ଆଦର୍ଶ ଶିକ୍ଷକ ନାରାୟଣ ବେହେରା ପାଇଲେ କରୋନା ଯୋଦ୍ଧା ସମ୍ମାନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ନାରାୟଣ ବେହେରାଙ୍କୁ ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ତରଫରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ସମ୍ପ୍ରତି ରାଜ୍ୟରେ କରୋନା ମହାମାରୀ ଯେଉଁଭଳି ଭାବରେ ଆତଙ୍କ ଖେଳାଇ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି, ସେ ସବୁକୁ ଦୂର କରିବା ପାଇଁ ଶ୍ରୀ ବେହେରା ଅହରହ ଉଦ୍ୟମ କରି ଆସୁଛନ୍ତି । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ମାଗଣାରେ ମାସ୍କ, ସାନିଟାଇଜର, ସାବୁନ, ହ୍ୟାଣ୍ଡୱାସ ବଣ୍ଟନ କରିବା ସହିତ ସମାଜରେ ବାସ କରୁଥିବା ଅସହାୟ, ଭୂମିହୀନ, ଗରିବ ଓ ଦିନ ମଜୁରିଆଙ୍କୁ ଭେଟି ସେମାନଙ୍କୁ ରାସନ ସାମଗ୍ରୀ ଯଥା ଚୁଡ଼ା, ଚାଉଳ, ଡ଼ାଲି, ଫୁଟଣ, ହଳଦୀ, ଆଳୁ, ତେଲ, ପିଆଜ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଶ୍ରୀ ବେହେରାଙ୍କ ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ଆଦିଶକ୍ତି ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ତାଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଟ୍ରଷ୍ଟର ସଭାପତି ନାରାୟଣ ମହାପାତ୍ର, ଉପସଭାପତି ଲଳିତ ପଣ୍ଡା, ସମ୍ପାଦକ ଉମାନାଥ ମିଶ୍ର, ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଏହିଭଳି ମହତ୍ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।


