ଆମେରିକାରେ ୨୪ ଘଣ୍ଟାରେ ରେକର୍ଡ ୪୫୯୧ କୋରୋନା ମୃତ୍ୟୁ, ସଂଖ୍ୟା ୩୪ ହଜାର ଟପିଲା

ଓ୍ବାଶିଂଟନ୍: ଆମେରିକାରେ କୋରୋନା ଭୂତାଣୁଜନିତ ସ୍ଥିତି ଦୁର୍ବିସହ ହୋଇପଡ଼ିଛି। ବିଶ୍ବର ସବୁଠାରୁ ଉନ୍ନତ ଦେଶ ଭିତରେ ଆଗୁଆ ଥିବା ଆମେରିକାରେ ଗତ ୨୪ ଘଣ୍ଟାରେ ରେକର୍ଡ ୪ ହଜାର ୫୯୧ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ଦେଶରେ ଅଦ୍ୟାବଧି ଏହି ଭୂତାଣୁ ପ୍ରଭାବରେ ୩୪ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଗୁରୁବାର ଗୋଟିଏ ଦିନରେ ୪ ହଜାର ୫୯୧ ଜଣଙ୍କ ଜୀବନ ଯିବା ଫଳରେ ଏହା ଦେଶରେ କୋରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେବା ପରଠାରୁ ୨୪ ଘଣ୍ଟା ଭିତରେ ସର୍ବାଧିକ। ଗତ ବୁଧବାର ୨ ହଜାର ୫୬୯ ଜଣ ମୃତ୍ୟୁବରଣ କରିଥିଲେ ଯାହାକି ସର୍ବାଧିକ ରହିଥିଲା। କିନ୍ତୁ ଗୁରୁବାର ଏହାଠାରୁ ୨ ହଜାରରୁ ଊର୍ଦ୍ଧ୍ବ ଆମେରିକୀୟ କୋରୋନା ଭୂତାଣୁ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜନ୍ସ ହପକିନ୍ସ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି। ଆମେରିକାର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ସହର ନ୍ୟୁୟର୍କରେ ୧୬ ହଜାର ୧୦୬ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ପାଖାପାଖି ୩୦ ପ୍ରତିଶତ ଅର୍ଥାତ୍ ୨ ଲକ୍ଷ ୨୬ ହଜାର ଏଠାକାର ବାସିନ୍ଦା ବୋଲି ଜଣାପଡ଼ିଛି।
ସେହିପରି ଅନ୍ୟତମ ସହର ନ୍ୟୁଜର୍ସିରେ ୩ ହଜାର ୫୧୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୭୫ ହଜାର ୩୧୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଆମେରିକାର ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଏଣ୍ଡ୍ ପ୍ରିଭେନସନ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଗତ ଏପ୍ରିଲ୍ ୧୪ ତାରିଖ ସୁଦ୍ଧା ଦେଶରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୪ ପ୍ରତିଶତ ଏସିଆର ମୂଳ ବାସିନ୍ଦା ଓ ପାଖାପାଖି ୩୦ ପ୍ରତିଶତ ଆଫ୍ରିକୀୟ-ଆମେରିକୀୟ ରହିଛନ୍ତି। ଅନ୍ୟପକ୍ଷରେ ବିଶ୍ବରେ ଶୁକ୍ରବାର ପୂର୍ବାହ୍ନ ସୁଦ୍ଧା ୧ ଲକ୍ଷ ୪୬ ହଜାରରୁ ଊର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବା ବେଳେ ୨୧ ଲକ୍ଷ ୮୪ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ୫ ଲକ୍ଷ ୫୩ ହଜାର ୩୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ ଗତ କେତେ ଦିନ ହେଲା ଭୂତାଣୁର କେନ୍ଦ୍ରସ୍ଥଳ ଚୀନର ଉହାନ୍ ସହରରେ ଅଚାନକ ୧୨୯୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି। ତେଣୁ ଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା ୩ ହଜାର ୮୬୯ରେ ପହଞ୍ଚିଯାଇଛି। ତେବେ ଉହାନରେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି କି ସ୍ଥାନୀୟ ପ୍ରଶାସନ ପୂର୍ବରୁ ଘଟିଥିବା ମୃତ୍ୟୁ ମାମଲାକୁ ଲୁଚାଇଥିଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ପୂର୍ବରୁ ଚୀନ୍ ଦେଶରେ ଭୂତାଣୁ ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ଲୁଚାଉଥିବା ନେଇ ଆମେରିକା ସମେତ ଏକାଧିକ ଦେଶ ଅଭିଯୋଗ କରିଆସିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ