ଇଟାଭାଟି ରେ ସ୍ତ୍ରୀ କୁ ହତ୍ୟା କରି ସ୍ବାମୀ କୋର୍ଟ ଚାଲାଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ପାଟପୁର ଆମ୍ବଠା ରାସ୍ତା ପାର୍ଶ୍ବରେ ଥିବା ଏକ ଇଟାଭାଟି ରୁ ମହିଳାଙ୍କ ମୃତଦେହ ପାଟପୁର ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ମହିଳା ଜଣକ ପାଳାସପୁର ଗ୍ରାମର ସୁଲଚନା ଦାସ (୨୪) ଏନେଇ ସୁଲଚନା ଙ୍କ ଭାଇ ବିଜୟ ଦାସ ପାଟପୁର ରେ ଜ୍ବାଇଁ ରଂଜନ ଦାସ ମାରିଦେଇଥିବା ନେଇ ଏତଲା ଦେଇଛନ୍ତି।ପାଟପୁର ପୋଲିସ ରଂଜନ ଦାସ କୁ ଗିରଫ କରି କେସ ନଂ ୫୪୬/୨୩ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ,ପଳାସପୁର ଗ୍ରାମର ରଞ୍ଜନ ଦାସ ବୈଦିକ ରୀତିରେ ୬ ମାସ ପୂର୍ବେ କୁକୁଡ଼ାଖଣ୍ଡି ଗ୍ରାମର ସୁଲୋଚନା ଦାସ ଙ୍କୁ ଦ୍ଵିତୀୟ ବିବାହ କରିଥିଲେ।ତେବେ ରଞ୍ଜନ ଦାସ ଦିନ ମଜୁରିଆ ହୋଇଥିବାରୁ ଉକ୍ତ ଇଟାଭାଟିରେ ଉଭୟେ ସ୍ବାମୀ ସ୍ତ୍ରୀ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ପୋଷଣ କରୁଥିଲେ।ଉଭୟ ଦମ୍ପତିଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାରିବାରିକ କଳହ ଲାଗି ରହୁଥିଲା। ଶନିବାର ସନ୍ଧ୍ୟା ସମୟରେ ଝିଅ ସହ ମାଆ ଫୋନ ଯୋଗେ କଥାବାର୍ତ୍ତା ହୋଇଥିବା ବେଳେ ରାତ୍ର ୧୦ ଘଣ୍ଟ ସମୟରେ ଜ୍ୱାଇଁ ରଞ୍ଜନ ଝିଅର ମୃତ୍ୟୁ ହୋଇଥିବା ଖବର ଦେଇଥିଲେ।ଝିଅର ମୃତ୍ୟୁ ହେବା ଖବର ଜାଣି ପରିବାର ଲୋକେ ଝିଅ-ଜ୍ବାଇଁ କାମ କରୁଥିବା ଇଟାଭାଟି ରେ ରବିବାର ସକାଳେ ପହଞ୍ଚିଥିଲେ।ତେବେ ମୃତ ଝିଅର ବେକରେ ଦାଗ ଚିହ୍ନ ଦେଖି ସ୍ବାମୀ ରଞ୍ଜନ ଦାସ ତଣ୍ଟି ଚିପି ମାରିଦେଇଥିବା ନେଇ ପରିବାର ଲୋକେ ପୋଲିସ କୁ ସୂଚନା ଦେଇଥିଲେ।ଖବର ପାଇ ପାଟପୁର ପୋଲିସ ପକ୍ଷରୁ ଏସ୍.ଆଇ ଟୁନା ପିଡ଼ିକା ଓ ଏସ୍.ଆଇ ମିଲନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପଠାଇଥିବା ଜଣାପଡିଛି।ତେବେ ଶବ ବ୍ୟବଛେଦ ରିପୋର୍ଟ ଅନୁଧ୍ୟାନ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।


