ଅନନ୍ୟ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କଲେ ଛତ୍ରପୁର ସ୍ବେଚ୍ଛାସେବୀ
ଛତ୍ରପୁର, (ଦେବଦତ୍ତ ମହାରଣା):ଚୈତ୍ରମାସର ଶେଷ ପାଳିରେ ମଧ୍ୟ ପୂର୍ବପରି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀଙ୍କ ପାଖକୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କର ସୁଅ ଛୁଟିଥିଲା। ପୂର୍ବ ପାଳିରେ ହେଇଥିବା ଭିଡ ତଥା ପ୍ରବଳ ରୌଦ୍ରତାପକୁ ନଜରରେ ରଖି ତୃତୀୟ ପାଳିରେ ସ୍ବେଚ୍ଛାସେବୀଙ୍କୁ ଭକ୍ତଙ୍କ ଭିଡ଼ ଉପରେ ନଜର ରଖିବାକୁ ଛତ୍ରପୁର ସ୍ବେଚ୍ଛାସେବୀମାନଙ୍କର ନେତୃତ୍ୱ ନେଉଥିବା ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର କହିଥିଲେ ଓ କେହି ଯଦି ଚେତାଶୂନ୍ୟ ହେଇଯାଉଛନ୍ତି; ତୁରନ୍ତ ସେମାନଙ୍କର ପ୍ରାଥମିକ ଚିକିତ୍ସା କରିବା ପାଇଁ ସ୍ବେଚ୍ଛାସେବୀ ତଥା ଫାର୍ମାସିଷ୍ଟ ରାକେଶ ରଞ୍ଜନ ପାଢ଼ୀଙ୍କୁ କୁହାଯାଇଥିଲା। ଏହି କ୍ରମରେ ଆଜି ଯେତେବେଳେ ଦୁଇ ଜଣ ଚେତାଶୂନ୍ୟ ହୋଇପଡିଲେ, ସେହି ସମୟରେ ସେଠାରେ ଯାଇ ତୁରନ୍ତ ପହଞ୍ଚିଥିଲେ ଦିନେଶ ମହାନ୍ତି, ଆଦିତ୍ୟ, ଗଣେଶ ବେହେରା ଓ ଫାର୍ମାସିଷ୍ଟ ଶ୍ରୀ ପାଢ଼ୀ। ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରିବା ସହ ମନ୍ଦିର ଦର୍ଶନରେ ଯଥାର୍ଥ ସାହାଯ୍ୟ କରିଥିଲେ। ସେହିପରି ବ୍ରଜ ମହାରଣା, ଛନ୍ଚାଣ ବେହେରା ଓ ବି. ଶିବକୁମାର ଅସହାୟ ତଥା ପାରାଲିସିସ ଆକ୍ରାନ୍ତ ବ୍ୟକ୍ତିଙ୍କୁ ନେଇ ସୁଚାରୁରୂପେ ମା’ଙ୍କ ଦର୍ଶନ କରାଇ ପ୍ରଶାସନର ପ୍ରଶଂସାର ପାତ୍ର ହୋଇଥିଲେ ।ସୂଚନାଯୋଗ୍ୟ ପୂର୍ବପରି ଆଜି ଛତ୍ରପୁରର ପ୍ରାୟ ଚାଳିଶଜଣ ଉତ୍ସାହୀ ଯୁବକମାନେ ସେବା କାର୍ଯ୍ୟ କରିବାକୁ ଭୋର ୫ଟା ସମୟରେ ପବିତ୍ର ମନ୍ଦିରରେ ପହଞ୍ଚି ଲୋକଙ୍କୁ ଧାଡିରେ ଛିଡା କରାଇ ଶୃଙ୍ଖଳିତ ଦର୍ଶନ କରାଇବା, ଅସହାୟ ତଥା ଦିବ୍ୟାଙ୍ଗମାନଙ୍କୁ ମା’ଙ୍କ ଦର୍ଶନ କରାଇବା ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ। ଆଜିର ଏହି ସେବା କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ଏସ ରାମକୃଷ୍ଣ, ଏସ ରବି, ବବୁଲ ନାୟକ, ପ୍ରକାଶ ରେଡ୍ଡୀ, ସୁରେଶ ରାଓ, ଟୁଟୁ ନାୟକ ଆଦି ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରି ସୁଚାରୁ ରୂପେ ପରିଚାଳନା କରିଥିଲେ


