ଆବାସ ଯୋଜନାରେ ବ୍ଳକ ପ୍ରଶାସନର ଖାମଖିଆଲ ତଦନ୍ତ ବାଦ ପଡିଲେ ବହୁ ଯୋଗ୍ୟ ହିତାଧିକାରୀ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କଚ୍ଚା ଘରେ ରହୁଥିବା ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ଅନ୍ତଭୁକ୍ତ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସରେ ଗୃହ ପ୍ରଦାନ କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପକ୍କା ଯୋଜନାରେ ଗୃହ ପ୍ରଦାନ କରାଯାଉଛି । ଉଭୟ ଯୋଜନାରେ ଗୃହ ପ୍ରଦାନ କରାଯିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇଛି । କିନ୍ତୁ ଏହି ଗୃହ ପ୍ରଦାନରେ ଅନେକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଫଳରେ ଏହି ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଥିବା ବେଳେ ଯୋଗ୍ୟ ହିତାଧିକାରୀ ବାଦ ପଡିଥିବା ଅଭିଯୋଗ ହେଉଛି । ଏପରିକି ବାପା ଆବାସ ଯୋଜାନରେ ଗୃହ ପାଇଥିବା ବେଳେ ଏକ ମାତ୍ର ପୁଅର ବି ଉକ୍ତ ତାଲିକାରେ ନାମ ରହିଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଏହି ଯୋଜାନରେ ବାସ ଗୃହ ପାଇଁ ହିତାଧିକାରୀମାନେ ପ୍ରଥମେ ନିଜର ଆବଶ୍ୟକୀୟ କାଗଜପତ୍ର ସହିତ ଫର୍ମ ଆବେଦନ କରିଥିଲେ । ଆବେଦନ କରିଥିବା ହିତାଧିକାରୀଙ୍କୁ ତାଲିକା ଭୂକ୍ତ କରାଯାଇ ହିତାଧିକାରୀ ମାନେ ଯୋଗ୍ୟ କି ଅଯୋଗ୍ୟ ଏହାକୁ ତଦନ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ ଗଠନ କରାଯାଇଥିଲା । ଉକ୍ତ ଟିମ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯାଇ ଉକ୍ତ ନାମ ଗୁଡିକୁ ଜିଲ୍ଲା ପ୍ରଶାସନ ନିକଟକୁ ପଠାଯାଇଥିଲା । କିନ୍ତୁ ପରବର୍ତୀ ସମୟରେ ବ୍ଲକ ପ୍ରଶାସନ ପକ୍ଷରୁ ଜିଇଓ ଟ୍ୟାଗ ପାଇଁ ପୂର୍ଣ୍ଣବାର ଉକ୍ତ ହିତାଧିକାରୀଙ୍କ ଘରକୁ ତଦନ୍ତ କରାଯାଇଥିଲା । କିନ୍ତୁ ଉକ୍ତ ତଦନ୍ତ ଠିକ ଭାବେ ହୋଇ ନଥିବା ଯୋଗୁଁ ବହୁ ଅଯୋଗ୍ୟ ହିତାଧିକାରୀ ପ୍ରକାଶିତ ତାଲିକାରୁ ଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି । ବ୍ଳକ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଏହି ବ୍ଲକରେ ୧୬ଟି ପଂଚାୟତରୁ ଅଲଣା ପଂଚାୟତ ୧୭୪, ଗଜରାଜପୁର ୬୭, ଜାମୁଗାଁ ୪୫, ନାଉଗାଁ ୪୩, ଘୋଡାଂଶ ୫୧,ଓଷକଣା ୮୩,ରୋହିଆ ୧୩୭,କୋରୁଅ ୯୧, ବାଂଶ ୧୬, ଡେରିକି ୨୭, ନୂଆଗାଁ ୩୭, ବଛାଳୋ ୫, ଡାବର ୧୫, ଗଳଦାରୀ ୧୯, ଶିଖର ୮୦, ତିରୁଣା ପଂଚାୟତରେ ୪୫ ଜଣଙ୍କ ନାମ ରହିଥିବା ବେଳେ ସମୁଦାୟ ୯୩୫ ଜଣ ହିତାଧିକାରୀ ନାମ ଆବାସ ଯୋଜନାରେ ଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉକ୍ତ ତାଲିକା ପ୍ରକାଶିତ ହେବା ପରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ଅଭିଯୋଗ ହୋଇଛି । ନାଉଗାଁ ପଂଚାୟତର ଅବଦଲପୁର ଗ୍ରାମରେ ଅଯୋଗ୍ୟ ହିତାଧିକାରୀ ଉକ୍ତ ଯୋଜନାରେ ସାମିଲ ହୋଇଥିବା ଯୋଗୁଁ ଏହାକୁ ତଦନ୍ତ କରା ନଗଲେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବା ପାଇଁ ଦେବଜ୍ୟୋତି ମହାନ୍ତି ଲିଖିତ ଭାବେ ଜଣାଇଛନ୍ତି । ସେହିପରି ପ୍ରକାଶ ପାଇଥିବା ତାଲିକାରେ ଜାମୁଗାଁ ପଂଚାୟତର ବାବୁଲି ଦାସ ଓ ବଟ ରାୟ ଅନେକ ତୃଟି ଥିବା ଦର୍ଶାଇ ସ୍ଥାନୀୟ ବିଡିଓଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ତାଙ୍କର ଅଭିଯୋଗ ମୁତାବକ ୧୯୯୭ ମସିହା ବିପିଏଲ ତାଲିକା ଅନୁସାରେ ବାପା ଘର ପାଇ ଥିବା ବେଳେ ବର୍ତମାନ ପୁଅ ଘର ପାଇଛି । ଉଦାହରଣ ସ୍ୱରୁପ ହାରାମଣୀ ସାହୁ ଘର ୧୯୯୭ ମସିହା ବିପିଏଲ ଅନୁସାରେ ଘର ପାଇଥିବା ବେଳେ ତାଙ୍କ ମୃତ୍ୟୁ ପରେ ଏକମାତ୍ର ପୁତ୍ର ସୁରେନ୍ଦ୍ର ସାହୁ ଫାଇନାଲ ବିଲ ନେଇଛନ୍ତି । କିନ୍ତୁ ସୁରେନ୍ଦ୍ରଙ୍କ ପୁତ୍ର ସଦାଶିବ ଅବିବାହିତ ଥିବା ବେଳେ ତାଙ୍କ ନାମରେ ଆବାସ ଯୋଜନାରେ ତାଲିକା ଭୁକ୍ତ କରାଯାଇଛି । ସେହିପରି ଗୋପାଳ ଦାସ ୨୦୦୨ ମସିହା ବିପିଏଲରେ ଘର ପାଇଥିବା ବେଳେ ତାଙ୍କର ଏକମାତ୍ର ପୁତ୍ର ନନ୍ଦ ଦାସ, ସେହିପରି ଝରି ଦାସ ଇନ୍ଦିରା ଆବାସ ଯୋଜନାରେ ଘର ପାଇଥିବା ବେଳେ ତାଙ୍କର ଏକମାତ୍ର ପୁତ୍ର ଅମୂଲ୍ୟ ଦାସଙ୍କ ନାମ ତାଲିକା ଭୂକ୍ତ କରାଯାଇଛି । ସେହିପରି ଅଲଣା ପଂଚାୟତର ଓାର୍ଡ ସଭ୍ୟ ପଙ୍କଜ କୁମାର ଦାସ ସମାନ ଅଭିଯୋଗ ଆଣିଛନ୍ତି । କେବଳ ଯେ ଉକ୍ତ ୩ଟି ପଂଚାୟତରେ ନୁହେଁ ବ୍ଳକର ୧୬ଟି ପଂଚାୟତର ସମାନ ଅବସ୍ଥା ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏ ବିଷୟରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ ।


