ଋଷୀୟ ନ୍ୟୁଜ୍ ଚ୍ୟାନେଲରେ ଯୁଦ୍ଧ ବିରୋଧୀ ପୋଷ୍ଟର ଦେଖାଇଲେ ମହିଳା : ଗିରଫ କଲା ପୋଲିସ
ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରି ଲାଇଭ ଟଭିରେ ଯୁଦ୍ଧ ବିରୋଧୀ ପୋଷ୍ଟର ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି ଋଷୀୟ ଟିଭି ଚ୍ୟାନେଲର ସମ୍ପାଦିକା ମାରିନା ଓଭସିୟାନିକେଭା । ଘଟଣା ପରେ ଋଷ ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି । ଗଣମାଧ୍ୟମ ଉପରେ ମସ୍କୋର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସତ୍ତେ୍ୱ ମାରିନାଙ୍କ ଏଭଳି ସାହସିକତାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଉଚ୍ଚ ପ୍ରଶଂସା କରିଛନ୍ତି । ରବିବାର ସନ୍ଧ୍ୟାରେ ଉକ୍ତ ଚ୍ୟାନେଲରେ ମାରିନା ଲାଇଭ୍ ବୁଲେଟିନ୍ ପ୍ରସାରଣ ହେଉଥିବାବେଳେ ଏକ ଯୁଦ୍ଧ ବିରୋଧୀ ପୋଷ୍ଟର ଧରି ଟିଭି ପରଦା ପଛରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏଥିରେ ‘ଯୁଦ୍ଧ ଚାହୁଁନାହୁଁ । ଯୁଦ୍ଧକୁ ରୋକାଯାଉ । ମିଛ ପ୍ରୋପାଗଣ୍ଡା ଉପରେ ବିଶ୍ୱାସ କରନାହିଁ । ଏବଂ ଋଷ ନାଗରକ ଯୁଦ୍ଧ ବିରୋଧୀ’ ବୋଲି ପୋଷ୍ଟରରେ ଲେଖାଯାଇଥିଲା । ଏହି ସମୟରେ ପ୍ରୋଗ୍ରାମ ନିର୍ଦ୍ଦେଶକ କାର୍ଯ୍ୟକ୍ରମକୁ ଅଟକାଇ ଅନ୍ୟ କାର୍ଯ୍ୟକ୍ରମ ଚଳାଇଥିଲେ । ଲାଭଇ ପ୍ରୋଗ୍ରାମରେ ବିରୋଧ ପ୍ରଦର୍ଶନ ପୂର୍ବରୁ ମାରିନା ଆଉ ଏକ ଭିଡିଓ ରେକର୍ଡ କରିଥିଲେ । ଏଥିରେ ସେ ୟୁକ୍ରେନ ଆକ୍ରମଣକୁ ଅପରାଧ ବୋଲି କହିଥିଲେ । କ୍ରେମଲିନର ପ୍ରଚାର ପାଇଁ କାମ କରୁଥିବାରୁ ଟେଲିଭିଜନ୍ ସ୍କ୍ରିନରେ ମିଛ କହୁଥିବାରୁ ଏବଂ ଋଷୀୟ ଲୋକଙ୍କ ଜୀଅନ୍ତା ଶବ କରିଦିଆଯାଇଥିବାରୁ ସେ ଲଜ୍ଜିତ ବୋଲି ଏହି ରେକର୍ଡିଙ୍ଗ ଭିଡିଓରେ କହିଥିଲେ ।


