ଆଦିବାସୀଙ୍କ ଗାନ୍ଧୀ ସହିଦ ଲକ୍ଷ୍ମଣ ନାୟକ

ଆଦିବାସୀ ସମାଜର ମଉଡ଼ମଣି ଅମର ସହିଦ ଲକ୍ଷ୍ମଣ ନାୟକ ଅବିଭକ୍ତ କୋରାପୁଟ ଜିଲ୍ଲାର ବୈପାରୀଗୁଡା ଥାନା ଅନ୍ତର୍ଗତ ମାଲକାନଗିରି ତାଲୁକର କୋଲାବ ନଦୀକୂଳରେ ତେନ୍ତୁଳିଗୁମ୍ମା ଗ୍ରାମରେ ୧୮୯୯ ମସିହା ନଭେମ୍ବର ୨୨ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ଏକ ଆଦିବାସୀ ପରିବାରରେ । ପିତାଙ୍କ ନାମ ପଦ୍ମନାଭ ନାୟକ । ସେ ଥିଲେ ଜୟପୁର ରାଜାଙ୍କର ଜଣେ କର୍ମଚାରୀ, ମୁସ୍ତାଦାର ନାମରେ କଥିତ ୪ଟି ଗ୍ରାମର ମୁଖିଆ । ଲକ୍ଷ୍ମଣଙ୍କର ଥିଲେ ଦୁଇଭାଇ ଓ ଗୋଟିଏ ଭଉଣୀ । ଭାଇଙ୍କର ନାମ ଥିଲା ସନିଆ ନାୟକ ଓ ଧନ ନାୟକ । ଜଣେ ମୁସ୍ତାଦାରଙ୍କର ପୁଅ ହୋଇଥିବାରୁ ଲକ୍ଷ୍ମଣଙ୍କର କିଛି ଅଭାବ ନଥିଲା । ମାତ୍ର ଲକ୍ଷ୍ମଣ ଥିଲେ ଭିନ୍ନ ଉପାଦାନରେ ଗଢ଼ା । ଚାଷଜମିରେ ହାଢ଼ଭଙ୍ଗା କାମ କରିବା ସଙ୍ଗେ ସଙ୍ଗେ ଗୃହପାଳିତ ପଶୁଙ୍କୁ ଚରାଇବାରେ ସେ ଆନନ୍ଦ ପାଉଥିଲେ । ପାଠପଢ଼ାରେ ତାଙ୍କର ତିଳେମାତ୍ର ଆଗ୍ରହ ନଥିଲା । ସେ ୧୨ ବର୍ଷ ବୟସରେ ସାନଗୁମ୍ମା ଗ୍ରାମର ଘାସି ଭୂମିଆଙ୍କର କନ୍ୟା ମଙ୍ଗୁଳିଙ୍କ ସହ ବିବାହ କରିଥିଲେ । ବିବାହର ଦେଢ଼ ବର୍ଷ ପରେ ରଘୁନାଥ ନାମ୍ନୀ ଏକ ପୁତ୍ରସନ୍ତାନର ଜନକ ମଧ୍ୟ ହୋଇଥିଲେ ଏବଂ ପରେ କୌଶଲ୍ୟା ନାମ୍ନୀ କନ୍ୟାର ପିତା ମଧ୍ୟ ହୋଇଥିଲେ ।
ଲକ୍ଷ୍ମଣ ନାୟକ ଜନ୍ମଗ୍ରହଣ କରିଥିବା ଅଖ୍ୟାତ ଗ୍ରାମଟି ଜଙ୍ଗଲ ଓ ପାହାଡ଼ ଦ୍ୱାରା ପରିବେଷ୍ଟିତ ହୋଇଥିବାରୁ ସେ ପ୍ରକୃତି କୋଳରେ ଲାଳିତ ପାଳିତ ହୋଇଥିଲେ । ଯାହା ୮୩ ଭାଗ ଆଦିବାସୀ ସମ୍ପ୍ରଦାୟର ବାସସ୍ଥଳୀ ମଧ୍ୟ ଥିଲା । ସେମାନେ ବହୁ ଭାବରେ ମହାଜନ, ମୁସ୍ତାଦର,ଜୟପୁର ରାଜାଙ୍କର ଅମଲା ଓ ବ୍ରିଟିଶ ପ୍ରଶାସକଙ୍କଦ୍ୱାରା ଶୋଷିତ ହେଉଥିଲେ । ଏପରି ଶୋଚନୀୟ ଅବସ୍ଥା ଦେଖି ଲକ୍ଷ୍ମଣ ନାୟକ ଲକ୍ଷ୍ମଣ ନାୟକ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ । ମୁଖମଣ୍ଡଳରେ ନା ଥିଲା ସୁଖର ଚିହ୍ନ ନା ଥିଲା ସ୍ୱାଧୀନତାର ମୁକ୍ତ ହିଲ୍ଲୋଳର ସ୍ପନ୍ଦନ । ଠିକ୍ ସେତିକିବେଳେ ରମ୍ଭା ବିଦ୍ରୋହର ନେତା ଆଲୁରୀ ସୀତାରାମ ରାଜୁଙ୍କ ଦ୍ୱାରା ସେ ପ୍ରଭାବିତ ହୋଇଥିଲେ । କ୍ରମେ କ୍ରମେ ଲକ୍ଷ୍ମଣ ନାୟକ ବିଦ୍ରୋହୀ ହୋଇ ଉଠୁଥିଲେ । ସେଠାକାର ଆଦିବାସୀଙ୍କ ଅବସ୍ଥାର କିପରି ଉନ୍ନତି ହୋଇପାରିବ, ସେଥିପାଇଁ ଏକ ସୁବିଧା ସୁଯୋଗ ଅପେକ୍ଷାରେ ସେ ରହିଥାନ୍ତି । ଶେଷରେ ସୁଯୋଗଟିଏ ତାଙ୍କ ହାତକୁ ଆସିଲା ।୧୯୩୦ ମସିହାରେ ସେ ମୁସ୍ତାଦାର ହୋଇଥିଲେ । ଉକ୍ତ ପଦବୀରେ ରହି ତାଙ୍କ ଅଞ୍ଚଳର କିଛି ଉନ୍ନତି ଆଣି ଲୋକପ୍ରିୟ ହୋଇପାରିଥିଲେ । ମାତ୍ର ସେହି ଉନ୍ନତି ଓ ପ୍ରଗତି ଆଶାନୁରୂପ ନ ଥିଲା । ତେଣୁ ତାଙ୍କର ମାନସିକ ଅବସ୍ଥା ପୂର୍ବପରି ବେଦନା ଜର୍ଜରିତ ହୋଇଥିଲା । ଠିକ୍ ସେହି ସମୟରେ ଅନ୍ୟ ଏକ ସୁଯୋଗ ଆସିଥିଲା । ଭାରତୀୟ ଜାତୀୟ କଂଗ୍ରେସର ସ୍ୱାଧୀନତା ଲାଭ କରିବାର ବାର୍ତ୍ତା ପହଞ୍ଚିଥିଲା ସୁଦୂର କୋରାପୁଟ ଜିଲ୍ଲାରେ ।
କଂଗ୍ରେସର ବାର୍ତ୍ତା ବିଷୟରେ ଅବଗତ ହେବା ଫଳରେ ଲକ୍ଷ୍ମଣ ନାୟକ ଉକ୍ତ ଦଳ ପ୍ରତି ଆକୃଷ୍ଟ ହୋଇଥିଲେ । ପ୍ରଥମେ ଚାରିଅଣା ଦେଇ ସାଧାରଣ କଂଗ୍ରେସ ସଭ୍ୟ ହୋଇଥିଲେ । ପରେ ତେନ୍ତୁଳିଗୁମ୍ମା ପ୍ରାଥମିକ କଂଗ୍ରେସ କମିଟିର ସଭାପତି ଓ ପରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ଜଣେ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପରେ ପରେ ସେ କଂଗ୍ରେସ ବାର୍ତ୍ତା ନିଷ୍ଠାର ସହିତ ଲୋକଙ୍କ ମଧ୍ୟରେ ଏପରି ଭାବରେ ପ୍ରଚାର କରିଥିଲେ ଯେ ତାଙ୍କୁ ‘ମାଲକାନଗିରି ଗାନ୍ଧୀ’ ବୋଲି କୁହାଯାଉଥିଲା । ୧୯୪୦ ମସିହାର ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନର ମାତିଲ ଅଞ୍ଚଳର ଜଣେ ସତ୍ୟାଗ୍ରହୀ ଭାବରେ ମନୋନୀତ ହୋଇ ନ’ମାସ ସଶ୍ରମ କାରାଦଣ୍ଡ ଭୋଗିଥିଲେ ।
୧୯୪୨ ମସିହାରେ ସେ କାରାଗାରରୁ ମୁକ୍ତ ହୋଇଥିଲେ । ପରେ ପରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରବର୍ତ୍ତିତ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ତାକୁ ସାଫଲ୍ୟମଣ୍ଡିତ କରିବାପାଇଁ ସେ ବଜ୍ର ଶପଥ ନେଇଥିଲେ । ବନପ୍ରାନ୍ତର ମଧ୍ୟରେ ଗାଁକୁ ଯାଇ ସେ ଆନ୍ଦୋଳନରେ ଯୋଗ ଦେବା ପାଇଁ ଲୋକଙ୍କୁ ଅନୁପ୍ରାଣିତ କରିଥିଲେ । ତାଙ୍କ ଆହ୍ୱାନରେ ଅଗଷ୍ଟ ୨୧ ତାରିଖ ଦିନ ଶହ ଶହ ଆଦିବାସୀ ଆଦିବାସୀ କଂଗ୍ରେସ ପତାକା ଧରି ମାତିଲଥାନା ଦଖଲ ପାଇଁ ପହଞ୍ଚିଥିଲେ । ସେଠାରେ ଲକ୍ଷ୍ମଣ ନାୟକଙ୍କୁ ପୋଲିସ୍ ଲାଠିପ୍ରହାର କରିଥିଲେ ଯେଉଁଥିରେ ସେ ଅଚେତ୍ ହୋଇଯାଇଥିଲେ ଏବଂ ପରେ ଚେତା ଫେରିବା ପରେ ସେ ଘରକୁ ବାହୁଡ଼ିଥିଲେ । ସେପ୍ଟେମ୍ବର ୨ ତାରିଖ ଦିନ ତାଙ୍କୁ ପୋଲିସ୍ ଗିରଫ କରି ବ୍ରହ୍ମପୁର ଜେଲକୁ ପ୍ରେରଣ କରିଥିଲେ । ଶେଷରେ ୧୯୪୩ ମସିହା ମାର୍ଚ୍ଚ ୨୯ରେ ଜେଲରେ ତାଙ୍କୁ ଫାଶୀ ଦିଆଯାଇଥିଲା । ଫାଶୀଖୁଣ୍ଟକୁ ଯାଉଥିବା ସମୟରେ ତାଙ୍କର ଶେଷୋକ୍ତି ଥିଲା, “ଯେବେ ଆକାଶରେ ସୂର୍ଯ୍ୟ ଚନ୍ଦ୍ର ଅଛି,ଦେଖିବ ରହିଥା,ସ୍ୱରାଜ ନିଶ୍ଚୟ ଆସିବ । ଏକଥା ଫିଟିବାର ନୁହେଁ,ଏବେ ଦେଖାଅ କେଉଁଠି ତୁମର ଫାଶୀ ଖୁଣ୍ଟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ