୟବହାର କରନ୍ତି ନାହିଁ । ସାମାଜିକକର୍ମୀ ସୁଶାନ୍ତ ସାହୁ ଯୋଗଦେଇ କହିଥିଲେ ଧଳାବାଡ଼ି ହେଉଛି ଦୃଷ୍ଟିବାଧିତଙ୍କର ଏକ ଅବିଚ୍ଛେଦ ଅଙ୍ଗ କହିଲେ ଭୁଲ ହେବନାହିଁ । ସରକାର ଦୃଷ୍ଟିବାଧିତମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଧଳାବାଡ଼ି ଦେଉଛନ୍ତି ସତ, ଏ ବାଡ଼ିଟିକୁ ଧରି ଚାଲିବାର ଯେଉଁସବୁ ପ୍ରଶିକ୍ଷଣ କୌଶଳର ଆବଶ୍ୟକଥାଏ ତାହା ଆମ ରାଜ୍ୟରେ ଉପଲବ୍ଧ ନାହିଁ । ନା ଅଛି ଓରିଏଣ୍ଟେସନ ମୋବିଲିଟି ଟ୍ରେନିଂ ସେଣ୍ଟର ନା ଅଛନ୍ତି ଦକ୍ଷ ପ୍ରଶିକ୍ଷକ । ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରିବାର ଆବଶ୍ୟକତା ରହିଛି । ଉକ୍ତ କାର୍ଯ୍ୟକ୍ରମରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ଜ୍ୟୋତିରଞ୍ଜନ ସାହୁ, ମାନସ ମହାରଥି, ରାଜେଶ ସିଂ, ସୁଜିତ୍ କୁମାର ସେଠ, ସୁବ୍ରତ କୁମାର ମୁଦୁଲି, ବର୍ଷାରାଣୀ ଓଝା କାର୍ଯ୍ୟକ୍ରମ ସଂଚାଳନ କରିବାରେ ସହଯୋଗ କରିଥିଲେ ।