ଇ-ଅଫିସ ଆରମ୍ଭ କଲା ଗଞ୍ଜାମ ପୋଲିସ ଲୋକଙ୍କୁ ମିଳିବ ଉତ୍ତମ ସେବା

ଛତ୍ରପୁର, (ଓ୍ବାଇଏନ୍ଏସ୍):କୋଭିଡ୍ ର ମୁକାବିଲା କରିବା ପାଇଁ ଏଣିକି ପୁଲିସକୁ ଆହୁରି କଡ଼ା ପଦକ୍ଷେପ ନେବାକୁ ହେବ। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏମିତି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ କରୋନା ଯୋଦ୍ଧା ରୂପେ କାମ କରୁଥିବା ପୁଲିସ କର୍ମଚାରୀ ଓ ଅଧିକାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯିବା ସହ ସାଧାରଣ ଲୋକ ଯେପରି ସରକାରଙ୍କର ସମସ୍ତ ଗାଇଡ୍ ଲାଇନ୍ ପାଳନ କରିବେ ତାକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ପୁଲିସ ଟିମ୍ କୁ ସଂପୂର୍ଣ୍ଣ କ୍ରିୟାଶୀଳ କରାଯିବ ବୋଲି କହିଛନ୍ତି । ଯେଉଁ ମାନେ ମାସ୍କ ପରିଧାନ କରୁନଥିବେ ଓ ସାମାଜିକ ଦୂରତା ରକ୍ଷା କରୁନଥିବେ, ବିନା କାରଣରେ ରାସ୍ତାରେ ଗାଡ଼ି ଚଲାଉଥିବେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ।ଏଥି ପାଇଁ ଥାନା ଅଧିକାରୀ ଓ ଏସଡ଼ିପିଓ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ଏପରିକି ନିହାତି ଆବଶ୍ୟକ ନପଡ଼ିଲେ ଘରୁ ନବାହାରିବା ପାଇଁ ଜନସାଧାରଣଙ୍କୁ ସେ ନିବେଦନ କରିବା ସହ ଗୋଟାଏ ଅଂଚଳରୁ ଅନ୍ୟ ଅଂଚଳକୁ ଯାତାୟତକୁ ରୋକାଯିବ ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟ ପଟେ ମୋ ସରକାର ଓ ୫-ଟିର ସେବା ଲୋକଙ୍କ ନିକଟରେ ପହଂଚାଇବା ପାଇଁ ଇ- ଅଫିସ୍ ର ଶୁଭାରମ୍ଭ ହୋଇଥିବା କଥା ମଧ୍ୟ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ବୁଧବାର ଇ-ଅଫିସର ଶୁଭାରମ୍ଭ ହୋଇଛି। ଏହାଫଳରେ ଜନସାଧାରଣଙ୍କୁ ଖୁବ୍‌ଶୀଘ୍ର ଉତ୍ତମ ସେବା ମିଳିପାରିବ ବୋଲି କହିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ପାଇଁ ଡିପିଓ ଅଫିସରେ ଏହି ପଦକ୍ଷେପ ନିଆଯାଇଛି। ଏଥିପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା ହୋଇଛି। ଅନ୍ୟ ପଟେ ଲୋକଙ୍କୁ ଫେସବୁକ୍‌, ଟୁଇଟର ଓ ଏସଏମଏସ ମାଧ୍ୟମରେ ମାସ୍କ ପରିଧାନ ଓ ହାତଧୁଆ ସଂପର୍କରେ ସଚେତନ କରାଯାଉଛି ବୋଲି ସେ କହିଛନ୍ତି । କୋଭିଡ-୧୯ ଗାଇଡଲାଇନ୍‌କୁ କାର୍ଯ୍ୟକାରୀ କରିବା ଆଗାମୀ ଦିନରେ ଗଞ୍ଜାମ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ, ଘରେ ରହିବା, ମେଡିକାଲ ବ୍ୟତୀତ ଅନ୍ୟ କାର୍ଯ୍ୟ ପାଇଁ ବାଇକ ବ୍ୟବହାର ନ କରିବା ଏବଂ ସରକାରଙ୍କ ଗାଇଡ୍‌ଲାଇନ ପାଳନ କରିବାକୁ ଜନସାଧାରଣଙ୍କୁ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟ ପରାମର୍ଶ ଦେଇଛନ୍ତି। ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଥାନା ଅଧିକାରୀଙ୍କୁ ବୁଧବାର ଏକ ବୈଠକରେ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଗାଇଡଲାଇନ୍‌କୁ ପାଳନ କଲେ କରୋନାକୁ ଆମେ ହରାଇ ପାରିବା ବୋଲି ଏସ୍‌ପି କହିଛନ୍ତି। ବର୍ତମାନ ସୁଦ୍ଧା ମାସ୍କ ପିନ୍ଧି ନ ଥିବା ୨୫୦୦ ଜଣଙ୍କଠାରୁ ଗଞ୍ଜାମ ପୋଲିସ ୧୨ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ଗଞ୍ଜାମ ପୋଲିସ ଜିଲାରେ ବର୍ତ୍ତମାନ ସୁଦ୍ଧା ୨୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୧୫ ଜଣ ସୁସ୍ଥ ହୋଇ ସାରିଥିବା ବୁଧବାର ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଠିକ୍‌ ଭାବେ ଆଇସୋଲେଶନରେ ରହିବାକୁ କୁହାଯାଉଛି। ଫୋନ୍‌ କରି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବୁଝୁଛୁ। ସୁସ୍ଥ ହୋଇ ଆମର କରୋନା ଯୋଦ୍ଧାମାନେ ପୁଣି ଡିୟୁଟିରେ ଯୋଗ ଦେଉଥିବା ଏସ୍‌ପି କହିଛନ୍ତି। କରୋନା ଯୋଦ୍ଧାମାନେ କିଭଳି ଲୋକଙ୍କୁ ସେବା ଦେଇ ନିଜେ ସୁରକ୍ଷିତ ରହିବେ ଏବଂ କ’ଣ କରିବେ ନ କରିବେ ସେ ସମ୍ପର୍କରେ ସମସ୍ତ ଥାନାଧିକାରୀଙ୍କୁ କୁହାଯାଇଛି। ଆମେ ଜନସାଧାରଣଙ୍କୁ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଏସ୍‌ପି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡ଼ିଏସପି ଅଜୟ କୁମାର ମିଶ୍ର, ଡ଼ିଏସପି ଉତ୍କଳ କେଶରୀ ଦାଶଙ୍କ ସମେତ ବହୁ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ