ଆଗାମୀ 12 ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଆଗାମୀ 12 ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହୋଇପାରେ ବର୍ଷା । ବାତ୍ୟା ସମ୍ପର୍କରେ ହୋଇନାହିଁ କୌଣସି ଆକଳନ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି I ଲଘୁଚାପ ସୃଷ୍ଟି ହେଲେ ଏହା ବାତ୍ୟାର ରୂପ ନେବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ଏହାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ଖଣ୍ଡନ କରାଯାଇଛି । ପୂର୍ବ ଟ୍ରାକ୍ ରେକର୍ଡ ଅନୁଯାୟୀ, ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହାର ସେପରି ପ୍ରଭାବ ଓଡ଼ିଶା ଉପରେ ପଡ଼ିନାହିଁ। ସାଧାରଣତଃ ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥାଏ, ତାହା ଓଡ଼ିଶା ଆଡ଼କୁ ମୁହାଁଇବାକୁ ଅନୁକୂଳ ହୋଇ ନ ଥାଏ। ତେଣୁ ମାର୍ଚ୍ଚରେ ବାତ୍ୟା ଓଡ଼ିଶା ମୁହାଁ ହେବା କେବେ ପରିଲକ୍ଷିତ ହୋଇନି। ସେହି ଦୃଷ୍ଟିରୁ ଓଡ଼ିଶା ଉପରେ ଏହି ଲଘୁଚାପ କ୍ଷେତ୍ରର ପ୍ରଭାବ ବିଶେଷ ପଡ଼ିବ ନାହିଁ ବୋଲି କୁହାଯାଇଛି ।


