ଆମ୍ବ ଗଛରେ ବଉଳ ଅଙ୍କୁରିତ

ଅମାବାସ୍ୟା ବେଳକୁ ଶୀତର ପ୍ରକୋପ କମି ଆସିଥାଏ, ଆମ୍ବ ଗଛରେ ବଉଳ ଅଙ୍କୁରିତ ହୋଇ ଋତୁରାଜ ବସନ୍ତକୁ ସ୍ୱାଗତ କରୁଥାଏ। ବକୁଳ ଅମାବାସ୍ୟା ଦିନ ଚୁତ ତରୁ, ଆମ୍ବ ଗଛକୁ ପୂଜା କରାଯାଏ। ଭୋଗ ସାମଗ୍ରୀ ଭାବେ ଗଇଁଠା ପିଠା ଏବଂ ବଉଳକୁ ବ୍ୟବହାର କରାଯାଏ। ଆମ୍ବ ମୂଳେ ପୂଜାଲଗାଇ ଗଇଁଠା ପିଠାକୁ ବୃକ୍ଷ ଉପରେ ନିକ୍ଷେପ କରା ଯାଇଥାଏ। ଗଇଁଠା ଗଛରୁ ଯେଉଁ ଭଳି ପଡ଼େ ସେହି ଭଳି ଆମ୍ବ ଫଳି ଗଛରୁ ପତିତ ହେବା ନିମନ୍ତେ କାମନା କରାଯାଏ। ଶ୍ରୀମନ୍ଦିରରେ ମଧ୍ୟ ବକୁଳଲାଗି ନୀତି ପାଳିତ ହୋଇଥାଏ। ବୈଦିକ ଅନୁବନ୍ଧନରେ ଅନୁବନ୍ଧିତ ହୋଇ ଭାରତୀୟ ଧାର୍ମିକ ପରମ୍ପରାରେ ଶତାଧିକ ଦେବଦେବୀ ପୂଜିତ ହୋଇଥାନ୍ତି। କିନ୍ତୁ ଏହା ବ୍ୟତୀତ, ଭାରତୀୟ ଜନ ସମୁଦାୟ ଶ୍ରୀକୃଷ୍ଣଙ୍କର ଗୋବର୍ଦ୍ଧନ ଧାରଣର ପଥ ଅନୁସରଣ କରି, ପ୍ରକୃତିର ବିଭିନ୍ନ ଅଂଶ ଯଥା: ନଦୀ, ବନ, ପର୍ବତ, ବୃକ୍ଷଲତା ଆଦିକୁ ଶ୍ରଦ୍ଧା ଓ ଭକ୍ତିର ସହିତ ପୂଜା କରିଥାନ୍ତି। ଏହି ପ୍ରକ୍ରିୟାରେ ବୃକ୍ଷ ଉପାସନା ଏକ ବିଶେଷ ସ୍ଥାନ ଅଧିକାର କରେ। ତୁଳସୀ, ବେଲ, ବଟ, ଶମି, ଆମ୍ବ, ଧାନକ୍ଷେତ ଆଦି ଏହାର ଅଙ୍ଗୀଭୂତ। ତୁଳସୀ ବିବାହ, ବେଲ ବରଣ, ଗର୍ଭଣା ସଂକ୍ରାନ୍ତି ଆଦି ପର୍ବମାନ ଯେପରି କୃଷକ ପରିବାର ମହା ସମାରୋହରେ ପାଳନ କରିଥାନ୍ତି, ଠିକ୍ ସେହିପରି, ପୌଷ ଅମାବାସ୍ୟା (ବକୁଳ ଅମାବାସ୍ୟା) ରେ ଆମ୍ବ ବୃକ୍ଷର ପୂଜା ହୋଇଥାଏ। ହିନ୍ଦୁ ପରମ୍ପରାରେ ଆମ୍ବ ଓ ଆମ୍ବ ଡାଳର ବହୁତ ମହତ୍ୱ ରହିଛି। ଆମ୍ବଡାଳ ଓ ପଇଡ଼ କଳସ ବା ଘଟ ସ୍ଥାପନ ଉପଲକ୍ଷେ ଏକ ଅପରିହାର୍ଯ୍ୟ ବସ୍ତୁ। ବିଭିନ୍ନ ମେଳାସ୍ଥଳୀ ଓ ସ୍ୱାଗତ ତୋରଣକୁ ଆମ୍ବ ଡାଳଦ୍ୱାରା ସଜା ଯାଇଥାଏ। ଦୋଳଯାତ୍ରା ବେଳେ ପ୍ରଭୁ ଶ୍ରୀଦୋଳ ଗୋବିନ୍ଦଙ୍କ ଶ୍ରୀହସ୍ତରେ ଆମ୍ବ କଷି ଲଗା ଆମ୍ବଡାଳ ଶୋଭାପାଏ। ପୁଣି ଫଳ ମାନଙ୍କ ରାଜା ହେଉଛି ଆମ୍ବ। ଆମ୍ବର ଅନ୍ୟ ନାମ ଆମ୍ର, ଚୂତ,ସହକାର,ରସାଳ। ସ୍ତ୍ରୀ ଲୋକେ ଓ କୁମାରୀ ଝିଅମାନେ ବଉଳ ବସି ବନ୍ଧୁତ୍ୱ ବାନ୍ଧିବା ପରମ୍ପରା ରହିଛି। ଆମ୍ବ ଏକ ଅତ୍ୟନ୍ତ ପବିତ୍ର ବୃକ୍ଷ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ମାନଙ୍କରେ ଆମ୍ବପତ୍ର ବ୍ୟବହାର ହେତୁ ଏହା ଅନ୍ୟାନ୍ୟ ବୃକ୍ଷ ଯଥା ତୁଳସୀ,ବେଲ ଅଁଳା,ଅଶ୍ୱସ୍ତ, ବର, ପଳାଶ,କଦଳୀ ଇତ୍ୟାଦି ଭଳି ପୂଜନୀୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ