ଆଦିବାସୀଙ୍କ ପେଟ ପୋଷୁଛି ଜଙ୍ଗଲୀ ଛତୁ, ସ୍ୱଳ୍ପ ବୃଷ୍ଟିପାତ ପାଇଁ ବଢୁଛି ଦାମ୍‌

ସମ୍ବଲପୁର, ବର୍ତମାନ ସମ୍ବଲପୁର ସହର ସାରା ଦେଖିବାକୁ ମିଳୁଛି ଜଙ୍ଗଲି ଛତୁ ବା ଛତୁର ସମ୍ଭାର । ଏହି ଜଙ୍ଗଲି ଛତୁ ପ୍ରତି ଲୋକଙ୍କ ଆଗ୍ରହ କହିଲେ ନସରେ । ଶ୍ରାବଣ ମାସରେ ଅନେକ ଲୋକ ନିରାମିଷ ଭୋଜନ କରିଥାଆନ୍ତି । ତେଣୁ ଏହି ଛତୁ ଭୋଜନରେ ଆମିଷର ଅଭାବକୁ ଅନେକାଂଶରେ ପୂରଣ କରିଥାଏ । ଏହି ଜଙ୍ଗଲି ଛତି ବା ଛତୁର ସ୍ୱାଦ ଏମିତି ନିଆରା ଯେ ଲୋକେ ଆମିଷର ବିକଳ୍ପ ଭାବେ ନିଜ ବ୍ୟଞ୍ଜନରେ ସାମିଲ କରିଥାଆନ୍ତି । ଏଥିରେ ମସଲା ତରକାରୀ ଠାରୁ ଆରମ୍ଭ କରି ବେସର, ଭଜା ଆଦି ବ୍ୟଞ୍ଜନ ସହ ପଲାଉ ଆଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ ।
ଏହାର ଚାହିଦା ଏପରି ଯେ ଏହାର ସ୍ୱାଦ ଚାଖିଥିବା ଲୋକେ ନଜରକୁ ଆସିବା ମାତ୍ରେ ଆଗ୍ରହର ସହ ଏହି ଛତୁକୁ ମୂଲ୍ୟ ଯେତେ ଅଧିକ ହୋଇଥିଲେ ମଧ୍ୟ କ୍ରୟକରି ନିଅନ୍ତି । ତେବେ ଏହାର ଚାହିଦା ଅନୁଯାୟୀ ମୂଲ୍ୟ ମଧ୍ୟ କିଛି କମ୍ ନୁହେଁ । ଅଧିକ ଲୋକପ୍ରିୟତା ହେତୁ ବଜାରରେ ଲୋକଙ୍କ ଆବଶ୍ୟକ ଅନୁଯାୟୀ ଏହା ନିଅଣ୍ଟିଆ ହୋଇଯାଏ ।
ବର୍ତମାନ ସମ୍ବଲପୁର ବଜାରରେ ଉପଲବ୍ଧ ଏହି ଜଙ୍ଗଲି ଛତି ବା ଛତୁର ହାରାହାରି ମୂଲ୍ୟ ସ୍ଥାନ ବିଶେଷରେ କିଲୋ ପ୍ରତି ୬୦୦ ରୁ ୮୦୦ ଟଙ୍କା ରହିଛି । ଆଉ ଏଗୁଡ଼ିକୁ କିଣିବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ଜମୁଛି । ଏହା ଦ୍ୱାରା ଗାଁ ଗହଳିର ଗରିବ ଲୋକେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଏଭଳି ଛତୁ ଏଠାରେ ପ୍ରଚୁର ପରିମାଣରେ ମିଳିଥାଏ । ତେବେ ଏଥର ଏହି ଜଙ୍ଗଲି ଛତୁ ଗୁଡ଼ିକର ଦାମ ଅପେକ୍ଷାକୃତ ଅଧିକ ରହିବାର କାରଣ ହେଉଛି ସ୍ୱଳ୍ପ ବୃଷ୍ଟିପାତ । ବର୍ତମାନ ସମ୍ବଲପୁର ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜଙ୍ଗଲରେ ଏହି ଛତୁ ଫୁଟିବା ହ୍ରାସ ପାଇଛି । ତେଣୁ ଦାମ୍ ମଧ୍ୟ ଟିକେ ଅଧିକ ରହିଛି । ଋତୁ ପ୍ରାରମ୍ଭରେ ଉପଲବ୍ଧ ହୋଇଥିବା ରୁଗୁଡ଼ା ଛତି କିଲୋପ୍ରତି ୭୦୦ ରୁ ୪୦୦ ପର୍ଯ୍ୟନ୍ତ ଖସି ଏଥିରେ ସିମୀତ ରହିଥିଲା । ଏହାବାଦ୍ କିଛିଦିନ ପାଇଁ ମିଳିଲା ବିହିଡ଼ନେ ଛତୁ । ଯାହା ପ୍ରାରମ୍ଭରେ କିଲୋ ୧୦୦୦ ଟଙ୍କାରେ ବିକ୍ରି ହୋଇ ପରେ ମୂଲ୍ୟ ହ୍ରାସ ପାଇ ୬୦୦ ଟଙ୍କାରେ ବିକ୍ରି ହେଲା । ତାପରେ ବର୍ତମାନ ବଜାରକୁ ଆସିଛି ବାଲିଛତୁ ଓ ଭୁଦୋମଙ୍ଗଲା ଛତୁ । ବାଲିଛତୁ କିଲୋ ପ୍ରତି ୮୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଭୁଦୋମଙ୍ଗଲା ଛତୁର କିଲୋପ୍ରତି ମୂଲ୍ୟ ରହିଛି ୪୦୦ ରୁ ୬୦୦ ଟଙ୍କା । ତେବେ ଆଗକୁ ଏହାର ମୂଲ୍ୟ ହ୍ରାସ ପାଇବା ଆଶା କରାଯାଏ ।
ପ୍ରାକୃତିକ ସମ୍ପଦ ତଥା ଜଙ୍ଗଲଜାତ ଦ୍ରବ୍ୟରେ ଭରପୁର ଆଦିବାସୀ ଅଧ୍ୟୁଷିତ ସମ୍ବଲପୁର ଜିଲ୍ଲା । ଯାହା ସ୍ଥାନୀୟ ଅଧିବାସୀଙ୍କ ଜୀବନ ଜୀବିକାକୁ ସହାୟକ ହୋଇ ଆସିଛି । ମୁଖ୍ୟତଃ ଏଠାରେ ଉପଲବ୍ଧ ଜଙ୍ଗଲଜାତ ଦ୍ରବ୍ୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକାର ଏକ ବଳିଷ୍ଠ ମାଧ୍ୟମ ଭାବେ ବିବେଚିତ । କେନ୍ଦୁପତ୍ର, ବାଉଁଶ, କଉଡି, ହେଣ୍ଡୁଆ, ଟୋଲ, ମହୁ ସହିତ ବର୍ଷା ଦିନେ ବିଭିନ୍ନ ପ୍ରକାର ଛତୁ ଆଦି ଏ ଅଞ୍ଚଳର ବସବାସ କରୁଥିବା ଆଦିବାସୀ ସମ୍ବଦାୟର ଲୋକଙ୍କ ପାଇଁ ବେଶ୍ ଦୁଇ ପଇସା ରୋଜଗାରର ମାର୍ଗ ସାବ୍ୟସ୍ତ ହୋଇ ଆସିଛି । ମୁଖ୍ୟତଃ ବର୍ଷା ଦିନେ ଏହି ଛତୁ ଉପଲବ୍ଧ ହୋଇଥାଏ । ମାତ୍ର ଘଞ୍ଚ ଜଙ୍ଗଲ ମଧ୍ୟରେ । ଏହାକୁ ପାଇବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର, ସ୍ପଷ୍ଟ ଭାବେ କହିବାକୁ ଗଲେ ଅସମ୍ଭବ । ହେଲେ ଏହାକୁ ଖୋଜି ଆଣିବାରେ ସ୍ଥାନୀୟ ଆଦିବାସୀ ସମ୍ବଦାୟ ସିଦ୍ଧହସ୍ତ । ସେମାନେ ଏହାକୁ ଜଙ୍ଗଲରୁ ସଂଗ୍ରହ କରି ଆଣି ନିକଟସ୍ଥ ହାଟ ଗୁଡ଼ିକରେ ବିକ୍ରୟ କରିଥାଆନ୍ତି । ଏହା ଅତ୍ୟନ୍ତ ସୁସ୍ୱାଦୁ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଏହି ଛତୁର ଚାହିଦା ମଧ୍ୟ ବହୁ ଅଧିକ । ସତେ ଯେମିତି ଲୋକେ ଏହି ଛତୁ ପାଇଁ ବର୍ଷ ତମାମ ଅପେକ୍ଷା କରି ରହିଥାଆନ୍ତି । ସହରାଞ୍ଚଳରେ ମଧ୍ୟ ଏଭଳି ଛତୁର ଚାହିଦା କିଛି କମ୍ ନୁହେଁ । ତେବେ ବର୍ଷାର ଆଗମନ ସହ ବର୍ଷାର ପରିମାଣ ଉପରେ ଏହି ଜଙ୍ଗଲି ଛତୁର ଉପଲବ୍ଧତା ନିର୍ଭର କରିଥାଏ । ଯେତେ ଅଧିକ ବର୍ଷା ହେବ ସେତେ ଅଧିକ ପରିମାଣରେ ଉପଲବ୍ଧ ହୁଏ ଏହି ଜଙ୍ଗଲି ଛତୁ । ସେହି ଅନୁଯାୟୀ ଏହାର ମୂଲ୍ୟ ମଧ୍ୟ ଧାର୍ଯ୍ୟ ହୋଇଥାଏ । ହେଲେ ଏହାର ସ୍ୱାଦ ଯିଏ ଥରେ ଚାଖିଛି ତା ପାଇଁ ଏହାର ମୂଲ୍ୟ କୌଣସି ମାନେ ରଖି ନଥାଏ ।
ତେବେ ସମ୍ବଲପୁରରେ ବର୍ଷ ତମାମ ମଧ୍ୟ ଉପଲବ୍ଧ ରହୁଛି ପାଳଛତୁ ଓ ବଟମ ଛତୁ । ଯାହା ଘରୋଇ ଭାବେ ଚାଷ କରାଯାଇଥିବା ଛତୁ । ଏଥିପ୍ରତି ଲୋକଙ୍କ ସେତେଟା ଆଗ୍ରହ ପରିଲକ୍ଷିତ ହୋଇନଥାଏ । ମାତ୍ର ଲୋକଙ୍କ ମଧ୍ୟରେ ବର୍ଷା ଋତୁରେ ମିଳୁଥିବା ଏହି ଜଙ୍ଗଲି ଛତୁ ପ୍ରତି ରହିଥିବା ଦୁର୍ବଳତା ଅତ୍ୟନ୍ତ ନିଆରା । ବର୍ଷା ଋତୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ (ଜୁନ୍ ମାସ ଶେଷ ସସ୍ତାହରୁ ଅୋକ୍ଟବର ମାସ ଧ୍ୱିତୀୟ ସସ୍ତାହ) ପର୍ଯ୍ୟନ୍ତ ଏ ଅଞ୍ଚଳରେ ମିଳୁଥିବା ବିଭିନ୍ନ ପ୍ରକାରର ଛତୁ ଗୁଡ଼ିକ ମଧ୍ୟରେ ରୁଗୁଡ଼ା, ବିହିଡ଼ନେ୍‌, ବାଲି, ବାଉଁଶ୍‌, ମୋୋର୍ଡ, ଭୁଦୋମଙ୍ଗଲା, ଦଶରାମଙ୍ଗଲା ଆଦି ବେଶ୍ ଲୋକପ୍ରିୟ । ଅପରପକ୍ଷରେ ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ସମ୍ବଲପୁରରେ ଏହି ଛତୁର ମୂଲ୍ୟ ଯାହା ରହିଛି ବା ଯେତିକି ମୂଲ୍ୟରେ ବିକ୍ରୀ ହେଉଛି ତାର ପ୍ରକୃତ ମୂଲ୍ୟ ଏହାକୁ ବହୁ କଷ୍ଟ କରି ସଂଗ୍ରହ କରୁଥିବା ଆଦିବାସୀ ସମ୍ବଦାୟର ଲୋକେ ପାଉ ନାହାଁନ୍ତି । ଛତୁ ହେଉ ବା ଯେକୌଣସି ଜଙ୍ଗଲଜାତ ଦ୍ରବ୍ୟ ନେଇ ନିଜର ପେଟ ପାଟଣା ସକାଶେ ଦୂର ଦୂରାନ୍ତରୁ ଦୁଇ ପଇସା ରୋଜଗାର ଆଶାରେ ସହର ମୁହାଁ ହେଉଥିବା ଏହି ଆଦିବାସୀ ଲୋକଙ୍କ ଉଦ୍ଦେଶ୍ୟ ଫଳପ୍ରଦ ହେଉନାହିଁ । ଓଲଟା ଏଠାରେ ସେମାନେ ମଧ୍ୟସ୍ତିଙ୍କ ଧ୍ୱାରା ଶୋଷଣର ଶିକାର ହେଉଛନ୍ତି । ବିକ୍ରୟ ମୂଲ୍ୟ ଠାରୁ ଢେର ଅଳ୍ପ ମୂଲ୍ୟରେ ମଧ୍ୟସ୍ତିଙ୍କୁ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି ଏହି ଗରିବ ତଥା ନିରୀହ ଆଦିବାସୀ । ଏମାନଙ୍କ ଠାରୁ ସ୍ୱଳ୍ପ ମୂଲ୍ୟରେ କ୍ରୟକରି ଦୁଇଗୁଣ ତିନିଗୁଣା ଅଧିକ ମୂଲ୍ୟରେ ସାଧାରଣ ଲୋକଙ୍କୁ ବିକ୍ରୀ କରି ମାଲାମାଲ ହେଉଛନ୍ତି ଏଭଳି ମଧ୍ୟସ୍ତି ମାନେ । ବର୍ତମାନ ଏଭଳି ମଧ୍ୟସ୍ତିଙ୍କ ପ୍ରାଦୁର୍ଭାବ ଏତେ ବଢ଼ିଗଲାଣି ଯେ ଜଣେ ଗରିବ ଆଦିବାସୀ ଚାହିଁଲେ ସୁଦ୍ଧା ଖୋଲା ବଜାରରେ ତାର ଉପାର୍ଜିତ ହେଉ ବା ସଂଗୃହିତ ଦ୍ରବ୍ୟକୁ ସିଧାସଳଖ ଜନସାଧାରଣଙ୍କୁ ବିକ୍ରୀ କରି ପାରୁନାହିଁ । ତାକୁ ତା ସାମଗ୍ରୀ ବିକ୍ରି କରିବାକୁ ବସିବା ପାଇଁ ସ୍ଥାନଟିଏ ମଧ୍ୟ ଦିଆଯାଉ ନାହିଁ । ଯଦି ସେ କେଉଁଠି ତାର ପସରା ମେଲାଇ ବସିଲା ତାହେଲେ ତାକୁ ଉକ୍ତ ମଧ୍ୟସ୍ତି ରୂପି ଅସାଧୁ ତତ୍ୱ ବିଭିନ୍ନ ପ୍ରକାର ହଇରାଣ ହରକତ କରୁଥିବା ଦେଖିବାକୁ ମିଳେ । ତେଣୁ ଗରିବ ତଥା ନିରୀହ ଆଦିବାସୀ ଯେଭଳି ଶୋଷଣ ଶିକାର ନହୁଅନ୍ତି ଜିଲ୍ଲା ପ୍ରଶାସନ ବିଶେଷ କରି ମହାନଗର ନିଗମର ପ୍ରବର୍ତନ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି । ସେମାନେ ଯେପରି ଜଙ୍ଗଲରୁ ସଂଗ୍ରହ କରି ଏଭଳି ଜଙ୍ଗଲଜାତ ଦ୍ରବ୍ୟରୁ ବେଶ୍ ଦୁଇପଇସା ରୋଜଗାର କରିପାରିବେ ଏବଂ ବର୍ଷବର୍ଷ ଧରି ଏହି ଜଙ୍ଗଲି ଛତି ବା ଛତୁ ସ୍ଥାନୀୟ ଗରିବ ଆଦିବାସୀଙ୍କ ପେଟ ପାଟଣାର ମାଧ୍ୟମ ଭାବେ ବଜାୟ ରହୁ ସେଥିପାଇଁ ସବୁ ମହଲରେ ଉଦ୍ୟମ ହେବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ