ଅଭୟାରଣ୍ୟରୁ ଶିକାରୀ ଗିରଫ
ବାଙ୍କୀ: ଡମପଡ଼ା -ଚନ୍ଦକା ଅଭୟାରଣ୍ୟରେ ଜଣେ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କେରଙ୍ଗ ଗ୍ରାମର ସଫରଦ ଖାଁ ନାମକ ଜଣେ ଶିକାରୀ ଡମପଡ଼ା -ଚନ୍ଦକା ଅଭୟାରଣ୍ୟରେ ବେଆଇନ୍ ଶିକାର କରିବା ଲାଗି ଗତକାଲି ଯାଇଥିଲେ। ସଫରଦ ଖାଁ ନିଜ ସାଙ୍ଗରେ ବନ୍ଧୁକ , ଗୁଳି ଓ ସର୍ଚ୍ଚ ଲାଇଟ ଧରି ସେଠାରେ ପ୍ରାଣୀ ସନ୍ଧାନ କରୁଥିଲେ।
କୌଣସି ସୂତ୍ରରୁ ବନ ବିଭାଗ ଏକଥା ଜାଣିବା ପରେ ସଫରଦ ଖାଁଙ୍କୁ ଗିରଫ କରିଥିଲା। ଡମପଡ଼ା ବନ ବିଭାଗର କର୍ମଚାରୀ ଗିରଫ କରିଥିବା ନେଇ ରେଞ୍ଜର ସଂଗ୍ରାମ ମହାନ୍ତି ସୂଚନା ଦେଇଛନ୍ତି। ଅଭିଯୁକ୍ତ ସଫରଦ ଖାଁଙ୍କ ଠାରୁ ବନ୍ଧୁକ ଦୁଇ ଗୋଟି ଅଫୁଟା ଗୁଳି ଓ ସର୍ଚ୍ଚ ଲାଇଟ ଜବତ କରାଯାଇଥିବା ସେ କହିଛନ୍ତି। ଏନେଇ ଅଧିକ ତଦନ୍ତ କରୁଛି ବନ ବିଭାଗ।


