ଆଜି ରତ୍ନବେଦିକୁ ଫେରିବେ ମହାବାହୁ
ପୁରୀ: ସରିଲା ଜନ୍ମବେଦି ଲୀଳା । ରତ୍ନବେଦିକୁ ଫେରିବେ ମହାପ୍ରଭୁ । ଶନିବାର ଚତୁର୍ଦ୍ଧଶୀ ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ ହେବେ ଶ୍ରୀବିଗ୍ରହ । ରଥାରୁଢ଼ ଠାକୁରମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ । ବଡ଼ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ବାରଣ ନାହିଁ । ହେଲେ କାଳିଆ ସାଆନ୍ତଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ସାଆନ୍ତାଣୀ । କାଳିଆ ସାଆନ୍ତ ପ୍ରବେଶ କରିବା ସମୟରେ ଦୁଆର ବନ୍ଦ କରାଯିବ । ଠାକୁରଙ୍କ ମାନବୀୟ ଲୀଳାଖେଳର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀଙ୍କ ମନ ଜିଣିନେବେ । ଚଳିତ ବର୍ଷ ଭକ୍ତଙ୍କୁ ବାରଣ ଥିବାରୁ ଉତ୍ସବ ପାଳନର ଚମକ କମ୍ ରହିବ । ସନ୍ଧ୍ୟା ଧୂପ ନୀତି ବଢ଼ିଲେ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ରଥରେ ଚାରି ମାଳ ବନ୍ଧାଯିବ । ସିଂହାସନ ମାଜଣା ହେବ । ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ବିଜେ କାହାଳି ବାଜିଲେ ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି । ପହଣ୍ଡି ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ସରି ଅଖଣ୍ଡ ବଇଠା ବସିଥାଏ । ପୁଷ୍ପାଳକ ସେବକମାନେ ପ୍ରଥମେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣଙ୍କୁ ଦକ୍ଷିଣ ଘରେ ବିଜେ କରାଇବେ । ପରେ ସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡି ହେବେ ।


