ଆୟୁଷ୍ମାନଙ୍କ ସ୍ୱପ୍ନ
ମୁମ୍ବାଇ: ବଲିଉଡ୍ର ୟଙ୍ଗ୍ ଟ୍ୟାଲେଣ୍ଟ ଆୟୁଷ୍ମାନ୍ ଖୁରାନାଙ୍କ ସଫଳତା ଏବେ ଆକାଶ ଛୁଇଁବାକୁ ଲାଗିଲାଣି । ଏକ ଟେଲିଭିଜନ୍ ରିଆଲିଟି ଶୋ’ରୁ କ୍ୟାରିୟର ଆରମ୍ଭ କରିଥିବା ଏହି ସାଧାରଣ ଯୁବକ ଆଜି ବଲିଉଡ୍ ଇଣ୍ଟଷ୍ଟ୍ରିରେ ଓ ଭାରତୀୟଙ୍କ ହୃଦୟରେ ରାଜ୍ କରୁଛନ୍ତି । ଆୟୁଷ୍ମାନ୍ ଭଲ ଅଭିନୟ କରିବା ସହ ଭଲ ଗୀତ ବି ଗାଇ ପାରନ୍ତି । ଗୀତରେ ବି ସେ ବେଶ୍ ସଫଳତା ହାସଲ କରିଛନ୍ତି । ଉଭୟ ଅଭିନୟ ଓ ସଙ୍ଗୀତରେ ସଫଳତା ପାଇବା ପରେ ଏବେ ସେ କିଛି ନୂଆ କରିବାକୁ ମନ ବଳାଇଲେଣି । ନିକଟରେ ଏକ ସାକ୍ଷାତକାରରେ ଆୟୁଷ୍ମାନଙ୍କୁ ପଚରା ଯାଇଥିଲା ଯେ ଅଭିନୟ ଓ ଗୀତରେ ସଫଳତା ପାଇବା ପରେ ଏବେ ସେ ଆଉ କ’ଣ କରିବାକୁ ଚାହୁଁଛନ୍ତି । ଏହାର ଉତ୍ତରରେ ସେ କହିଥିଲେ ଯେ ଏକ ବହି ଲେଖିବାକୁ ଚାହୁଁଛନ୍ତି । ଏହା ଏକ କବିତା ସଙ୍କଳନ ହେବ । ତା’ସହିତ ସେ ଫିଲ୍ମ ସ୍କ୍ରିପ୍ଟ ମଧ୍ୟ ଲେଖିବାକୁ ଚାହୁଁଛନ୍ତି । ଖାଲି ଏତିକି ନୁହେଁ, ସେ ଫିଲ୍ମ ନିର୍ଦ୍ଦେଶନା ଦେବାସହ ପ୍ରଯୋଜକ ମଧ୍ୟ ହେବାକୁ ଚାହୁଁଛନ୍ତି । ଆୟୁଷ୍ମାନଙ୍କ ଏହି ସବୁ ସ୍ୱପ୍ନ ଯଦି ସତରେ ପୂରଣ ହାଇଯାଏ, ତା’ହେଲେ ତାଙ୍କ ନାଁରେ ଏକ ରେକର୍ଡ ହୋଇଯିବ । ଫରହାନ ଅଖତରଙ୍କୁ ଏସବୁ ସଫଳତା ମିଳିସାରିଛି । ସେ ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ପ୍ଲେବ୍ୟାକ୍ ସିଙ୍ଗର୍, ସ୍କ୍ରିନ୍ ରାଇଟର୍ ଓ ଟେଲିଭିଜନ୍ ହୋଷ୍ଟ୍ ।


