ଇଫକୋରେ ନୂତନ ପରିବହନ ସଂସ୍ଥାର ମନମାନୀ କାର୍ଯ୍ୟାକୁ ବିରୋଧ

ପାରାଦ୍ୱୀପ, (ପିତବାସ ପ୍ରଧାନ):ପାରାଦ୍ୱୀପ ସ୍ଥିତ ସାରକାରଖାନାର ପଣ୍ୟପରିବହନ ରେ ନିୟୋଜିତ ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘର ଡମ୍ଫର କୁ ନୂତନ ସଂସ୍ଥା କାର୍ଯ୍ୟାନ୍ତର କରିବା ପଛରେ ଏକ ଅପରାଧିକ ସିଣ୍ଡିକେଟ କାର୍ଯ୍ୟ କରୁଛି ବୋଲି ସଂଘ ଅଭିଯୋଗ କରିଛି । ସଂଘ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍ ବିଜ୍ଞପ୍ତିରେ ସଂଘର ସାଧାରଣ ସମ୍ପାଦକ ରତ୍ନାକର ଜେନା ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ସଂଘର ଡମ୍ଫର ଗୁଡିକ ଶୃଙ୍ଖଳିତ ଇଫକୋ ସାରକାରଖାନାର ନିୟମ କୁ ପାଳନ କରି କାର୍ଯ୍ୟ କରୁଅଛି । ସଂଘର ୬୬୧ ପରିବାର ଙ୍କୁ ନିଯୁକ୍ତି ଓ ବ୍ୟବସାୟରେ ଇଫକୋ କର୍ତ୍ତୃପକ୍ଷ ଦୀର୍ଘ ବର୍ଷ ହେବ ଅଗ୍ରାଧିକାର ଦେଉନାହାଁନ୍ତି । ପାରାଦ୍ୱୀପ ପରିବହନ ନାମକ ଏକ ସଂସ୍ଥା ଇଫକୋ କମ୍ପାନୀ ରୁ ରେଲ୍‌ୱେ ସାଇଡିଙ୍ଗ୍ ପର୍ଯ୍ୟନ୍ତ ସାର ପରିହବନ କରିବା ସହ ପାୱାର ପ୍ଳାଣ୍ଟ୍ ପାଇଁ ମଙ୍ଗୁଳି ରୁ କୋଇଲା ପରିବହନ ମଧ୍ୟ କରୁଛି । ଏହି କାର୍ଯ୍ୟଗୁଡିକରେ ଜମିହରା କୃଷକ ସଂଘ କେବେ ବି ପ୍ରତିବାଦ କରି ନାହିଁ । ଏବେ ଇଫକୋ ରୁ ଓଏସ୍‌ଏଲ୍ ଗୋଦାମ ଘରକୁ ହାଇୱା ଯୋଗେ ସାର ପରିବହନ କାର୍ଯ୍ୟ ପାରାଦ୍ୱୀପ ପରିବହନ ସଂସ୍ଥା କାର୍ଯ୍ୟାଦେଶ ପାଇଛି । ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘ ଇଫକୋ ରେ ହାଇୱା ଯୋଗେ ସମସ୍ତ କାର୍ଯ୍ୟ କରୁଥିଲେ ମଧ୍ୟ ପାରାଦ୍ୱୀପ ପରିବହନ କମ୍ପାନୀ କିଛି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଯୁବକ, ଶିଳ୍ପପତି ଓ ରାଜନେତାଙ୍କୁ ଅସ୍ତ୍ରକରି ଆମ ଜୀବନ ଜୀବିକା କୁ ଛଡାଇ ନେବାକୁ ଉଦ୍ୟମ କରୁଥିବା ଶ୍ରୀ ଜେନା ଅଭିଯୋଗ କରିଛନ୍ତି । ଯଦି ପାରାଦ୍ୱୀପ ପରିବହନ ସଂସ୍ଥା ଏ ହୀନ ଉଦ୍ୟମ ଜାରି ରଖେ ତେବେ ବାଧ୍ୟ ହୋଇ ସଂଘ ଗଣତାନ୍ତ୍ରିକ ଉପାୟରେ ବିରୋଧ କରିବ ବୋଲି ସଂଘ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀ ଜୋନ ଉଲ୍ଲେଖ କରିଛନ୍ତି । ତେବେ ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଇଫକୋ କର୍ତ୍ତୃପକ୍ଷ । ନିୟମ ଅନୁଯାୟୀ ଟେଣ୍ଡର ପ୍ରକ୍ରିୟାରେ ଟେଣ୍ଡର ପାଇଥିବା ସଂସ୍ଥା ପରିବହନ କ୍ଷେତ୍ରରେ ତାଙ୍କର ନିଷ୍ପତି ତାଙ୍କର ନିଜସ୍ୱ ବ୍ୟାପାର । ଏଥିରେ ଇଫକୋର କୌଣସି ଭୂମିକା ନାହିଁ ବୋଲି କର୍ତ୍ତୃପକ୍ଷ ଙ୍କ ଠାରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଇଫକୋରେ ଚାଲିବାକୁ ଥିବା ପରିବହନକୁ ବିରୋଧ କରିବା ପାଇଁ ସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ ଓ ରଣକୌଶଳ ଜାରି ରହିଛି । ତେବେ ଆସନ୍ନ ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୋଲିସ ଘଟଣା ଉପରେ ସତର୍କ ଦୃଷ୍ଟି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ