ହରଙ୍କ ନେତୃତ୍ବରେ ପୁଣି ଏକାଠି ହେଲା ବିଜେଡି
କୋଦଳା,(ବାପୁନି କୁମାର ମାଲୁ):ପୁଣି ଥରେ ସଂଗଠିତ ହେବ ବିଜୁ ଜନତା ଦଳ। ପଦଯାତ୍ରା ଓ ସଦସ୍ୟତା ଅଭିଯାନ ଜୋରଦାର କରାଯିବ। ଲୋକଙ୍କ ପାଖରେ ପହଞ୍ଚିବେ ନେତା ।କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ହରପ୍ରସାଦ ସାହୁଙ୍କ ନେତୃତ୍ବରେ ସୋମବାର କବିସୂର୍ଯ୍ୟନଗର ଏନଏସି ଠାରେ ବିଜୁ ଜନତା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବରୁ ମନାନ୍ତର ଓ ମତାନ୍ତରକୁ ଭୁଲି କବିସୂର୍ଯ୍ୟନଗର ଏନଏସିର ସମସ୍ତ ବରିଷ୍ଠ ନେତା ଏକତ୍ରିତ ହୋଇ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିଷ୍ପତି ନେଇଛନ୍ତି। ବୈଠକରେ ବିଜୁ ଜନତା ଦଳର ଆସିକା ସାଂସଦ ପ୍ରାର୍ଥୀନୀ ଡଃ ରଞ୍ଜିତା ସାହୁ, ବରିଷ୍ଠ ନେତା ହରପ୍ରସାଦ ସାହୁ, ମନୋରଞ୍ଜନ ମହାପାତ୍ର, କବିସୂର୍ଯ୍ୟନଗର ଏନଏସି ଉପାଧ୍ଯକ୍ଷ ବିକ୍ରାନ୍ତ ସାହୁ, ବିଜୟ କଅଁର, ବିଜୟ ପ୍ରଧାନ, ବିଷ୍ଣୁ ସାମଲ, ଭିକାରୀ ସ୍ବାଇଁ, ହିନ ଖୁଣ୍ଟିଆ, ଇନ୍ଦ୍ର ଜେନା, ବଖାରୀ ମହମ୍ମଦ, ମନୁ ପରିଡାଙ୍କ ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ। ନିକଟରେ ଅନୁଷ୍ଠିତ ହେବାକୁ ଥିବା ପଦଯାତ୍ରା ଓ ସଦସ୍ୟ ସଂଗ୍ରହ ସଂପର୍କରେ ଆଲୋଚନା ହୋଇଥିଲା। ବିଜୁ ଜନତା ଦଳର ପରାଜୟ ପରେ କବିସୂର୍ଯ୍ୟନଗର ଠାରେ ଅନୁଷ୍ଠିତ ପ୍ରଥମ ବୈଠକରେ ସମସ୍ତ ନେତା ଓ କର୍ମୀ ଏକମନ ହୋଇ କିପରି ବିଜୁ ଜନତା ଦଳକୁ ପୁନଃ ସଂଗଠିତ କରିବେ ସେ ନେଇ ଆହ୍ବାନ ଦେଇଥିଲେ ବରିଷ୍ଠ ନେତା ହରପ୍ରସାଦ ସାହୁ। ବିଜେଡି ପରାଜିତ ହୋଇଛି ସତ କିନ୍ତୁ ଭୋଟ ପ୍ରତିଶତ ଅଧିକ ରହିଛି। ଏବେ ବି ନବୀନ ପଟ୍ଟନାୟକଙ୍କୁ ଲୋକେ ଝୁରୁଛନ୍ତି। ମିଥ୍ଯା ପ୍ରତିଶ୍ରୁତି ଦେଇ ଶାସନକୁ ଆସିଥିବା ବିଜେପିକୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଲୋକେ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି ଡଃ ରଞ୍ଜିତା ସାହୁ।