ଆବଶ୍ୟକ ପଡ଼ିଲେ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇବାକୁ ଭାରତୀୟ ରେଳବାଇ ପ୍ରସ୍ତୁତ

ନୂଆଦିଲ୍ଲୀ : ଶ୍ରମିକ ସ୍ପେଶାଲ ଟ୍ରେନ ସଂକ୍ରାନ୍ତରେ ଉପଯୁକ୍ତ ଯୋଜନା ଏବଂ ସମନ୍ବୟ ସୁନିଶ୍ଚିତ କରିବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯାଇଛି । ଏଥିସହିତ ଅଟକି ରହିଥିବା ପ୍ରବାସୀଙ୍କ ପରିବହନ ଲାଗି ଆନୁମାନିକ ଦାବି ଉପସ୍ଥାପନ ଅଧିକ ଯୋଜନାବଦ୍ଧ ଓ ବିଚାରଯୋଗ୍ୟ ହେବା ଉଚିତ ବୋଲି ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଶ୍ରମିକ ସ୍ପେଶାଲ ଟ୍ରେନ କେତେକ ସର୍ବାଧିକ ଭିଡ଼ କରିଡରରେ ଯାତାୟାତ କରୁଛି। ଏସବୁ କରିଡରରେ ବିଦ୍ୟୁତ ପ୍ଲାଣ୍ଟ ପାଇଁ କୋଇଲା, ଖାଦ୍ୟଶସ୍ୟ, ସାର, ସିମେଣ୍ଟ ଆଦି ମାଲ ପରିବହନ କରାଯାଉଛି। ଜରୁରି ସାମଗ୍ରୀ ପରିବହନ ହେଉଥିବା ଲାଇନରେ ବାଧାମୁକ୍ତ ମାଲ ପରିବହନ ସୁନିଶ୍ଚିତ କରିବା ନିମନ୍ତେରେ ରେଳବାଇ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଛଡ଼ା କୃଷି ଉତ୍ପାଦ, ଔଷଧ ଏବଂ ଅନ୍ୟ ଜରୁରି ସାମଗ୍ରୀ ପରିବହନ ନିମନ୍ତେ ରେଳବାଇ ପକ୍ଷରୁ ବହୁସଂଖ୍ୟକ ସମୟସାରଣୀ ନିର୍ଦ୍ଧାରିତ ରେଳ ଚଳାଚଳ କରୁଛି। ରେଳବାଇ ପକ୍ଷରୁ ଆବଶ୍ୟକତା ଅନୁଯାୟୀ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇ ଦିଆଯାଉଥିବା ବେଳେ କେତେକ କ୍ଷେତ୍ରରେ ଦେଖାଯାଉଛି ଯେ ଷ୍ଟେସନକୁ ଯାତ୍ରୀମାନେ ଆସିପାରିନଥିବା କାରଣରୁ ନିର୍ଦ୍ଧାରିତ ଟ୍ରେନଗୁଡ଼ିକୁ ବାତିଲ କରିବାକୁ ପଡ଼ୁଛି। କେତେକ ରାଜ୍ୟ ମଧ୍ୟ ବହୁସଂଖ୍ୟକ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଗୃହରାଜ୍ୟକୁ ପଠାଇବା ସମୟରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ଆଣୁନାହାନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଦେଶ ଅନୁଯାୟୀ ଭାରତୀୟ ରେଳବାଇ ପକ୍ଷରୁ ବର୍ତ୍ତମାନସୁଦ୍ଧା ୪ହଜାରରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ଫସି ରହିଥିବା ପାଖାପାଖି ୫୪ ଲକ୍ଷ ଶ୍ରମିକମାନଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଞ୍ଚାଇସାରିଲାଣି। ଶ୍ରମିକଙ୍କ ପରିବହନ ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଧାର୍ଯ୍ୟ ଦିଶାନିର୍ଦ୍ଦେଶ ପାଳନ କରାଯାଉଛି। ବର୍ତ୍ତମାନସୁଦ୍ଧା ପଠାଉଥିବା ରାଜ୍ୟଗୁଡ଼ିକ ଠାରୁ ମିଳିଥିବା ସମସ୍ତ ଅନୁରୋଧକୁ ରେଳବାଇ ପକ୍ଷରୁ ପୂରଣ କରାଯାଇସାରିଛି। ତେବେ ଲକ୍ଷ୍ୟ ପୂରଣ ହୋଇଥିବା ଦର୍ଶାଇ କେତେକ ରାଜ୍ୟ ବର୍ତ୍ତମାନ ସେମାନଙ୍କର ଆବଶ୍ୟକତାକୁ ହ୍ରାସ କରି ଦେଇଛନ୍ତି। ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ରାଜ୍ୟ ଭିତରେ ଟ୍ରେନ ଚଳାଚଳ ସେବା ରେଳବାଇ ପକ୍ଷରୁ ଯୋଗାଇ ଦିଆଯାଉଛି।
୨୮ ମେ, ୨୦୨୦ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଅନ୍ତରୀଣ ଆଦେଶ ଦେଇ କଷ୍ଟରେ ଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଞ୍ଚାଇବା ଲାଗି ଏକ ସମୟ ଓ ଯୋଜନା ନିର୍ଦ୍ଧାରଣ କରିବାକୁ କହିଛନ୍ତି । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ରାଜ୍ୟଗୁଡ଼ିକୁ ଜାରି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ରେଳବାଇର ନୋଡାଲ ଅଧିକାରୀ ଏହି ପ୍ରସଙ୍ଗରେ ରାଜ୍ୟଗୁଡ଼ିକ ସହିତ ଆଲୋଚନା କରୁଛନ୍ତି ଏବଂ ଆବଶ୍ୟକ ଟ୍ରେନର ଏକ ମୋଟାମୋଟି ଆକଳନ ହାସଲ କରିବା ପାଇଁ ପ୍ରୟାସ କରୁଛନ୍ତି। ତେବେ ରାଜ୍ୟଗୁଡ଼ିକ ସେମାନଙ୍କ ଶ୍ରମିକ ସ୍ପେଶାଲ ଟ୍ରେନ ଆବଶ୍ୟକତା ସମ୍ପର୍କରେ ବିଧିବଦ୍ଧ ଭାବେ ରେଳ ମନ୍ତ୍ରଣାଳୟକୁ ଅବଗତ କରାଇବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ବାରୋପ କରାଯାଇଛି । ତଦନୁଯାୟୀ ଭାରତୀୟ ରେଳବାଇ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରାଯିବ। ଏହାଛଡ଼ା ଭବିଷ୍ୟତରେ ଆବଶ୍ୟକତା ଅନୁଯାୟୀ ଭାରତୀୟ ରେଳବାଇ ପକ୍ଷରୁ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ପ୍ରତିଶ୍ରୁତି ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ