ଆଜାଦ୍ ହିନ୍ଦ୍ ବାହିନୀର ରାଜ୍ୟସ୍ତରୀୟ କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଭାରତର ପ୍ରଥମ ସ୍ୱାଧୀନ ସରକାର ‘ଆଜାଦ୍ ହିନ୍ଦ ସରକାର’ର ୮୦ ତମ ପ୍ରତିଷ୍ଠା ଦିବସ ଅବସରରେ ନେତାଜୀଙ୍କ ଦ୍ୱାରା ଗଠିତ ‘ଆଜାଦ୍ ହିନ୍ଦ୍ ବାହିନୀ’ର ପୁର୍ନଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅକ୍ଟୋବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜିଠାରୁ ଭୁବନେଶ୍ୱର ନେତାଜୀ ଭବନ ପରିସରରେ ଆରମ୍ଭ ହୋଇଛି । ‘ଆଜାଦ୍ ହିନ୍ଦ୍ ବାହିନୀ’ର ସର୍ବଭାରତୀୟ ସଂଯୋଜକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାର ଉଦ୍‌ଘାଟନୀ ଉତ୍ସବକୁ ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ତମ୍ଭକାର ପ୍ରଫେସର ବିଜୟ ବହିଦାର ନେତାଜୀଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି କର୍ମଶାଳାକୁ ଉଦ୍‌ଘାଟନ କରି ନେତାଜୀ ସୁଭାଷଙ୍କୁ ବିଶ୍ୱର ଶ୍ରେଷ୍ଠ ଦିଗ୍‌ଦର୍ଶକ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସଫଳ ରୂପକାର ଭାବରେ ପ୍ରଫେସର ବହିଦାର ବର୍ଣ୍ଣନା କରିବା ସହ ନେତାଜୀଙ୍କ ଆଦର୍ଶ, ସୁଭାଷବାଦୀ ଦର୍ଶନ ଏବଂ ସମାଜରୁ ବୈଷମ୍ୟତା ଦୂର କରିବା ଦିଗରେ ତାଙ୍କର କାର୍ଯ୍ୟଧାରା, କାର୍ଯ୍ୟଶୈଳୀ ଅବର୍ଣ୍ଣନୀୟ ଓ ଅନୁକରଣୀୟ ବୋଲି ପ୍ରକାଶ କରିଥିଲେ । ନେତାଜୀଙ୍କ ପଥରେ ଦେଶର ଯୁବପିଢ଼ୀ ଚାଲିବା ଆରମ୍ଭ କଲେ ଭାରତ ବର୍ଷକୁ ଭାଗ ଭାଗ ହେବାରୁ ରକ୍ଷା କରାଯାଇପାରିବ ବୋଲି ସେ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବରେ ଫରୱାର୍ଡ଼ ବ୍ଲକର ସର୍ବଭାରତୀୟ ସଭାପତି କମ୍ରେଡ ନରେନ ଚାଟାର୍ଜୀ ଯୋଗଦେଇ ସୁଭାଷବାଦୀ ଦର୍ଶନ ହିଁ ଭବିଷ୍ୟତ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପରାଧୀନ ଭାରତ ବର୍ଷରେ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେଲାବେଳେ ସ୍ୱାଧୀନ ଭାରତବର୍ଷର ଶାସନର ଡୋରୀ ସାଧାରଣ ଜନତାଙ୍କ ହାତରେ ରହିବ ବୋଲି ସ୍ୱପ୍ନ ଦେଖିଥିଲେ ନେତାଜୀ । ସେ ଦେଶରେ ଅର୍ଥନୈତିକ ସ୍ୱାଧୀନତାର ଆବଶ୍ୟକତାକୁ ଗୁରୁତ୍ୱର ସହ ବିଚାର କରୁଥିଲେ । ଦେଶର ସମ୍ପତ୍ତିର ମାଲିକ ସାଧାରଣ ଜନତା ବୋଲି ବିଚାର କରିବା ସହ ଜାତୀୟତାବାଦୀ ବିଚାରବୋଧର ଆଧାରରେ ରାଷ୍ଟ୍ରର ପୁଞ୍ଜି ବା ସମ୍ପତ୍ତି ରାଷ୍ଟ୍ର ନିୟନ୍ତ୍ରଣରେ ରହିବା ଉପରେ ଗୁରୁତ୍ୱ ଦେଉଥିଲେ । କିନ୍ତୁ ଆଜି ଦେଶପ୍ରେମ ନାମରେ ଆମ ଦେଶର ସରକାରମାନେ ରାଷ୍ଟ୍ରାୟାତ ଉଦ୍ୟୋଗ ଗୁଡିକୁ ଶାଗମାଛ ଦରରେ ଦେଶୀବିଦେଶୀ ପୁଞ୍ଜିପତିଙ୍କ ହାତରେ ଟେକି ଦେଉଛନ୍ତି । ଯାହା ଫଳରେ ଦେଶର ଜନଗଣ ଆଉ ଏକ ପରାଧିନତା ଆଡକୁ ମୁହାଁଉଛନ୍ତି ବୋଲି ନିଜ ବକ୍ତବ୍ୟରେ କମ୍ରେଡ଼ ଚାଟାର୍ଜୀ ପ୍ରକାଶ କରିଥିଲେ । ଆଜାଦ ହିନ୍ଦ୍ ବାହିନୀର ସଂଗ୍ରାମୀ ସାଥୀମାନେ ଭାରତବର୍ଷକୁ ରକ୍ଷା କରିବା ପାଇଁ ଆଉ ଏକ ସ୍ୱାଧୀନତା ସଂଗ୍ରାମ ଲଢିବା ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ସମଦୃଷ୍ଟି ପତ୍ରିକାର ସମ୍ପାଦକ ସୁଧିର ପଟ୍ଟନାୟକ, ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ତଥା ଦେଶର ସୁରକ୍ଷା, ଗଣତାନ୍ତ୍ରିକ ସାମ୍ବିଧାନିକ ମୂଲ୍ୟବୋଧ ଏବଂ ଦେଶର ଅଖଣ୍ଡତା ଓ ଜନତାଙ୍କ ଅଧିକାରର ସୁରକ୍ଷା ପାଇଁ ଆଜାଦ୍ ହିନ୍ଦ୍ ବାହିନୀର ସାଥୀମାନେ କାର୍ଯ୍ୟ କରିବାକୁ ନିଜର ଅଭିଭାଷଣରେ ଆହ୍ୱାନ ଦେଇଥିଲେ । ଅପରାହ୍ନରେ ଅନୁଷ୍ଠିତ କର୍ମଶାଳାର ଦ୍ୱିତୀୟ ଅଧିବେଶନରେ ଅତିଥି ଭାବରେ ବରିଷ୍ଠ ଶ୍ରମିକ ନେତା ମାୟାଧର ନାୟକ, ବରିଷ୍ଠ କ୍ରିକେଟ ପ୍ରଶିକ୍ଷକ କିଶୋର ଚନ୍ଦ୍ର ମାଣିଆ ଯୋଗ ଦେଇ ନେତାଜୀଙ୍କର କାର୍ଯ୍ୟଶୈଳୀ ଓ ବିଚାରଧାରା ଅନ୍ୟ ରାଜନୈତିକ ବିଚାରଧାରା ଠାରୁ ବହୁ ଗୁଣରେ ଭିନ୍ନ । ନେତାଜୀଙ୍କ ଆଦର୍ଶର ପ୍ରଚାର ପ୍ରସାର ଏବଂ ତାଙ୍କୁ ଉଚିତ୍ ସମ୍ମାନଦେବାରେ ଆମ ଦେଶ ତଥା ରାଜ୍ୟର ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସୁଭାଷବାଦୀ ବିଚାର ଧାରା ହିଁ ଦେଶର ସାମଗ୍ରୀକ ବିକାଶରେ ସାହାଯ୍ୟକାରୀ ହୋଇପାରିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଆଜି ଉଦ୍‌ଘାଟିତ ହୋଇଥିବା ଏହି କର୍ମଶାଳା ଆସନ୍ତା ୨୧ ତାରିଖ ଆଜାଦ ହିନ୍ଦ୍ ସରକାର ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ଚାଲୁରହିବ । ଅନ୍ୟମାନଙ୍କ ମଧ୍ୟରେ ଆଜାଦ ହିନ୍ଦ୍ ବାହିନୀର ରାଜ୍ୟ ସମ୍ପାଦିକା ଶୁବତୀ ଦଳାଇ, ଲକ୍ଷ୍ମୀ ଦୋରା, ପୂର୍ଣ୍ଣଚନ୍ଦ୍ର ବଲରୀ, ରଘୁନାଥ ଖୋସଲା, ଅଲିଭା ନାୟକ, ବିକ୍ରମ କାଣ୍ଡି, ଦୁର୍ଯ୍ୟୋଧନ ପୂଜାରୀ, ଲକ୍ଷ୍ମୀ ବାରିକ, ଉତ୍କଳିକା ମହାନ୍ତି, ହରିବନ୍ଧୁ ଖରା, ହୀରାବତୀ ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ