ଇସ୍ରୋ ବୈଜ୍ଞାନିକମାନଙ୍କ ସମ୍ମାନରେ “ଚନ୍ଦ୍ରଯାନ ଆନ୍ଥେମ୍’
ମୁମ୍ବାଇ: ଚନ୍ଦ୍ରଯାନ୨ର ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ଛିନ୍ନ ହେବା ପରେ ସାରା ଦେଶ ଇସ୍ରୋ ବୈଜ୍ଞାନିକମାନଙ୍କୁ ସମର୍ଥନ କରୁଛି । ସେମାନଙ୍କ ପ୍ରୟାସକୁ ସମସ୍ତେ ଉତ୍ସାହିତ କରୁଛନ୍ତି । ଏବେ ବୈଜ୍ଞାନିକମାନଙ୍କ ସମ୍ମାନରେ ଏକ ଗୀତ ମଧ୍ୟ ଆସିଛି । ଏହି ଗୀତ ଚନ୍ଦ୍ରଯାନ୨ରେ ସାମିଲ ଥିବା ସମସ୍ତ ବୈଜ୍ଞାନିକଙ୍କୁ ଉତ୍ସର୍ଗ କରାଯାଇଛି । ତେବେ ଗୀତଟିର ନାଁ ହେଉଛି “ତିରଙ୍ଗା ଲେହରାଏଙ୍ଗେ’ । ଏହି ଗୀତଟିକୁ ଚନ୍ଦ୍ରଯାନ ଆନ୍ଥେମ୍ ବୋଲି କୁହାଯାଉଛି, ଯାହାକୁ ଶ୍ରୀକାନ୍ତସ୍ ସୁର୍ଫିରା ବ୍ୟାଣ୍ଡ୍ ତିଆରି କରିଛି । ଗୀତର ଲିରିକ୍ସ ବେଶ୍ ପ୍ରଭାବଶାଳୀ ହୋଇଛି । ଏହି ଗୀତରେ ଲୋକପ୍ରିୟ ବଲିଉଡ୍ ଗାୟକ କୈଳାସ ଖେର୍ଙ୍କର ମଧ୍ୟ ଏକ ଝଲକ୍ ଦେଖିବାକୁ ମିଳିଛି । ଦେଶଭକ୍ତିଭରା ଏହି ଗୀତଟିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । କେବଳ ଏହି ଗୀତ ନୁହେଁ ଇସ୍ରୋର ଚନ୍ଦ୍ରଯାନ ୨ ମିଶନ ଉପରେ ୟୁଟ୍ୟୁବ୍ରେ ଆହୁରି ଅନେକ ଗୀତ ଶୁଣିବାକୁ ମିଳିଛି । ଭୋଜପୁରୀରେ ମଧ୍ୟ କିଛି ଗୀତରେ ଚନ୍ଦ୍ରଯାନ୨ ମିଶନ ଓ ଇସ୍ରୋର ପ୍ରଶଂସା କରାଯାଇଛି ।


