ଅଂଶୁଘାତର ମୁକାବିଲାକୁ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସଭାଗୃହ ଠାରେ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସଭାପତିତ୍ୱ କରି ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷର ପ୍ରଥମାର୍ଦ୍ଧରୁ ହିଁ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଥିବାବେଳେ ଆଗକୁ ଏହା ଆହୁରି ତିବ୍ର ରୂପ ନେବାର ଆଶଙ୍କା ରହିଛି । ଗ୍ରୀଷ୍ମର ପ୍ରଭାବ ଯୋଗୁଁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ଏବଂ ଜିରୋ କାଜୁଆଲିଟି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏକ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାପାଇଁ କୁହାଯାଇଥିଲା । ସେହିପରି ବିଭିନ୍ନ ଗ୍ରାମାଞ୍ଚଳ, ପୌରପରିଷଦ ଓ ଏନ୍‌ଏସି ପକ୍ଷରୁ ଜଳଛତ୍ର ମାନ ଖୋଲାଯିବାକୁ ମଧ୍ୟ ଆଲୋଚନା ହୋଇଛି । ସେହିପରି ମଧ୍ୟାହ୍ନ ସମୟରେ ବାହାରେ ବୁଲିବାବେଳେ ଛତା, ଟୋପି ତଥା ଓଦା କପଡା ଇତ୍ୟାଦି ମୁଣ୍ଡରେ ପକାଇ ଯାତାୟତ କରିବା ଏବଂ ଏନେଇ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁୁ ବ୍ୟାପକ ସଚେତନ କରାଇବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଗ୍ରୀଷ୍ମ ଦିନେ ବିଶେଷ କରି ପାନୀୟଜଳ ସମସ୍ୟା ଯେପରି ନ ଉପୁଜେ, ବିଦ୍ୟୁତ ବିଭ୍ରାଟ କିପରି ନ ଘଟେ, ପୋଶୁ ମାନଙ୍କ ଯତ୍ନ ନେବା, ଅଙ୍ଗନବାଡି କେନ୍ଦ୍ର ସକାଳ ସମୟରେ ଖୋଲିବା, ଜୀବନ ରକ୍ଷକ ଔଷଧ ମହଜୁଦ ରଖିବା, ଯାତ୍ରୀବାହୀ ଯାନବାହାନ ଗୁଡିକରେ ପାନୀୟଜଳ ବ୍ୟବସ୍ଥା କରିବା, ଶ୍ରମିକମାନଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସମୟସାରଣୀ ପରିବର୍ତ୍ତନ କରିବା ଆଦି ଗୁଡିକପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ସେହିପରି ଅଂଶୁଘାତରେ କାହାର ମୃତ୍ୟୁ ଘଟେ ତେବେ ତୁରନ୍ତ ଯୁଗ୍ନ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର, ଡିଆର୍‌ଡିଏ ଏପିଡି ଲୋକନାଥ ଦଳବେହେରା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରଭାସ କୁମାର ବେହୁରା ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ