‘ଆମ ନ୍ୟୁଜ’ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲାର ପ୍ରମୁଖ ସ୍ଥାନୀୟ ବୈଦ୍ୟୁତିକ ଗଣମାଧ୍ୟମ ‘ଆମ ନ୍ୟୁଜ’ର ୧୮ତମ ବାର୍ଷିକ ଉତ୍ସବ ଉପଲକ୍ଷେ ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ସହରର ଗୋପାଳଗାଁ ସ୍ଥିତ ଓଏସିସି କଲେଜ ପରିସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ ୨ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ଆମ ନ୍ୟୁଜ ପରିବାରର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଦୀର୍ଘ ୧୮ ବର୍ଷ ଧରି ଏହି ଅନୁଷ୍ଠାନ ସବୁ ପ୍ରକାର ବାଧାବିଘ୍ନ ସତ୍ତ୍ୱେ ଆଗକୁ ବଢ଼଼ିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ଶ୍ରୀମତୀ ସାହୁ କହିଥିଲେ । ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ମଧୁସୂଦନ ଦାସ, କବି ପ୍ରଶାନ୍ତ ଦାସ, ବାଲେଶ୍ୱର ଆର୍ଟ ଏଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟ ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ, ଓଏସିସିର ନିର୍ଦ୍ଦେଶକ ସଞ୍ଜୟ ସାହୁ, ଶିକ୍ଷାବିତ ଡ. ରାଧାରଞ୍ଜନ ପଟ୍ଟନାୟକ, ସମାଜସେବୀ କିଶୋର ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହିତ ଆସନ୍ତା ‘ଆମ ନ୍ୟୁଜ’ବାର୍ଷିକ ଉତ୍ସବର ସଫଳତା କାମନା କରିଥିଲେ । ତେବେ ସଫଳତା ପାଇଁ ପ୍ରତିଯୋଗିତା କେବେ ପ୍ରତିବନ୍ଧକ ନ ହେଉ ବୋଲି ଅତିଥିମାନେ କହିଥିଲେ । ସମସ୍ତେ ପ୍ରଥମ ବା ଦ୍ୱିତୀୟ ସ୍ଥାନ ଅଧିକାର କରି ନ ପାରନ୍ତି, ମାତ୍ର ସମସ୍ତ ପ୍ରତିଯୋଗୀ ସଫଳ ପ୍ରଦର୍ଶନ କରନ୍ତୁ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ‘ଆମ ନ୍ୟୁଜ’ର ନିର୍ଦ୍ଦେଶକ ବିପ୍ଳବ କୁମାର ମହାନ୍ତି ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଅଜିତ କୁମାର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡ୍ୟାନ୍ସ, ଡିବେଟ, ଚିତ୍ରାଙ୍କନ ଓ ଓଡ଼ିଆ ପ୍ରବନ୍ଧ ପ୍ରଭୃତି ବିଭାଗରେ ଜୁନିୟର ଓ ସିନିୟର ଦୁଇଗୋଟି ବର୍ଗର ୨ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ‘ସମାଜ’ ବାଲେଶ୍ୱର ଡେସ୍କ ଇନଚାର୍ଜ ଶଶିରଞ୍ଜନ ମଲିକ, ସମାଜସେବୀ ଯଶୋଦା ନନ୍ଦନ ଆଶ, ସମୀର ମଲିକ, ଅଖିଲ କୁମାର, ଅନୁପମ ମିଶ୍ର, ଜ୍ୟୋତିର୍ମୟୀ ସାମଲ, ଅନୁରାଗ ବସୁ, ଦେବେନ୍ଦ୍ର ନାଥ ପୃଷ୍ଟି, ପ୍ରମିଳା ଦାସ, ସାଧନା ମୁର୍ମୁ ପ୍ରମୁଖ ଏଥିରେ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ‘ଆମ ନ୍ୟୁଜ’ର ସମ୍ପାଦିକା ନିହାରିକା ମହାନ୍ତି, ଡ. ଶ୍ରୀମାନ ଶ୍ରୀଚନ୍ଦନ, ଅଧ୍ୟାପିକା ଶୁଭଶ୍ରୀ ପଣ୍ଡା ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଅଧ୍ୟାପକ ପ୍ରଦୀପ ଚକ୍ରବର୍ତ୍ତୀ, ଅରୂପ ନାରାୟଣ ମହାନ୍ତି, ଶେଖ ବାସବ ଅଲି, ଗୌରୀମଣି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ନିକଟ ଭବିଷ୍ୟତରେ ହେବାକୁ ଥିବା ‘ଆମ ନ୍ୟୁଜ’ର ୧୮ତମ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।


