ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ମାଁ ବାଙ୍କେଶ୍ୱରୀଙ୍କ ଡୁମ୍ବୁଳା ଯାତ୍ରା ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ଦିଗପହଣ୍ଡି ବ୍ଳକ ବଡ଼ଡୁମ୍ବୁଳା ଗ୍ରାମରେ ଅବସ୍ଥାପିତ ପ୍ରସିଦ୍ଧ ବଡଖେମୁଣ୍ଡି ଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସିଦ୍ଧ ବାଙ୍କେଶ୍ୱରୀଙ୍କ ଡୁମ୍ବୁଳା ଯାତ୍ରା ଗୁରୁବାର ମଧ୍ୟରାତ୍ରରୁ ଆରମ୍ଭ ହେଉଥିବା ଜଣାପଡିଛି । ମାଁ ବାଙ୍କେଶ୍ଵରୀଙ୍କ ଯାତ୍ରା ପ୍ରତିବର୍ଷ ପରମ୍ପରା ପାରମ୍ପରିକ ରୀତି ନୀତି ଅନୁଯାୟୀ ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିର ବିଳମ୍ବିତ ରାତିରେ ମନ୍ଦିର ନିକଟ ବାଉଁଶ ଜଙ୍ଗଲ ବାଙ୍କେଶ୍ୱରୀ କୁଦରେ ପ୍ରଚଳିତ ନୀତିକାନ୍ତି ପ୍ରକାରେ ମୁଖ୍ୟ ସେବାୟତ ଏକ ପ୍ରକାର ଜଙ୍ଗଲି ଘାସ ସହ ଡେରା ଯାଇଥିବା କଞ୍ଚା କାଠକୁ ଘର୍ଷଣ କରି ଅଗ୍ନି ଉତ୍ପର୍ଣ୍ଣ କରିବା ପରେ ରାଜାଗ୍ନି ଉତ୍ସବ ( ଅହିଆ ପୋଡ଼ି) ଅନୁଷ୍ଠିତ ହୋଇଥାଏ । ବଡ଼ଖେମୁଣ୍ଡି ରାଜ ପରିବାରରୁ ଆସିଥିବା ଫୁଲମଣ୍ଡାରେ ମାଁଙ୍କୁ ବିଜେ କରାଯାଇ ଗୁଆ , ଅରୁଆ ଚାଉଳ , ଚନ୍ଦନ , ଫଗୁ , ସିନ୍ଦୂର ଦେଇ ମାଁ ଙ୍କୁ ସେବା ପୂଜା ଭୋଗ ପୂଜା ଅର୍ଚ୍ଚନା ବନ୍ଦାପନା ପରେ ଯାତ୍ରା ନିମନ୍ତେ ମନ୍ଦିର ପୀଠକୁ ବାଦ୍ୟ ବାଜଣା ନାଚ ଆଦି ସହକାରେ ସେବାୟତ ମାନେ ପାଛୋଟି ଆଣିବା ବିଧି ରହିଛି । ମାଁ ଙ୍କ ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ମାନସିକଧାରୀ ଶ୍ରଦ୍ଧାଳୁ ଓ ସେମାନଙ୍କ ଶିଶୁ ମାନଙ୍କୁ ମୁଣ୍ଡନ କରିଥାନ୍ତି। ମାଁ ବାଙ୍କେଶ୍ୱରୀ ଙ୍କ ଯାତ୍ରା ପୀଠରେ ମୁଣ୍ଡନ କରି ଚୁଟି ଅର୍ପଣ କଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଶ୍ରଦ୍ଧାଳୁମାନଙ୍କ ବିଶ୍ବାସ ରହିଛି । ଏହି ଯାତ୍ରା ୩ ଦିନ ଧରି ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ମାଁ ଙ୍କ ମହିମା ଅପାର ଏବଂ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି ରାଜ୍ୟ ତଥା ଜିଲ୍ଲାର କୋଣ ଅନୁକୋଣରେ ବହୁ ଭକ୍ତଙ୍କ ଜନ ସମାଗମ ଦେଖିବାକୁ ମିଳିଥାଏ । ମନ୍ଦିର ପ୍ରସାଶନ ପକ୍ଷରୁ ମନ୍ଦିର ଭିତରେ ଦୀପ ଜାଳିବା ଓ ନଡ଼ିଆ ଭଙ୍ଗା ବନ୍ଦ କରାଯିବା ସହ ମନ୍ଦିର ବେଢ଼ା ଓ ଆଖପାଖ ପରିସରରେ ବଳିପ୍ରଥା ସମ୍ପୂର୍ଣ୍ଣ ବନ୍ଦ କରାଯିବା ନିମନ୍ତେ ଯାତ୍ରା ପରିଚାଳନା କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛିି । ସମଗ୍ର ଦକ୍ଷିଣ ଓଡ଼ିଶାର ଗଣପର୍ବ ଭାବେ ବିବେଚିତ ଡୁମ୍ବୁଳା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଜନ ସମାଗମକୁ ଦୃଷ୍ଟିରୁ ରଖି ଉଭୟ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭକ୍ତଙ୍କୁୁ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ସକାଶେ ଦିଗପହଣ୍ଡି , ଜରଡା ଓ କେ. ନୂଆଗାଁ ଥାନା ସମେତ ବିଭିନ୍ନ ଥାନା ପକ୍ଷରୁ ଯାତ୍ରା ନିମନ୍ତେ ୫ ରୁ ୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଏଥିରେ ଇନ୍ସପେକ୍ଟର , ଏସଆଇ , ଏଏସଆଇ , କନେଷ୍ଟବଳ , ଟ୍ରାଫିକ ପୋଲିସ , ହାବିଲଦାର , ହୋମଗାର୍ଡଙ୍କ ସମେତ ମହିଳା ପୋଲିସ କର୍ମଚାରୀ ମାନଙ୍କୁ ଯାତ୍ରାରେ ନିୟୋଜିତ କରାଯାଇଛି । ମାଁଙ୍କ ଏହି ଯାତ୍ରାରେ ଅଧିକ ଶୃଙ୍ଖଳା ପାଇଁ ବିଭିନ୍ନ ଗ୍ରାମର ସ୍ବେଛାସେବୀ ଓ ସ୍କୁଲ୍ କଲେଜର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସମେତ ସ୍କାଉଟ ଗାଇଡ ଛାତ୍ରୀଛାତ୍ର ମାନଙ୍କୁ ସାମିଲ କରାଯାଇଥିବା ନେଇ ଅନୁଷ୍ଠିତ ଯାତ୍ରା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯାତ୍ରା ପରିଚାଳନା କମିଟି ସଭାପତି ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ହରିସେବକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତବୈଠକରେ ଚିକିଟି ଏସଡିପିଓ କୃୃଷ୍ଣଚନ୍ଦ୍ର ଭତ୍ରା , ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ , ଯାତ୍ରା କମିଟି ଉପ ସଭାପତି ସଞ୍ଜୀବ କୁମାର ରେଡ୍ଡୀ , ସମ୍ପାଦକ ଉପେନ୍ଦ୍ର ପ୍ରଧାନ , କୋଷାଧ୍ୟକ୍ଷ ସୁଦାମ ଦୋରାଙ୍କ ସମେତ ସମସ୍ତ କମିଟି କର୍ମକର୍ତ୍ତା ଓ ଗ୍ରାମର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି , ଟ୍ରାଫିକ ବ୍ୟବସ୍ଥା , ପାନୀୟଜଳ ଓ ବିଦ୍ୟୁତ୍ ଯୋଗାଣ ନେଇ ସବିଶେଷ ଆଲୋଚନା କରାଯାଇଥିଲା । ପାନୀୟ ଜଳ ସମସ୍ୟାକୁ ଦୂରୀଭୂତ କରିବା ଉଦ୍ଦେଶ୍ୟରେ ନିକଟସ୍ଥ କହ୍ନେଇ ନାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ କେନାଲ ଯୋଗେ ବଡ଼ ଡୁମ୍ବୁଳା ଗ୍ରାମର ସମସ୍ତ ପୋଖରୀ ଓ ଜଳାଶୟରେ ପାଣି ଭର୍ତ୍ତି କରାଯିବା ସହ ପର୍ଯ୍ୟାପ୍ତ ପରିମାଣର ପାଣି ଟ୍ୟାଙ୍କର ରଖାଯିବା ପାଇଁ ଆଲୋଚନା କରାଯାଇଥିଲା ।


