ଆଜି ବିଶ୍ଵ ପରିବେଶ ଦିବସ ସହରୀ ଜଙ୍ଗଲକୁ ଗୁରୁତ୍ଵ ଦେଇ ପାଳିତ ହେବ

ନୂଆଦିଲ୍ଲୀ : ଆଜି ବିଶ୍ଵ ପରିବେଶ ଦିବସ ପ୍ରତିବର୍ଷ ଜୁନ ୫ ତାରିଖରେ  ବିଶ୍ଵ ପରିବେଶ ଦିବସ ପାଳିତ ହୋଇଥାଏ । ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବିଷୟବସ୍ତୁ ଅନୁସାରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବିଭିନ୍ନ କାର୍ଯ୍ୟକ୍ରମର ସଂଯୋଜନା କରିଥାଏ । କୋଭିଡ ବୈଶ୍ଵିକ ମହାମାରୀ ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ଜୈବ ବିବିଧତା ବିଷୟବସ୍ତୁକୁ ଆଧାର କରି ଚଳିତ ବର୍ଷ ସହରୀ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ଵାରୋପ କରିଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ଦିବସ ପାଳନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଭାରତରେ ଅଧିକ ଜନସଂଖ୍ୟା ଓ ଗୃହ ପାଳିତ ପଶୁଙ୍କ ଯୋଗୁଁ କମ ସମତଳ ଜମି ଉପଲବ୍ଧ ହେବା ସହ ମାତ୍ର ଶତକଡା ୮ ଭାଗ ଜୈବ ବିବିଧତା ରହିଛି । ଆମ ଦେଶ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଓ ବୃକ୍ଷଲତା ଯୋଗୁଁ ଜୈବ ବିବିଧତାରେ ସମୃଦ୍ଧ । ଜୈବ ବିବିଧତାର ସଂରକ୍ଷଣ ପାରମ୍ପରିକ ଭାବେ ଦୂରଦୂରାନ୍ତ ବନାଞ୍ଚଳ ମଧ୍ୟରେ ସୀମାବଦ୍ଧ ଥିବା ବେଳେ ବ୍ୟାପକ ସହରୀକରଣ ଯୋଗୁଁ ସହରାଞ୍ଚଳରେ ଏହାର ସଂରକ୍ଷଣର ଆବଶ୍ୟକତା ଦେଖାଦେଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ସେ ଦୃଷ୍ଟିରୁ ସହରୀ ବନୀକରଣ ଯୋଜନାକୁ ପୁନଃ ଆରମ୍ଭ କରିବାକୁ ସ୍ଥିର କରିଛି । ଦେଶର ୨୦୦ ମହାନଗରୀରେ ଉଦ୍ୟାନ ଥିବା ସତ୍ଵେ ଜଙ୍ଗଲ ନଥିବାରୁ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ଏହାଫଳରେ ସହରଗୁଡିକରେ ସତେଜ ପରିବେଶ ଓ ଜଳବାୟୁ ଉପଲବ୍ଧ ହେବ । ପୁଣେ ନଗରୀରେ ୪୦ଏକର ପରିମିତ ଜାଗାରେ ଏହି ବନୀକରଣ ହୋଇଛି । ଏଠାରେ ୬୫ ହଜାରରୁ ଅଧିକ ଗଛ, ୫ଟି ଜଳାଶୟ ଓ ୨ଟି ପର୍ଯ୍ୟବେକ୍ଷଣ ଗମ୍ଭୁଜ ସହ ୨୫ ରୁ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଗଛ ଅଛି । ହି ଜଙ୍ଗଲରେ ଜୈବ ବିବିଧତାର ନିଦର୍ଶନ ସ୍ୱରୂପ ୨୩ ପ୍ରଜାତିର ବୃକ୍ଷ, ୨୯ ପ୍ରଜାତିର ପକ୍ଷୀ, ୧୦ ପ୍ରଜାତିର ସରୀସୃପ ଓ ୩ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଦେଖାଯାଉଛନ୍ତି । ଏହି ସହରୀ ଜଙ୍ଗଲ ଯୋଗୁଁ ପରିବେଶ ସନ୍ତୁଳନ ରକ୍ଷା ହେବା ସହ ଏହା ପୁଣେବାସୀଙ୍କ ନିମନ୍ତେ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣର କେନ୍ଦ୍ର ଭାବେ ପରିଗଣିତ ହୋଇଛି । ଦେଶର ଅନ୍ୟମାନଙ୍କ ନିମନ୍ତେ ଏହି ସହରୀ ଜଙ୍ଗଲ ଏକ ଆଦର୍ଶ ରୂପେ ପରିଣତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ