ଆଦିବାସୀପଲ୍ଲୀରେ ସବୁଜ ଦୀପାବଳୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଲୋକର ପର୍ବ ଦୀପାବଳୀକୁ ଏକ ନିଆରା ଓ ନିରାଡ଼ମ୍ବର ରୂପେ ପାଳନ କରିଛି ଆଦିବାସୀ ପଲ୍ଲୀ କନ୍ଦଳେଇ । ଉକ୍ତ ଉତ୍ସବରେ ନା ଥିଲା ପ୍ରଦୂଷଣ ସୃଷ୍ଟିକାରୀ ବାଣ, ନା ଥିଲା ବିଷାକ୍ତ ଧୂଆଁ, ନା ଥିଲା ଶବ୍ଦ ପ୍ରଦୂଷଣ । ସୂଚନାଯୋଗ୍ୟ, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଥିବା ଏହି ପଲ୍ଲୀର କୁନି କୁନି ପିଲାମାନେ ଭିନ୍ନ ଢଙ୍ଗରେ ସବୁଜ ଦୀପାବଳୀ ପାଳନ କରି ସାରା ବିଶ୍ୱକୁ ପ୍ରକୃତି ପ୍ରେମର ବଳିଷ୍ଠ ବାର୍ତ୍ତା ଦେଇଛନ୍ତି । ଗାଁର ପିଲାମାନେ ବିପଦ ଓ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣକୁ ନ ଫୁଟାଇ ତା’ ବଦଳରେ ରଙ୍ଗ ବେରଙ୍ଗର ବେଲୁନ୍କୁ ଫୁଟାଇ ଏବଂ ଦୀପ ଜାଳି ବେଶ୍ ଉତ୍ସାହର ସହ ଉତ୍ସବଟିକୁ ପାଳନ କରିଥିଲେ । ଗାଁର ବିକାଶ ନେଇ କାର୍ଯ୍ୟ କରୁଥିବା ସମାଜସେବୀ ତଥା ପରିବେଶବିତ୍ ସୁଶାନ୍ତ ସାହୁଙ୍କ ‘ବାଣ ବଦଳରେ ବେଲୁନ୍’ ଚିନ୍ତାଧାରାକୁ ଗ୍ରାମବାସୀମାନେ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଥିଲେ । ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ସହଯୋଗର ହାତ ବଢାଇଥିଲେ । ଛାତ୍ରମାନେ ଗାଁର କୁନି କୁନି ପିଲାମାନଙ୍କୁ ବିସ୍କୁଟ, ଚକୋଲେଟ୍ ଉତ୍ୟାଦି ବଣ୍ଟନ କରି ପରସ୍ପରକୁ ଦୀପାବଳୀର ଶୁଭେଚ୍ଛା ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଗୋପୀମୋହନ ପଟ୍ଟନାୟକ, ସଂଗ୍ରାମ କେଶରୀ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଦାସ ଏବଂ ପ୍ରଦୀପ୍ତ ରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇ କୁନି ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସ୍ଥାନୀୟ ସରପଞ୍ଚ ମନସ୍ୱିନୀ ମିଶ୍ର ଡ଼େଙ୍ଗ ଏବଂ ପୂର୍ବତନ ସରପଞ୍ଚ ବିଷ୍ଣୁ ପ୍ରସାଦ ଡ଼େଙ୍ଗ ଛାତ୍ରମାନଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।


