ଆବାସ ଯୋଜନା ଘର କରାଇଦେବା ନାଁରେ ଠକାମିର ଶୀକାର ହେଲେ ବୃଦ୍ଧ

ହାଟଡିହି, (ବିକାଶ ବିଶ୍ୱାଳ):ଆବାସ ଯୋଜନା ଘର କରାଇଦେବା ନାଁରେ ଠକାମିର ଶୀକାର ହୋଇଛନ୍ତି ଜଣେ ବୃଦ୍ଧ । ଏପରି ଅଭିଯୋଗ ଆସିଛି ପନ୍ଦାଡୋ ପଞ୍ଚାୟତର ସରଳାପସି ଗ୍ରାମରୁ । ଗ୍ରାମର ବସନ୍ତ ମୁଣ୍ଡା ନାମକ ଜଣେ ବୃଦ୍ଧ ଏକ ଭଙ୍ଗା ଘରେ ରହୁଥିବା ବେଳେ ଗତ୨୦୨୨/୨୩ ବର୍ଷରେ ତାଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ଘର ଦିଆଯାଇଥିଲା। ସେହି ଗ୍ରାମର ଜଣେ ଯୁବକ ତାଙ୍କ ପାଖରେ ପହଞ୍ଚି ତୁମେ ଘର କରିପାରିବନାହିଁ, ତେଣୁ ମୁଁ ଘରକାମ କରିଦେବି ବୋଲି ବସନ୍ତଙ୍କୁ ବୁଝାଇ ତାଙ୍କ ପାଖରୁ ପ୍ରଥମ କିସ୍ତି ବାବଦକୁ ଆସୁଥିବା ୪୦ହଜାର ଟଙ୍କା ମାଗି ନେଇଥିଲେ। ପରବର୍ତ୍ତି ସମୟରେ ଯୁବକ ଜଣକ ବୃଦ୍ଧ ବସନ୍ତଙ୍କ ପୁରୁଣା ଘରଟିର ଛପର ଖୋଲିଦେଇ ପୁରୁଣା କାନ୍ଥ ଉପରେ ଦୁଇଫୁଟ ଯୋଡିଦେଇ ଛାତ ପକାଇ ଦେଇଥିଲେ। ଘରର କବାଟ ଝରକା ଲଗାଯାଇ ନଥିବା ବେଳେ ଘରତଳ ମେଜିଆ ବି ହୋଇନି। ଏପରିକି କାନ୍ଥ ବି ପ୍ଲାଷ୍ଟର ହୋଇନି। ସାମାନ୍ୟ ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ପାଣି । ଫଳରେ ଏହି ନିରାଶ୍ରୟ ବୃଦ୍ଧ ଜଣକ ନାନାଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। ଗତ ୫ଦିନ କାଳ ଲଘୁଚାପ ଜନିତ ବର୍ଷା ଯୋଗୁଁ ବୃଦ୍ଧ ଜଣକ ରାତି ଶୋଇ ନପାରି ଘର କଣରେ ରାତିିସାରା ଉଜାଗର ହୋଇ ରହିଥିବା ସେ କହିଛନ୍ତି। ଘରକାମ ସାରିବାକୁ ସେ ବାରମ୍ବାର ଯୁବକଙ୍କୁ କହୁଥିଲେ ବି ସେ ଧରାଛୁଆଁ ଦେଉ ନଥିବା ବସନ୍ତ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଘରର ସମ୍ପୁର୍ଣ୍ଣ ବିଲ୍ ହୋଇସାରିଥିବା ବେଳେ ବୋନସ ଟଙ୍କା ମଧ୍ୟ ଉଠାସରିଛି। ଆବାସ ଯୋଜନା ନିୟମ ଅନୁସାରେ ଘର ପୁର୍ଣ୍ଣାଙ୍ଗ ହେବା ପରେ ଯାଇ ଜିଓଟେଗ କରାଯିବା ପରେ ଯାଇ ସମ୍ପୁର୍ଣ୍ଣ ବିଲ ଦିଆଯାଇ ଥାଏ। ମାତ୍ର ଏଠି ଘର କାମ ସମ୍ପୁର୍ଣ୍ଣ ହୋଇନଥିବା ବେଳେ କିପରି ପୂର୍ଣ୍ଣାଙ୍ଗ ଦର୍ଶାଇ ସମ୍ପୁର୍ଣ୍ଣ ବିଲ୍ ଦିଆଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରେ ସେ କହଛନ୍ତି ଯେ ଏକା ବସନ୍ତ ନୁହନ୍ତି ଅନେକ ଲୋକଙ୍କ ଘର କାମ ଅସମ୍ପୁର୍ଣ୍ଣ ଥିବାବେଳେ ସେମାନଙ୍କର ଘର ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇ ସମ୍ପୁର୍ଣ୍ଣବିଲ୍ ଉଠାଇ ନିଆଯାଇଛି। ଗାଁର କୁଜି ନେତା ମାନେ ଗରିବ ଆଦିବାସୀମାନଙ୍କୁ ଭୁତେଇ ଏପରି କରିଛନ୍ତି ବୋଲି କହିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ