ଅଦ୍ଭୁତ ଗ୍ରାମ : ପୁରୁଷ ପିନେ୍ଧ ମହିଳା ପୋଷାକ
ଥାଇଲାଣ୍ଡର ନାଖୋନ ଫେନମ ପ୍ରାନ୍ତସ୍ଥିତ ଏକ ଗ୍ରାମରେ ପୁରୁଷମାନେ ମହିଳାମାନଙ୍କର ପୋଷାକ ପିନ୍ଧୁଥିବାର ଘଟଣା ସାମ୍ନାକୁ ଆସିଛି । ଏହା ପଛର ବଡ଼ କାରଣ ରହିଛି । ଏହା ଶୁଣିଲେ ଅଦ୍ଭୁତ ଲାଗେ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
ଏହି ଗ୍ରାମର ଲୋକମାନେ ଏକ ଭୂତ ଭୟରେ ଏପରି କରୁଥିବା ଜଣାପଡ଼ିଛି । ଗତ କିଛି ଦିନ ହେବ ଗ୍ରାମର ୫ ଜଣ ହୃଷ୍ଟପୁଷ୍ଟ ଲୋକ ଘରେ ଶୋଇଥିବା ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଗ୍ରାମବାସୀ ଲୋକଙ୍କ ମୃତ୍ୟୁର କାରଣ ଏକ ବିଧବା ଭୂତକୁ ମାନୁଛନ୍ତି । ଏମାନଙ୍କ କହିବାନୁସାରେ ବିଧବା ଭୂତ ଗ୍ରାମର ପୁରୁଷ ଓ ଯୁବକଙ୍କୁ ନିଜର ଶିକାର ବନାଉଛି । ଗ୍ରାମର ଯୁବତୀମାନେ ନିଜର ସ୍ୱାମୀ ଓ ପୁଅକୁ ବଞ୍ଚାଇବା ପାଇଁ ମହିଳାମାନଙ୍କ ଭଳି ପୋଷାକ ପିନ୍ଧାଇବା ଆରମ୍ଭ କରିଦେଇଛନ୍ତି । ଏପରି କଲେ ବିଧବା ଭୂତର ନଜର ପୁରୁଷଙ୍କ ଉପରେ ପଡ଼ିବନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।
ସେହି ଗ୍ରାମରେ ରହୁଥିବା ଜଣେ ୫୩ ବର୍ଷିୟ ବ୍ୟକ୍ତି ଜାନିଙ୍କ କହିବାନୁସାରେ, ମୋର ବିଶ୍ୱାସ ସେହି ବିଧବା ଭୂତ ହିଁ ଗ୍ରାମର ସୁସ୍ଥ ମଣିଷକୁ ହତ୍ୟା କରୁଛି । ମୋର ପତ୍ନୀ ଓ ପିଲାଙ୍କୁ ଭୟ ଅଛି କି ମୁଁ ଏହି ଭୂତର ଶିକାର ନ ବନିଯାଏ । ଏଥିପାଇଁ ମୋତେ ସୁରକ୍ଷିତ ରଖିବା ପାଇଁ ମହିଳା ଭଳି ପୋଷାକ ପରିଧାନ କରିବାକୁ ଦେଉଛନ୍ତି । ତେବେ ଏଯାବତ୍ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇନାହିଁ କି ଏହି ୫ ଜଣଙ୍କ ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ।


