ଆଇଟି ଚାକିରି ଛାଡ଼ି ଅଙ୍ଗଦାନ ପାଇଁ ଦେଶ ଭ୍ରମଣ କରୁଛନ୍ତି ମଞ୍ଜୁନାଥ

ନୂଆଦିଲ୍ଲୀ : ଛୋଟ ବେଳୁ ସ୍କୁଲ ଯିବା ପରଠାରୁ ଲୋକେ ଭଲ ଚାକିରି ପାଇଁ ପଢ଼ିବା ଆରମ୍ଭ କରିଥାନ୍ତି । ନିଜର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବା ପାଇଁ ଲୋକେ ଭଲ ଚାକିରି କରିବାର ଲକ୍ଷ୍ୟ ନେଇ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି । କିନ୍ତୁ ମଞ୍ଜୁନାଥ ନାଗରାଜଙ୍କ ପାଖରେ ଭଲ ଦରମା ମିଳୁଥିବା ଚାକିରି ଥାଇ ମଧ୍ୟ ସେ ତାହାକୁ ହାତଛଡ଼ା କରିଥିବା ଜଣାପଡ଼ିଛି । ନିଜ କଥା ଭାବିବା ଛାଡ଼ି ଲୋକଙ୍କୁ ସଚେତନ କରାଇବା ପାଇଁ ସେ ଆଇଟି ଚାକିରି ଛାଡ଼ି ଏବେ ସାଇକେଲରେ ଭ୍ରମଣ କରୁଥିବା ଜଣାପଡ଼ିଛି । ଭାରତରେ ଅଙ୍ଗଦାନକୁ ନେଇ ଉପୁଜୁଥିବା ସମସ୍ୟାକୁ ବୁଝିବା ସହ ଏହାକୁ ହଟାଇବା ପାଇଁ ସେ ଏବେ ଲୋକଙ୍କୁ ସଚେତନ କରାଇବା ଆରମ୍ଭ କରିଛନ୍ତି । ବେଙ୍ଗାଲୁରୁରେ ରହୁଥିବା ମଞ୍ଜୁନାଥ ଏ ପର୍ଯ୍ୟନ୍ତ ସାଇକେଲରେ ୭,୦୦୦କିଲୋମିଟର ଯାତ୍ରା କରି ସାରିଥିବା ଜଣାପଡ଼ିଛି । ଅଙ୍ଗଦାନ ମହତ୍ ଦାନ ବୋଲି ବୁଝାଇବା ପାଇଁ ସେ ପ୍ରଥମେ ୪,୦୦୦ କି.ମି ଦୂର ଅତିକ୍ରମ କରି ୪୦ଦିନ ମଧ୍ୟରେ କନ୍ୟାକୁମାରୀରୁ କଶ୍ମୀର ଯାତ୍ରା କରିଥିଲେ । ଦ୍ୱିତୀୟ ଭାଗରେ ସେ ଅହମଦାବାଦରୁ ଗୌହାଟୀକୁ ଯାତ୍ରା କରିଥିଲେ । ଏହି ଯାତ୍ରା ପାଇଁ ତାଙ୍କୁ ୨୦ଦିନ ସମୟ ଲାଗିଥିବାବେଳେ ସେ ୩,୦୦୦କିଲୋମିଟର ଅତିକ୍ରମ କରିଥିଲେ । ମଞ୍ଜୁନାଥଙ୍କ କହିବା ଅନୁଯାୟୀ, ଅଧିକ ଦରମା ମିଳୁଥିବା ଚାକିରିକୁ ଛାଡ଼ିବାର ନିଷ୍ପତ୍ତି ମୋ ପାଇଁ ସହଜ ନ ଥିଲା । ଦୁଇ ବର୍ଷ ତଳେ ମୁଁ ଭାରତରେ ଅଙ୍ଗଦାନର ଅବସ୍ଥା କ’ଣ ତାହା ଜାଣିବା ଆରମ୍ଭ କରିଥିଲି । ଯାହା ପରେ ୧ଲକ୍ଷ ଲୋକଙ୍କ ମଧ୍ୟରେ ଜଣେ ଅଙ୍ଗଦାତା ରହୁଥିବା ଜାଣିବାକୁ ପାଇଥିଲି । ପ୍ରଥମେ ମୁଁ କିଛି ଛୋଟ ଛୋଟ ଏନ୍‌ଜିଓକୁ ଯିବା ଆରମ୍ଭ କରିବା ସହ ଏ ବିଷୟରେ ଆଲୋଚନା କରିଥିଲି । କିନ୍ତୁ କିଛି ଦିନ ପରେ ଏହି ଆଲୋଚନାକୁ ବିସ୍ତାର କରିବାର ଆବଶ୍ୟକତା ରହିଥିବା କଥା ମୁଁ ଚିନ୍ତା କରିଥିଲି । ଜାନୁଆରିରେ ମୁଁ ଚାକିରି ଛାଡ଼ିବା ପରେ ସାଇକେଲ ଚଳାଇବା ଆରମ୍ଭ କରିଥିଲି । ପ୍ରଥମେ ୪୦୦-୫୦୦କିଲୋମିଟର ସାଇକେଲ ଚଳାଇବା ସହ ପାଣିପାଗ ସହ କିଭଳି ଖାପ ଖୁଆଇ ପାରିବି ସେ ନେଇ ଟ୍ରେନିଂ ନେଇଥିଲି । ମୋ ଯାତ୍ରା ସମୟରେ ମୁଁ ଅନେକ ଦୁର୍ଘଟଣା ଦେଖିବା ସହ ବର୍ଷା ମାଡ଼ ଖାଇଛି । ଖରାପ ରାସ୍ତା ଦେଇ ମଧ୍ୟ ଯାଇଛି । ଯେହେତୁ ମୋତେ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରାଇବାର ଥିଲା, ସେଥିପାଇଁ ମୋତେ ସବୁ ପ୍ରକାରର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ ବୋଲି ମୁଁ ଜାଣିଥିଲି ଏବଂ ଶେଷରେ ମୁଁ ୭,୦୦୦କିଲୋମିଟର ଅତିକ୍ରମ କରିବାରେ ସଫଳ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ