ଆଧୁନିକ ଓଡ଼ିଆ ସାରସ୍ୱତ କ୍ଷେତ୍ରରେ ରବି ସିଂ ହିଁ ଉତ୍ତର କ୍ରାନ୍ତିର ନିର୍ଭୀକ ନନ୍ଦିଘୋଷ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଆଧୁନିକ ଓଡ଼ିଆ କବିତାର ରକ୍ତ ରବି ସିଂ, କୋଷମୁକ୍ତ କ୍ରୋଧର ଏକ କୋମଳ ଗାନ୍ଧାର, ସାମାଜିକ ଅସମାନତା ଅଭିଯାନର ନିିଃସଙ୍ଗ ପଦାତିକ, ଏକ ଅଙ୍କୁରିତ ଅଙ୍ଗୀକାରର ଅବିଚ୍ଛିନ୍ନ ଉଡ୍ର-ଐତିହ୍ୟ । ସେ ହିଁ ପଥ ପ୍ରାନ୍ତର କବି, ମାମୁଲି ମଣିଷର କବି, ଦୁର୍ବିନୀତ ଦୁର୍ଗମଗିରିର କଣ୍ଟକିତ କବି, ଅଶୁଭର କବି, ଅସୁନ୍ଦରର କବି, କିନ୍ତୁ ସତ୍ୟର ନିର୍ଭୀକ ସ୍ୱର ହିଁ ତାଙ୍କ ପ୍ରତି ସୃଷ୍ଟିର ଛତ୍ରେଛତ୍ରେ ସ୍ପଷ୍ଟ, ଶାଣିତ, ତୀବ୍ର କଟାକ୍ଷ ପ୍ରତିଫଳିତ । ରକ୍ତ ପୂର୍ବାଶାର ସେ ଥିଲେ ମୁକ୍ତ ଦୁର୍ବାସା, ଦୁର୍ବାର, ଦୁର୍ଦ୍ଦଷ, ଦୁର୍ବିନୀତ । ସେ ହିଁ କାଳୋଚିତ କାବ୍ୟକ୍ରାନ୍ତିର କୌପୀନମୁକ୍ତ କୁଳପୁରୁଷ । କାର୍ଲ ମାର୍କ୍ସଙ୍କ ଠାରୁ ମାଓଙ୍କ ପର୍ଯ୍ୟନ୍ତ ପ୍ରଲମ୍ବିତ ବିଶ୍ୱ ବୈପ୍ଲବିକ ପରିବର୍ତ୍ତନ ଦର୍ଶନ ହିଁ କବି ରବି ସଂଙ୍କ କାବ୍ୟ ଦର୍ଶନ । ସେ ହିଁ ଅଗ୍ନିଯୁଗର ଅନ୍ତରହିତ ଅଧ୍ୟାୟକାର, ପଣବଦ୍ଧ ଗଣ ବିଦ୍ରୋହର ଗଣଜର୍ଜର ରେରେକାର ଓଜଃ, ଔଜ୍ଜ୍ୱଲ୍ୟ, ଔଚତ୍ୟର ଓଁକାର, ପର୍ଯୁଷିତ ପରମ୍ପରା ପ୍ରତି ପ୍ରଖର ପ୍ରଚଣ୍ଡ ପୌରୁଷେୟ ଫୁତ୍କାର, ଆମରଣ ଅଗ୍ରଗ ଅଭିଯାତ୍ରିକର ଅକୁତୋଭୟ ଅଙ୍ଗୀକାର । ତମାମ ଜୀବନ ତାଙ୍କର କଠିନ କଠୋର କାବ୍ୟ ଚୈତୌନ୍ୟର ଗୋଟିଏ ଧାରା, ଗୋଟିଏ ନାର, ଗୋଟିଏ ପତିଆରା । ସେ ଥିଲେ ସେଇ ରାତି ଶେଷର ରକ୍ତ ତାରା, ସର୍ବହରାର ସକାଳ ପାଇଁ ସୂର୍ଯ୍ୟ ସଲାମର ସଙ୍ଗୀନ ସାଇରା । ସେ ହିଁ ଥିଲେ ଯଥାର୍ଥରେ ଓଡ଼ିଆମହାଜାତିର ମାୟାକୋଭସ୍କ, ସମାଜ ବିପ୍ଲବର ଶାଣିତ ସାରସ୍ୱତ ସ୍ଫୁଲିଙ୍ଗ ବୋଲି ଶ୍ରଦ୍ଧାବଚନାର୍ପଣ କରି ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନେ ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳୟରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କବି ପ୍ରମୋଦ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସ୍ମୃତିଚାରଣ ସଭାରେର ଅଭିଯାନର ସଂଯୋଜକ କିଶନ ବରାଇ କବି ରବି ସିଂଙ୍କ କାବ୍ୟ ଦର୍ଶନର ଲୋହିତ ଜକ୍ରବାକ ଅଜସ ଛାତ୍ର, ଯୁବ ତଥା ଆଞ୍ଚଳିକ ଆନ୍ଦୋଳନରେ ସେପରି ରେଖାଙ୍କିତ, ଠିକ୍ ସେହିପରି ଜାତୀୟ ଜନବିକ୍ଷୋଭରେ ମଧ୍ୟ ଜର୍ଜରିତ ଯାହା ନକ୍ସଲବାଦ ପର୍ଯ୍ୟନ୍ତ ପ୍ରଲମ୍ବିତ ଥଲା । ଶୋକସଭାରେ ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଜନନେତା ଦାମୋଦର ରାଉତ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, କବି ସହଦେବ ଜୟସିଂହ, କବି ଅମରେଶ ବିଶ୍ୱାଳ, କମାଣ୍ଡର ନନ୍ଦକିଶୋର ସାମଲ, ବରିଷ୍ଠ ଅଧିବକ୍ତା ବିଭୂପ୍ରସାଦ ତ୍ରିପାଠୀ, ଗୋବିନ୍ଦ ମାହୁନ୍ତ, ସ୍ତମ୍ଭକାର ତୁଷାରକାନ୍ତ, ପ୍ରାଧ୍ୟାପକ କୁଳମଣି ଜେନା, ବିଜୟ ପରିଡ଼ା, ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡାଙ୍କ ସମେତ ଅନେକ କବି, ଲେଖକ, ଅଧିବକ୍ତା, ବିଭିନ୍ନ ଗଣସଂଗଠନର ବ୍ୟକ୍ତିତ୍ୱମାନେ ଉପସ୍ଥିତ ଥିଲେ । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶୋକସଭାରେ ଯୁଗ୍ମ୍ ସଂଯୋଜକ ନାରାୟଣ ଓଝା ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


