ପାକ୍ କ୍ରିକେଟର ତୌଫିକଙ୍କୁ କରୋନା
ଲଣ୍ଡନ: ପାକିସ୍ତାନର ପୂର୍ବତନ କ୍ରିକେଟର ତୌଫିକ ଉମର କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି । କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ କ୍ୱାରେଣ୍ଟାଇନ ରେ ରହି ଚିକିତ୍ସିତ ହେଉଛନ୍ତି । ତୌଫିକ ଚତୁର୍ଥ କ୍ରିକେଟର ଭାବେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ମାଜିଦ ହକ (ସ୍କଟଲାଣ୍ଡ) , ଜାଫର ସର୍ଫରାଜ (ପାକିସ୍ତାନ) ଏବଂ ସୋଲୋ ଏନକ୍ୱେନି (ଦକ୍ଷିଣ ଆଫ୍ରିକା) ମଧ୍ୟ କରୋନାରେ ଆକ୍ରାନ୍ତ ଥିଲେ ।
ଜିଓ ନ୍ୟୁଜକୁ ସାକ୍ଷାତକାର ଦେଇ ତୌଫିକ କହିଛନ୍ତି ଯେ, ଗତ ଶନିବାର ମୁଣ୍ଡବିନ୍ଧା ଏବଂ ଦୁର୍ବଳତା ପାଇଁ ମୁଁ କରୋନା ପରୀକ୍ଷା କରାଇଥିଲି । କିନ୍ତୁ ରିପୋର୍ଟ ପଜିଟିଭ ଆସିଛି । ମୋ ଠାରେ କରୋନା ଲକ୍ଷଣ ସେତେଟା ଗମ୍ଭୀର ନଥିଲା । କରୋନାରେ ଆକ୍ରାନ୍ତ ଥିବା ଜାଣିବା ପରେ ନିଜକୁ ଆଇସୋଲେସନରେ ରଖିଛି ଏବଂ ଚିକିତ୍ସିତ ହେଉଛି । ମୋର ସ୍ୱାସ୍ଥ୍ୟ ପାଇଁ ସମସ୍ତଙ୍କୁ ପ୍ରାର୍ଥନା କରିବାକୁ ନିବେଦନ କରୁଛି । ସୂଚନା ଯୋଗ୍ୟ ୩୮ ବର୍ଷୀୟ ତୌଫିକ ପାକିସ୍ତାନ ପକ୍ଷରୁ ୪୪ଟି ଟେଷ୍ଟ ଖେଳି ୨,୯୬୩ ରନ କରିଥିବା ବେଳେ ୨୨ଟି ଦିନିକିଆରୁ ୫୦୪ ରନ ସଂଗ୍ରହ କରିଥିଲେ । ସେ ୨୦୧୪ ଦୁବାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏବେ ସେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ର ଜୁନିୟର ଜାତୀୟ ଚୟନକର୍ତ୍ତା ଭାବେ କାର୍ଯ୍ୟରତ ଅଛନ୍ତି ।


