ଅନ୍ଧାରରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ସର୍ବପୁରାତନ ତଥା ପ୍ରତିଷ୍ଠିତ କଲେଜ ଏସ୍ଭିଏମ କଲେଜରୁ ଛାତ୍ରଛାତ୍ରୀଙ୍କୁ ମିଳିଛି ନକଲି ପ୍ରମାଣପତ୍ର । ଛାତ୍ରଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ଯେଉଁ ସାର୍ଟିଫିକେଟ୍ ଓ ରେଜିଷ୍ଟ୍ରେସନ ନମ୍ବର ଦେଇଛନ୍ତି ତାହା ନକଲି । ଏଭଳି ଘଟଣା ସାମନାକୁ ଆସିବା ପରେ କଲେଜରେ ପାଠପଢ଼ା ସାରିଥିବା ୨ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ହେବାକୁ ବସିଛି । ଅନ୍ୟପଟେ କଲେଜର ଅଧ୍ୟକ୍ଷ ବି ଏହି ପ୍ରମାଣପତ୍ର ଓ ରେଜିଷ୍ଟ୍ରେସନ ନମ୍ବର ନକଲି ବୋଲି ସ୍ୱୀକାର କରିଛନ୍ତି । ଏଭଳି ଘଟଣା ବିଭିନ୍ନ ମହଲରେ ଉଦ୍ୱେଗ ସୃଷ୍ଟି କରିଥିବାବେଳେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି ହୋଇଛି । ସୂଚନା ଅନୁଯାୟୀ, ଏସ୍ଭିଏମ୍ କଲେଜରେ ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୨୫୬ ଲେଖାଏ ସିଟ୍ ରହିଛି । ଏହି ସିଟ ବାହାରେ କଲେଜ କର୍ତ୍ତୃପକ୍ଷ ପ୍ରତିବର୍ଷ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଆଡମିସନ ଦେଉଛନ୍ତି । ଉଚ୍ଚ ଶିକ୍ଷା ବଭାଗର ନିୟମାବଳୀକୁ ଉଲ୍ଲଘଂନ କରାଯାଇ ଏଭଳି କରାଯାଇଛି । ତେବେ ଯେତିକି ସଂଖ୍ୟକ ଅଧିକ ପିଲାଙ୍କ ନାମ ଲେଖାଯାଇଛି, ସେମାନଙ୍କର ରେଜିଷ୍ଟ୍ରେସନ ନମ୍ବର ନାହିଁ । ଏହାକୁ ଲୁଚାଇବା ପାଇଁ ସେମାନଙ୍କୁ ନକଲି ରେଜିଷ୍ଟ୍ରେସନ ନମ୍ବର ପକାଯାଇ ନକଲି ସାର୍ଟିଫିକେଟ୍ ଦିଆଯାଇଛି । ଦୀର୍ଘବର୍ଷ ଧରି ଏହା ଚାଲି ଆସୁଥିଲେ ବି ଏହା କାହାରି ନଜରକୁ ଆସି ନଥିଲା । ଚଳିତବର୍ଷ କେତେଜଣ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଯାଇ ଉକ୍ତ ସାର୍ଟିଫିକେଟ୍ ଦାଖଲ କରିବା ପରେ ଏଭଳି ନକଲି କାରବାର ଧରାପଡିଛି । ୨୦୧୫ରୁ ୨୦୧୮ ମସିହା ଭିତରେ ଏସ୍ଭିଏମ୍ କଲେଜ ଦ୍ୱାରା ୨୦୦ରୁ ଅଧିକ ଛାତ୍ରଛାତ୍ରୀ ସିଧାସଳଖ ଠକେଇର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଉଦ୍ଭିଦ ବିଜ୍ଞାନ ଅନର୍ସ ନେଇ ପଢ଼ୁଥିବା ପ୍ରଜ୍ଞା ପ୍ରସାଦ ମନ୍ଥନ ୩ ବର୍ଷର ଶିକ୍ଷା ସମାପ୍ତି ପରେ ପାଇଥିବା ସାର୍ଟିଫିକେଟ୍, ସିଏଲ୍ସି ଓ ମାର୍କସିଟ୍ ନେଇ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଟ୍ୟୁରିଜିମ୍ କୋର୍ସ କରିବା ପାଇଁ ଯାଇଥିଲେ । ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ସେ ଉକ୍ରଳ ୟୁନିଭରସିଟିରେ ମାଇଗ୍ରେସନ୍ ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିଲେ । ଆଡମିସନର ଦୁଇମାସ ଭିତରେ ମାଇଗ୍ରେସନ ସାର୍ଟିଫିକେଟ୍ ଦେବାକୁ ସମୟ ଥିବାରୁ ସେ ଏଥିପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଆବେଦନ କରିଥିଲେ । ହେଲେ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଯିବା ପରେ ତାଙ୍କୁ ଏସ୍ଭିଏମ୍ରୁ ଦିଆଯାଇଥିବା ରେଜିଷ୍ଟ୍ରେସନ ନମ୍ବର ଭୁଲ୍ ବୋଲି ଜଣାପଡ଼ିଥିଲା । ଏହାପରେ ସେ ଏସ୍ଭିଏମ୍ କଲେଜକୁ ଆସି ଅଧ୍ୟକ୍ଷ ଅରବିନ୍ଦ ଚଇନିଙ୍କୁ ଭେଟିଥିଲେ । “ମୁଁ ସେତେବେଳେ ଅଧ୍ୟକ୍ଷ ନଥିଲି, ତେଣୁ ମୁଁ ଏ ସଂପର୍କରେ କହି ପାରିବିନି’ ବୋଲି ସିଧା ମନା କରିଦେଇଥିଲେ ଏସ୍ଭିଏମ ଅଧ୍ୟକ୍ଷ । ଏହାକୁ ନେଇ ସନ୍ଦେହ ବଢିଥିଲା । ଖୋଳତାଡ଼ କରାଯିବାରୁ ଜଣକ ପରେ ଜଣେ ଛାତ୍ରଛାତ୍ରୀଙ୍କ ନକଲି ସାର୍ଟିଫିକେଟ୍ ଓ ନକଲି ରେଜିଷ୍ଟ୍ରେସନ୍ ନମ୍ବର କଥା ସାମ୍ନାକୁ ଆସିଥିଲା । ଅନ୍ୟପକ୍ଷରେ, କଲେଜ ଅଧ୍ୟକ୍ଷ ଶ୍ରୀ ଚଇନି ଘଟଣାକୁ ସ୍ୱୀକାର କରିବା ସହ ଦିଆଯାଇଥିବା ରେଜିଷ୍ଟ୍ରେସନ ନମ୍ବର ଭୁଲ୍ ବୋଲି କହିଛନ୍ତି । ନାମଲେଖା ବେଆଇନ ଭାବେ କରାଯାଇଥିବାରୁ ସେମାନଙ୍କୁ ରେଜିଷ୍ଟ୍ରସନ୍ ନମ୍ବର କିପରି ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ସେମାନଙ୍କୁ ୮ଦିନ ଭିତରେ ରେଜିଷ୍ଟ୍ରେସନ ନମ୍ବର ଦିଆଯିବା ପାଇଁ ଉଦ୍ୟମ କରାଯାଉଛି ବୋଲି ମଧ୍ୟ ସେ କହୁଛନ୍ତି । ଛାତ୍ରଛାତ୍ରୀମାନେ ଏ ନେଇ ଜିଲ୍ଲାପାଳଙ୍କୁ ଭେଟି ସମଗ୍ର ଘଟଣାର କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ କରିବାକୁ ଦାବି କରିଛନ୍ତି ।


