୪ ମାସରେ ଟିକା ପରୀକ୍ଷା କରିବ ଭାରତ: ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ: ଭାରତ ଏବେ କରୋନା ଭାଇରସକୁ ନିପାତ କରିବା ପାଇଁ ୧୪ ପ୍ରକାର ଟିକା ବିକଶିତ କରୁଛି । ସେଗୁଡ଼ିକ ଭିତରୁ ୪ଟିର ଖୁବଶୀଘ୍ର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରାଯିବ । ଅର୍ଥାତ ମଣିଷ ଉପରେ ସେଗୁଡ଼ିକର ପ୍ରୟୋଗ ଆରମ୍ଭ ହେବ । ଆସନ୍ତା ୪ ଓ ୫ ମାସ ଭିତରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ବିଜେପି ନେତା ଜି ଭି ଏଲ ନରସିହ୍ନା ରାଓଙ୍କ ସହ ସୋସିଆଲ ମିଡିଆ ଜରିଆରେ ଆଲୋଚନା କଲାବେଳେ ସେ ଏହା ପ୍ରକାଶ କରିଛନ୍ତି । ଏହି ଆଲୋଚନା ସମୟରେ ନରସିହ୍ନା ରାଓ ତାଙ୍କ ଠାରୁ ଭାରତରେ କରୋନା ମୁକାବିଲା ପାଇଁ ଟିକା ବିକଶିତ କରାଯିବାର ପ୍ରଗତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ଏହାର ଜବାବରେ ହର୍ଷବର୍ଦ୍ଧନ ତାଙ୍କୁ କହିଥିଲେ କି ଏବେ ସମଗ୍ର ବିଶ୍ୱରେ ଏହି ପ୍ରୟାସ ଜାରି ରହିଛି । ବିଭିନ୍ନ ଦେଶରେ ୧୦୦ ରୁ ଊର୍ଦ୍ଧ୍ବ ପ୍ରକାରର ଟିକା ବିକଶିତ କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସମନ୍ୱୟ ରଖି ଭାରତରେ ବି ଏପରି ଉଦ୍ୟମ କରାଯାଉଛି । ଭାରତରେ ୧୪ ପ୍ରକାରର ଟିକା ବିକଶିତ କରାଯାଉଛି । ସେଥିମଧ୍ୟରୁ ଆସନ୍ତା ୪ ରୁ ୫ ମାସ ଭିତରେ ୪ଟିର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ ।


