ଅର୍ପିତାଙ୍କ ପାଇଁ ଅମା ଅନ୍ଧକାର କେବେ ହଟିବ ?

ଭଦ୍ରକ, ( ଆଲୋକ ଚନ୍ଦ୍ର ନାୟକ):ଅବେଳରେ ସ୍ବାମୀ ବାଟ କାଟିବାରୁ ଶୁଖୁନି ଆଖିର ଲୁହ ଏବେ ପିଲାଙ୍କ ଭବିଷ୍ୟତ କେମିତି ଗଢାଯିବ ?କୁକୁଡା ଭାଡି ପାଖରେ ପଡୁଥିବା ବିଛଣା ସାକ୍ଷୀ ଦେବ ତାଙ୍କ ତତଲା ଲୁହ ଭିଜା ଆଖି ବାବଦରେ ।ଘର ଖଣ୍ଡେ ଅର୍ପିତାଙ୍କ ପାଇଁ ସାତ ସପନ।ସୁଖରେ ଦିନକାଟିବାକୁ ୨୦୧୧ ମସିହାରେ ଶାଶୁଘର ଭଦ୍ରକ ଜିଲ୍ଲା ଅଧୀନସ୍ଥ ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତ ଅନ୍ତର୍ଗତ ବୋଡକ ଗାଆଁକୁ ଆସିଥିଲେ ଅର୍ପିତା ଦଳେଇ । ଆଉ ଜଣକ ପରେ ଜଣେ ତାଙ୍କ କୋଳ ମଣ୍ଡନ କରିଥିଲେ ଝିଅ ରାନୀ , ବଡପୁଅ ପ୍ରୀତମ ଓ ସାନପୁଅ ଉତ୍ତମ । ସ୍ବାମୀ ସୁରକ୍ଷିତ ଦଳାଇ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କରୁଥିଲେ କାମ । ସ୍ବାମୀଙ୍କ ରୋଜଗାରରେ ଚଳୁଥିଲା ସଂସାର । ଅର୍ପିତା ମଧ୍ୟ ଦୁଃଖସୁଖକୁ ନେଇ କାଟୁଥିଲେ ଦିନ । ହଠାତ ଅର୍ପିତାଙ୍କ ଜୀବନରେ ମାଡିଆସିଲା ଦୁଃଖର ଜୁଆର । ସ୍ବାମୀ ସୁରକ୍ଷିତ ପେଟରୋଗରେ ହେଲେ ଆକ୍ରାନ୍ତ । ହାଇଦ୍ରାବାଦରୁ କଟକ ପର୍ଯ୍ୟନ୍ତ ଚାଲିଲା ଚିକିତ୍ସା । ଚିକିତ୍ସା ପାଇଁ ସ୍ବାମୀଙ୍କ ପୈତୃକ ସମ୍ପତି ବି ବିକ୍ରି ହୋଇଗଲା । ଧାର କରଜ କରି ତାଙ୍କ ଚିକିତ୍ସା ପାଇଁ ଚାଲିଲା ଖର୍ଚ୍ଚ । ହେଲେ ଭଗବାନଙ୍କ ବିଚାର ଥିଲା ଭିନ୍ନ। ୨୦୨୨ ମସିହା ଏପ୍ରିଲ ମାସରେ ସମସ୍ତଙ୍କୁ ପରକରି ଅର୍ପିତାଙ୍କ ଜୀବନ ସାଥି ସୁରକ୍ଷିତ ରୁକୁଣା ରଥରେ ବସି ଚାଲିଗଲେ ଆର ପାରିକୁ । ଆଉ ତାଙ୍କ ଦରଗଢା ସଂସାର ହୋଇଗଲା ଛାରଖାର । ଅର୍ପିତାଙ୍କ ପାଦ ତଳୁ ଖସିଗଲା ମାଟି ଆଉ ମଥା ଉପରେ ପଡିଲା ଅକାଳ ଚଡକ । ସ୍ବାମୀ ଯିବା ପରେ କେମିତି ଚଳିବ ସଂସାର ? ତିନିଜଣ ପିଲା କେମିତି ହେବେ ମଣିଷ ? ସ୍ବାମୀଙ୍କ ଚିକିତ୍ସା ପାଇଁ ହୋଇଥିବା ଧାର କରଜ ସୁଝାଯିବ କେମିତି ? ଏମିତି ଅନେକ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରୁଛି । ସରକାରୀ ସାହାଯ୍ୟ କହିଲେ ୧୫ କିଲୋ ରାଶନ ଚାଉଳ ଓ ତିନି ମାସ ତଳେ ମିଳୁଥିବା ବିଧବା ଭତ୍ତା । ଅର୍ଥ ଅଭାବରୁ ନୁଆଣିଆଁ ଝାଟିମାଟି ଘରଟେ ବି ବର୍ଷେ ହେଲା ଛିଆ ହୋଇ ପାରିନି । ବର୍ଷାଦିନେ ପାଣି ପଡିବାରୁ ପଲିଥିନ କିଣା ହୋଇ ଘର ଉପରେ ଠାଏ ଠାଏ ତାଳି ପକା ଯାଇଛି । ମିଳୁଥିବା ଭତ୍ତା ପଇସାରେ ସୁଝା ଚାଲିଛି ସ୍ବାମୀ ଚିକିତ୍ସା ପାଇଁ ହୋଇଥିବା କରଜ ।ଏବେ ପିଲାଙ୍କ ମୁଖରେ ଦାନା ଦେବାକୁ ଅର୍ପିତାଙ୍କ ପାଖରେ କାଣି କଉଡିଟେ ବି ନାହିଁ । ବିଲବାଡ଼ି କାମ କରିବା ଶିଖି ନାହାଁନ୍ତି ଅର୍ପିତା । ନହେଲେ ପର ବିଲରେ ମୁଲ ଲାଗି ହୁଏତ ପିଲାଙ୍କ ପେଟକୁ ଦେଇଥା’ନ୍ତେ ଦାନା । ଏବେ ଚାରିଆଡ ତାଙ୍କୁ ଅନ୍ଧାର ଦେଖା ଯାଉଛି । ସଉଦା ଖର୍ଚ୍ଚ ଚଳିବା ପାଇଁ ପାଳିଛନ୍ତି କିଛି କୁକୁଡା । ଅର୍ଥ ଅଭାବରୁ କୁକୁଡାଙ୍କ ରହିବା ପାଇଁ ତିଆରି ହୋଇ ପାରୁନାହିଁ ଭାଡି । ଶୋଇବା ଘରେ ସେମାନଙ୍କ ପାଇଁ ତିଆରି ହୋଇଛି ମାଟି ନିର୍ମିତ ପହ୍ଲା । ରାତିରେ ବି ସେହି ପହ୍ଲା ପାଖରେ ପଡୁଛି ଅର୍ପିତାଙ୍କ ପିଲାଛୁଆଙ୍କ ସହ ନିଜର ବିଛଣା । ରାନ୍ଧିବା ପାଇଁ ରୋଷେଇ ଘରଟେ ନଥିବାରୁ ଦାଣ୍ଡ ପିଣ୍ଡା ହୋଇଛି ଏବେ ରୋଷେଇଘର । ଆଉ ସେଠାରେ ସେ ବିଛାଇଛନ୍ତି ମାଟିରେ ତିଆରି ଚୂଲୀ । ଦିନବେଳା ବାଡିରୁ ଗୋଟାଇଥିବା ଝଟାକଣ୍ଟାରେ ପ୍ରସ୍ତୁତ ହେଉଛି ପ୍ରତିଦିନ ରୋଷେଇ । ଉଜ୍ଜ୍ବଳା ଯୋଜନାରେ ଯୋଗାଇ ଦିଆଯାଉଥିବା ଗ୍ୟାସ ବି ତାଙ୍କ ପାଇଁ ସାତସପନ । ସମସ୍ତ ସରକାରୀ ଯୋଜନା ବୋଧହୁଏ ତାଙ୍କ ପାଇଁ ଅପହଞ୍ଚ ସାବ୍ୟସ୍ତ ହୋଇଛି । ବୋଡକ ଗାଆଁରେ ୨ ତାଲା ବିଲଡିଂ ଥିବା ପରିବାର ଚଞ୍ଚକତା କରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ହାତେଇ ଥିଲା ବେଳେ ଏହି ପରିବାର ସେଥିରୁ ବଞ୍ଚିତ ହେବା କେତେଦୂର ସମୀଚୀନ ? ଚାନ୍ଦବାଲି ବିଡିଓ ଏହି ପରିବାର ପ୍ରତି ସଦୟ ଦୃଷ୍ଟି ପ୍ରଦାନ କରି ଘର ଖଣ୍ଡେ ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି । ଖାଲି ସେତିକି ନୁହେଁ ଯଦି କୌଣସି ବଦାନ୍ୟ ବ୍ୟକ୍ତି ଅର୍ପିତାଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର-୪୧୦୦୩୫୯୩୧୩୮
IFSC CODE – SBINOOO6472 ରେ ସାହାଯ୍ୟ ରାଶୀ ପଠାଇ ପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ