ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ୧୦୪ତମ ଜୟନ୍ତୀ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶାରେ ଗୁରୁକୁଳ ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା, ଆର୍ଯ୍ୟସମାଜର ଅନନ୍ୟ ପ୍ରଚାରକ ତଥା ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ୧୦୪ତମ ଜୟନ୍ତୀ ଆଜି ପୂର୍ବାହ୍ନରେ ୟୁନିଟ୍-୯ ଫ୍ଲାଟସ୍ଥିତ ଆର୍ଯ୍ୟଭବନଠାରେ ସ୍ୱାମୀ ବ୍ରହ୍ମାନନ୍ଦ ସେବା ଟ୍ରଷ୍ଟ ଓ ଆର୍ଯ୍ୟ ସମାଜ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋଳଥିଆସ୍ଥିତ ସ୍ମୃତିବନଠାରେ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ଉଦ୍ଦେଶ୍ୟରେ ରୋପିତ ବକୁଳ ବୃକ୍ଷକୁ ପୂଜା ସହ ଜଳଦାନ କରାଯାଇଥିଲା । ଅତିଥି ଭାବେ ଯୋଗଦେଇ ପ୍ରଫେସର ବୁଦ୍ଧଦେବ ବିଶ୍ର କହିଲେ ଯେ, ସ୍ୱାମିଜୀ ଓଡ଼ିଶାରେ ଦ୍ୱିତୀୟ ଗୋପବନ୍ଧୁ । ସେ କେବଳ ସଂସ୍କୃତ ଶିକ୍ଷାକୁ ଗୁରୁତ୍ୱ ଦେଉନଥିଲେ, ବଢି, ମରୁଡ଼ି ସମୟରେ ପ୍ରପୀଡ଼ିତ ଜନତାଙ୍କ ନିକଟରେ ପ୍ରଥମେ ଠିଆ ହେଉଥିଲେ । ସେ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦଙ୍କ ନୀତି ଆଦର୍ଶ ଓ ସଂସ୍କାରର ବାର୍ତ୍ତାକୁ ସହର ଠାରୁ ଗ୍ରାମାଞ୍ଚଳ ବିଶେଷକରି ଗିରିଜନ ମାଳ ଅଞ୍ଚଳରେ ପହଞ୍ଚାଇବାରେ ସତତ ଚେଷ୍ଟିତ ଥିଲେ । ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ଦ୍ୱାରା ଆର୍ଯ୍ୟଭବନ ଠାରେ ଶାନ୍ତିଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ପୁଷ୍ପରାଜ ପ୍ରଧାନ, ବରୁଣ ରାଜ, ପ୍ରଜ୍ଞାରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ମହାପାତ୍ର ଓ ବାସ୍ତୁବିତ୍ ଡଃ ମନୋଜ ଲେଙ୍କା ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


