ଆଜି ବିଶ୍ୱ ପର୍ଯ୍ୟଟନ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖଟିକୁ ବିଶ୍ୱ ପର୍ଯ୍ୟଟନ ଦିବସ ରୂପେ ପାଳନ କରାଯାଇଥାଏ । ପର୍ଯ୍ୟଟନ ଶିଳ୍ପର ବିକାଶ ହିଁ ଉକ୍ତ ଦିବସ ପାଳନର ମୂଳ ଲକ୍ଷ୍ୟ । ଦେଖିବାକୁ ଗଲେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ବିଶ୍ୱ ଦରବାରରେ ଯେଉଁ ସ୍ୱତନ୍ତ୍ରତା ରହିଛି ତାହା ବିଶ୍ୱର କମ୍ ସ୍ଥାନରେ ଦେଖିବାକୁ ମିଳିଥାଏ । ଓଡ଼ିଶା ହେଉଛି ପର୍ଯ୍ୟଟନସ୍ଥଳୀର ଗନ୍ତାଘର । ରାଜ୍ୟର ଐତିହ୍ୟ ପର୍ଯ୍ୟଟନ, ଉପକୂଳ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ, ବନ୍ୟଜନ୍ତୁ ପର୍ଯ୍ୟଟନ, ଆଦିବାସୀ ପର୍ଯ୍ୟଟନ ପରି ଅନେକ ମନଲୋଭା, ଆକର୍ଷଣୀୟ ପର୍ଯ୍ୟଟନ ସମ୍ଭାରକୁ ନେଇ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଭ୍ୟନ୍ତରୀଣ ଓଡ଼ିଶାରେ ରହିଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଉନ୍ନତମାନର ହୋଟେଲ, ରେସ୍ତୋରା ଓ ଗମନାଗମନ ଭଳି ବ୍ୟବସ୍ଥା ନଥିବାରୁ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିଯାଉଛି । ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବାକୁ ହେଲେ ବହୁ ସମୟ ଲାଗୁଥିବା ବେଳେ ଅନେକ ବିଦେଶୀ ପର୍ଯ୍ୟଟକ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ବୁଲି ପାରୁନାହାଁନ୍ତି । ମନରେ ଅବଶୋଷ ରହିଯାଉଛି । ସଂପ୍ରତି ଭାରତର ହାଇଦ୍ରାବାଦ, ବିଶାଖାପାଟଣା, ଉଦୟପୁର, ସିକିମ୍‌, ଗୋଆ, ଜୟପୁର, ମୁମ୍ବାଇ, ପୁନେ ଇତ୍ୟାଦି ସ୍ଥାନର ରାଜ୍ୟର ସରକାର ନିଜ ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀରୁ ଆଉ ଗୋଟିଏ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବା ପାଇଁ ହେଲିକପ୍ଟରର ସଂଯୋଗ ବ୍ୟବସ୍ଥା ଆରମ୍ଭ କରିସାରିଲେଣି । ଯାହାକୁ ଆମେ “ହେଲି ଟୁରିଜିମ୍‌” ବୋଲି କହିଥାଉ । ଯଦ୍ୱାରା ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଏଥିପ୍ରତି ଆକର୍ଷିତ କରିବା ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳର ସାମାଜିକ, ଅର୍ଥନୈତିକ ବିକାଶ ହେବା ସହ ରାଜ୍ୟ ରାଜକୋଷକୁ ଅଧିକ ଅର୍ଥ ଆସିବାରେ ବେଶ୍ ସହାୟକ ହୋଇପାରୁଛି । ଏଣୁ ବିଶ୍ୱସ୍ତରରେ ଓଡ଼ିଶା ପର୍ଯ୍ୟଟନକୁ ଏକ ନୂଆ ସ୍ତରକୁ ନେବାକୁ ଓଡ଼ିଶା ପର୍ଯ୍ୟଟନରେ “ହେଲି ଟୁରିଜିମ୍‌”କୁ ଯୋଡ଼ାଗଲେ ଓଡ଼ିଶା ପର୍ଯ୍ୟଟନ ଆହୁରି ସମୃଦ୍ଧ ହୋଇପାରିବ । ଏନେଇ ସାମାଜିକ କର୍ମୀ ସୁଶାନ୍ତ ସାହୁ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦାବୀ କରିଥିବାର ଜଣାପଡିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ