ଆନ୍ଧ୍ରପ୍ରଦେଶ ରୁ ଉଚ୍ଛେଦ ହେବ ବିଧାନ ପରିଷଦ !
ଅମରାବତୀ- ବିଧାନ ପରିଷଦ ଉଚ୍ଛେଦ କରିବାପାଇଁ ଆନ୍ଧ୍ରପ୍ରଦେଶ ସରକାର ଆନ୍ଧ୍ର ଆଜି ଏକ ବୈଧାନିକ ସଂକଳ୍ପପତ୍ର ପାରିତ କରିଛନ୍ତି । ଏ ନେଇ ରାଜ୍ୟ କ୍ୟାବିନେଟରେ ସୋମବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ଅନୁରୂପ ପ୍ରସ୍ତାବ ବିଧାନସଭାରେ ଗୃହୀତ ହେବା ପରେ ଆବଶ୍ୟକ ପଦକ୍ଷେପ ଲାଗି କେନ୍ଦ୍ରକୁ ପଠାଯିବ। । ତେବେ ରାଜ୍ୟ ବିଧାନସଭାରେ ଏହି ବିଷୟବସ୍ତୁ ଉପରେ ଦିନମାନ ଆଲୋଚନା ହେବାପରେ ୧୩୩-୦ ଭୋଟ୍ ରେ ସଂକଳ୍ପପତ୍ର ଗୃହୀତ ହୋଇଛି। । ସଂକଳ୍ପପତ୍ର ଗୃହୀତ କରିବାପାଇଁ ରାଜ୍ୟ ବିଧାନସଭାର ଆଜି ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା । କିନ୍ତୁ ଏହି ଅଧିବେଶନକୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟି ବର୍ଜନ କରିଥିଲା । ମିଳିଥିବା ସୂଚନାନୁଯାୟୀ ଆନ୍ଧ୍ର ବିଧାନସଭାରେ ଗୃହୀତ ହୋଇଥିବା ଏହି ସଂକଳ୍ପପତ୍ର ସଂକ୍ରାନ୍ତରେ ପରବର୍ତ୍ତୀ ପଦକ୍ଷେପ ପାଇଁ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ । ସୂଚନାଥାଉକି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଆନ୍ଧ୍ର ପାଇଁ ୩ ରାଜଧାନୀ ଯୋଜନା ଅନ୍ତର୍ଗତ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଲ୍ ରାଜ୍ୟ ବିଧାନସଭାର ଉଚ୍ଚ ସଦନରେ ଗୃହୀତ କରିବାରେ ବିଫଳ ହେବାପରେ ବିଧାନ ପରିଷଦ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜଗନ କହିଛନ୍ତି, ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ବିଧାନ ପରିଷଦ ଉଚ୍ଛେଦ ନିଷ୍ପତ୍ତି ନେଇଛନ୍ତି ।


