ଉତ୍କଳୀୟ ସଂସ୍କୃତିରେ ମହାବିଷୁବ ସଂକ୍ରାନ୍ତି ଓ ମହାବୀର ଜୟନ୍ତୀ
ଶାନ୍ତିପ୍ରଭା ନାୟକ
ଉତ୍କଳର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ହେଉଛନ୍ତି ଅନନ୍ତକୋଟି ବ୍ରହ୍ମାଣ୍ଡର ନାୟକ କୋଟି କୈବଲ୍ୟନାଥ, ଯାହାର ମହିମା ଅବର୍ଣ୍ଣନନୀୟ ଓ ଅପରମ୍ପାର । ପ୍ରତ୍ୟେକ ଉତ୍କଳୀୟର ପ୍ରାଣରେ ମହାପ୍ରଭୁଙ୍କର ଦିବ୍ୟଚେତନାର ଅମୃତ ଧାରର ସମାବେଶ ପରିଲକ୍ଷିତ ହୁଏ । ମହାପ୍ରଭୁ ଜଗନ୍ନାଥଙ୍କୁ କେନ୍ଦ୍ରକରି ଏହି ନୀଳାଚଳ ଧାମରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଏହି ପର୍ବପର୍ବାଣୀଗୁଡ଼ିକ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତ୍ତିଭୂମିକୁ ସୁଦୃଢ଼ କରିଥାଆନ୍ତି । ବର୍ଷକ ବାରମାସ ବର୍ଷର ପ୍ରଥମ ମାସ ବୈଶାଖଠାରୁ ଆରମ୍ଭ କରି ଚୈତ୍ର ପର୍ଯ୍ୟନ୍ତ । ସନାତନ ଧର୍ମର ପରମ୍ପରା ଅନୁସାରେ ମାସର ଶେଷ ଦିନକୁ ମାସର ଶେଷ ବା ମାସାନ୍ତ କୁହାଯାଏ । ପ୍ରତ୍ୟେକ ମାସର ପ୍ରଥମ ଦିନକୁ ସଂକ୍ରାନ୍ତି ବୋଲି କହୁ । ଏହି ଦୃଷ୍ଟିରୁ ପ୍ରଥମ ରାଶି ହିଁ ମେଷ ରାଶି ଅଟେ । ଏହିପରି ବାର ରାଶି ଅନୁସାରେ ବାର ମାସର ସୃଷ୍ଟି ହୋଇଛି ଓ ସଂକ୍ରାନ୍ତିର ନାମକରଣ କରାଯାଇଛି । ବୈଶାଖ ମାସର ସଂକ୍ରାନ୍ତିକୁ ଆମେ ଅନେକ ନାମରେ ପାଳନ କରିଥାଉ । ଯେପରିକି ମହାବିଷୁବ ସଂକ୍ରାନ୍ତି, ପଣାସଂକ୍ରାନ୍ତି, ଜଳ ସଂକ୍ରାନ୍ତି, ମହାବୀର (ହନୁମାନ) ଜୟନ୍ତୀ, ଓଡ଼ିଆ ନୂତନ ବର୍ଷ ଆରମ୍ଭ ଓ ଝାମୁଯାତ୍ରା । ମହାବିଷୁବ ସଂକ୍ରାନ୍ତି ଅବସରରେ ରବି (ସୂର୍ଯ୍ୟ) ଏହି ଦିନଠାରୁ ଏକ ମାସ ପର୍ଯ୍ୟନ୍ତ ମେଷ ରାଶିରେ ଅବସ୍ଥାନ କଲାପରେ ଯେଉଁଦିନ ଅନ୍ୟ ରାଶିକୁ ଗମନ ବା ସଂକ୍ରମଣ କରିଥାନ୍ତି ତାକୁ ମାସର ପ୍ରଥମ ଦିନ ଅବା ସଂକ୍ରାନ୍ତି ବୋଲି କୁହାଯାଏ । ବିଷୁବରେଖା ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରିଛି । ଗୋଟିଏ ଉତ୍ତର ଗୋଲାର୍ଦ୍ଧ ଓ ଅନ୍ୟଟି ଦକ୍ଷିଣ ଗୋଲାର୍ଦ୍ଧ । ଆମ ଦେଶ ଭାରତ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ କରୁଥିବାରୁ ସୂର୍ଯ୍ୟକିରଣ ପ୍ରଖର ହୁଏ । ଯେତେବେଳେ ମହାବିଷୁବ ବିନ୍ଦୁ ଉପରେ ସୂର୍ଯ୍ୟ କେନ୍ଦ୍ରବିନ୍ଦୁକୁ ସ୍ପର୍ଶ କରେ ସେତେବେଳେ ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ହୁଏ । ଏହି ଦିବସରେ ସାଗର ସ୍ନାନ, ଜଳଦାନ, ପଣାଦାନ, ବ୍ରାହ୍ମଣପୂଜା, ଦେବରାଧନା, ପିତୃ ତର୍ପଣ, ଯାନିଯାତ୍ରା, ଦଣ୍ଡନୃତ୍ୟ, ତଡ଼କ ପୂଜା, ପାଟୁଆଯାତ୍ରା, ଦେବଦର୍ଶନ ଆଦି କରାଯାଏ । ଏହା ବ୍ୟତୀତ ସୂର୍ଯ୍ୟଙ୍କୁ ଭକ୍ଷଣ କରିବାକୁ ଯାଇ ପରମ ଭକ୍ତ ହୋଇପାରିଥିବା ମହାବୀର ଅଥବା ବୀର ହନୁମାନଙ୍କ ଜୟନ୍ତୀ ଉପଲକ୍ଷେ ବୀର ହନୁମାନଙ୍କ ପୂଜା ଉପାସନା କରି ଶୁଭଫଳ ଲାଭ କରାଯାଏ । ଶ୍ରୀକ୍ଷେତ୍ରରେ ମହାବିଷୁବ ସଂକ୍ରାନ୍ତିକୁ ପଣାସଂକ୍ରାନ୍ତି ବୋଲି କୁହାଯାଏ । ଓଡ଼ିଶାର ଘରେଘରେ ଏହି ଦିବସ ଅତ୍ୟନ୍ତ ସାତ୍ତ୍ୱିକତାର ସହିତ ପାଳିତ ହୁଏ । ଦେବାଦେବୀଙ୍କ ପାଖରେ ପୂଜାପାଠ କରାଯିବା ସହ ହୋମାର୍ଚ୍ଚନା ମଧ୍ୟ କରାଯାଏ । ଏହି ଦିନ ସୂର୍ଯ୍ୟ କର୍କଟ କ୍ରାନ୍ତିକୁ ଗମନ କରି ଉତ୍ତରାୟଣ ହେଉଥିବାରୁ ସୂର୍ଯ୍ୟକିରଣ ପ୍ରଖର ହୁଏ ଓ ମନୁଷ୍ୟର ହଜମ ଶକ୍ତି ବୃଦ୍ଧି ପାଏ । ଗରିଷ୍ଠ ଖାଦ୍ୟ ସହଜରେ ହଜମ ହେଉଥିବାରୁ ଏହି ସମୟରେ ବୁଟ ଛତୁ ଖିଆଯାଏ ଓ ସୂର୍ଯ୍ୟଙ୍କ ପ୍ରବଳ ଉତ୍ତାପରୁ ରକ୍ଷା ପାଇବା ପାଇଁ ପଣା ପିଆଯାଇଥାଏ । ସବୁ ମନ୍ଦିର ଓ ଘରେ ଛତୁ ଓ ପଣାଭୋଗର ବ୍ୟବସ୍ଥା ହେଉଥିବାରୁ ଏହାକୁ ପଣାସଂକ୍ରାନ୍ତି ବୋଲି କୁହାଯାଏ । ସୂର୍ଯ୍ୟଙ୍କ କିରଣ ପ୍ରଖର ହେଉଥିବାରୁ ଜଳର ଅଭାବ ଦେଖାଯାଏ । ତେଣୁ ଏହି ସମୟରେ ଜଳଦାନକୁ ମହାପୁଣ୍ୟ ବୋଲି ବିଚାର କରାଯାଏ । ପ୍ରତ୍ୟେକ ଘରେ ପୂଜାପାଉଥିବା ମା\’ ବୃନ୍ଦାବତୀ ଅର୍ଥାତ୍ ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରାଯାଇ ତୁଳସୀ ବୃକ୍ଷକୁ ଛାୟା ପ୍ରଦାନ କରିବା ସହ ତଳେ ଏକ ବସୁନ୍ଧରା ଠେକି ବନ୍ଧାଯାଇ ସେଥିରେ ଛିଦ୍ରଟିଏ କରି ଜଳ ଦିଆଯାଏ । ଫଳରେ ଠେକି ତଳେ ଥିବା ଛିଦ୍ରଦେଇ ଏକ ସୂକ୍ଷ୍ମ ଜଳଧାରା ତୁଳସୀ ବୃକ୍ଷ ଉପରେ ପଡ଼ିଥାଏ । ତେଣୁ ପଣାସଂକ୍ରାନ୍ତିକୁ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ପ୍ରତ୍ୟେକ ମାସ କେଉଁ ନା କେଉଁ ଦେବଦେବୀଙ୍କର ପୂଜା ଓ ଯାନିଯାତ୍ରା ପାଇଁ ବିଖ୍ୟାତ । କିନ୍ତୁ ବୈଶାଖ ମାସର ପଣା ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ରୂପେ ପୂଜାପାଠ ବ୍ୟତୀତ ଓଡ଼ିଆମାନଙ୍କର ପାଞ୍ଜିର ଗଣନା ଅନୁସାରେ ଏହା ନୂତନ ବର୍ଷ ଆରମ୍ଭର ପ୍ରଥମ ଦିନ ଅଟେ । ତେଣୁ ଏହାକୁ ଓଡ଼ିଆ ନୂଆବର୍ଷ ରୂପେ ପାଳନ କରାଯାଏ । ଓଡ଼ିଶା ବ୍ୟତୀତ ପଞ୍ଜାବରେ ମହାବିଷୁବ ସଂକ୍ରାନ୍ତି ବର୍ଷର ଆରମ୍ଭ ତଥା ବୈଶାଖୀ ନାମରେ ପାଳିତ ହୁଏ । ବୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ଏହି ଦିନଠାରୁ ସେମାନଙ୍କର ନୂଆ ବର୍ଷ ଆରମ୍ଭ କରନ୍ତି । ଏହିଦିନ ପବନପୁତ୍ର, ଶ୍ରୀରାମଭକ୍ତ ବୀର ହନୁମାନ ଜନ୍ମଗ୍ରହଣ କରିଥିବାରୁ ତାଙ୍କର ଜନ୍ମଦିନ ମହାବୀର ଜୟନ୍ତୀ ରୂପରେ ସାରା ଭାରତରେ ପାଳନ କରାଯାଏ । ପ୍ରାତଃରୁ ଯୁବକ ଓ ଗୃହସ୍ଥମାନେ ସ୍ନାନ ସାରି ଶୁଦ୍ଧପୂତ ଭାବରେ ଆଖଡ଼ାମାନଙ୍କୁ ଯାଇ ମହାବୀରଙ୍କୁ ବେଶ କରାଇ ମହାବୀର ଝଣ୍ଡାଗାଡ଼ି ପୂଜାପାଠ ପରେ କୁସ୍ତିବିଦ୍ୟା ସାଧନ କରି ମଲ୍ଲ ହେବାର ପ୍ରଚେଷ୍ଟା କରନ୍ତି । କେତେକ ଜାଗାରେ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଥାଏ । ଶ୍ରୀକ୍ଷେତ୍ରର ଚତୁଃପାଶ୍ୱର୍ରେ ଥିବା ମହାବୀର ମନ୍ଦିରମାନଙ୍କରେ ମହାବୀରଙ୍କ ବେଶ ନାଗି ସହ ଭୋଗ ଓ ପଣା ଇତ୍ୟାଦି ମଣୋହି କରାଯାଏ । ପ୍ରଭାତରୁ ନାଗାବାଜା, ଘଣ୍ଟା, ଘଣ୍ଟି, ହରିବୋଲ ଓ ହୁଳହୁଳି ଶବ୍ଦରେ ଶ୍ରୀକ୍ଷେତ୍ର ମୁଖରିତ ହୋଇଉଠେ । ଶ୍ରୀମନ୍ଦିର ଦକ୍ଷିଣଦ୍ୱାରରେ ଥିବା ଖର୍ପର ମହାବୀର ନାଗାବେଶ ହୋଇ ଖୁବ୍ ଆକର୍ଷଣୀୟ ଦେଖାଯାଆନ୍ତି । ତା\’ ସାଙ୍ଗକୁ ସିଂହଦ୍ୱାରରେ ଥିବା ତପସ୍ୱୀ ହନୁମାନ ସୁନ୍ଦର ବେଶରେ ସଜ୍ଜିତ ହୋଇଥାନ୍ତି । ଏହାଛଡ଼ା ବିଭିନ୍ନ ଗ୍ରାମାଞ୍ଚଳ ଏବଂ ସହରରେ ଥିବା ସିଦ୍ଧିମହାବୀର, ଦରିଆ ମହାବୀର ଇତ୍ୟାଦିଙ୍କୁ ନାନା ରୂପେ ସାଜସଜ୍ଜା କରି ପୂଜା ଆଦିର ବ୍ୟବସ୍ଥା କରାଯାଇଥାଏ । ଏହି ମହାବିଷୁବ ପଣା ସଂକ୍ରାନ୍ତି ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ପାଳନ କରାଯାଏ । ଝାମୁଯାତ୍ରା ମହାବିଷୁବ ପଣା ସଂକ୍ରାନ୍ତି ଦିନର ଏକ ଆକର୍ଷଣୀୟ ଯାତ୍ରା କହିଲେ ଅତ୍ୟୁକ୍ତି ହେବନାହିଁ । ବିଷୁବ ସଂକ୍ରାନ୍ତିର ଏକ ମାସ ପୂର୍ବରୁ ଏହି ବ୍ରତର ଆରମ୍ଭ ହୋଇଥାଏ । ଅଞ୍ଚଳ ବିଶେଷରେ ଏହି ବ୍ରତରେ ଶିବ ପାର୍ବତୀ ଅଥବା ମା\’ ମଙ୍ଗଳାଙ୍କୁ ପୂଜା କରାଯାଏ । ପଣା ସଂକ୍ରାନ୍ତିରେ ଏହି ବ୍ରତକୁ ଉଦ୍ଯାପନ କରାଯାଏ । ଉଦ୍ଯାପନ ଦିନ ବ୍ରତଧାରୀମାନେ କଣ୍ଟା ବା ଜଳନ୍ତା ଅଗ୍ନି ଉପରେ ଚାଲନ୍ତି । ସାଧାରଣତଃ ଶାରୀରିକ ସୁସ୍ଥତା କାମନା କରି ଏହି ବ୍ରତ ପାଳନ କରାଯାଏ । କାକଟପୁରର ପ୍ରସିଦ୍ଧ ପିଠେଶ୍ୱରୀ ମା\’ ମଙ୍ଗଳାଙ୍କ ନିକଟରେ ଝାମୁଯାତ୍ରା ହୋଇଥାଏ । ଏହାକୁ ପାଟୁଆଯାତ୍ରା ବୋଲି କୁହାଯାଏ । ଉତ୍ତର ଓଡ଼ିଶାରେ ଏହି ଯାତ୍ରାକୁ ଚଡ଼କ ପର୍ବ ବୋଲି କୁହାଯାଏ ଏବଂ ଦକ୍ଷିଣ ଓଡ଼ିଶାରେ ଏହାକୁ ମେରୁଯାତ୍ରା କୁହାଯାଏ । କେନ୍ଦୁଝର ଓ ମୟୂରଭଞ୍ଜର ଆଦିବାସୀ ଏହାକୁ ଉଡ଼ାଯାତ୍ରା ମଧ୍ୟ କହିଥାନ୍ତି । ଏହିପରି ଭାବରେ ମହାବିଷୁବ ପଣାସଂକ୍ରାନ୍ତିକୁ ଆମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ ରୂପାୟିତ କରି ଖୁବ୍ ଜାକଜମକରେ ପାଳନ କରାଯାଏ । ପର୍ବପର୍ବାଣୀ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭିନ୍ନତା ମଧ୍ୟରେ ଏକତାର ମହାମନ୍ତ୍ରରେ ସଭିଙ୍କୁ ବାନ୍ଧିରଖେ । ସମାଜରେ ସାଂସ୍କୃତିକ ପରମ୍ପରାର ପୁନରୁଦ୍ଧାର ସହିତ ଏହା ମୈତ୍ରୀ, ପ୍ରୀତି, ସହୃଦୟତା, ଭାଇଚାରା ଏବଂ ଆଧ୍ୟାତ୍ମିକ ଚେତନାର ପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ ପ୍ରଦୂଷିତ ପରିବେଶ ଓ ମହାମାରୀ କରୋନାର ଭୟାବହ ଆତଙ୍କରେ ସାରା ବିଶ୍ୱ ଆଜି ଆତଙ୍କିତ । ସାମାଜିକ କଟକଣା ମଧ୍ୟରେ ପର୍ବପର୍ବାଣୀ ପାଳନ କରିବା କଷ୍ଟକର ହୋଇପଡ଼ିଲାଣି । ଆମେ କର୍ମମୟ ଜୀବନର ଦୁଃଖ ଜଞ୍ଜାଳ ପର୍ବପର୍ବାଣୀ ମାଧ୍ୟମରେ ଲାଘବ କରିବା କଥା ଭୁଲିଯିବାକୁ ବସିଲୁଣି । ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ ମହାମାରୀ କରୋନା ମହାକାଳ ସର୍ପ ରୂପେ ଉଦ୍ଗୀରଣ କରିଚାଲିଛି ମହାମାରୀ ସଂକ୍ରମଣର ହଳାହଳ ବିଷ । ସାରା ବିଶ୍ୱରେ ଗଗନପବନ ଆଜି ପ୍ରକମ୍ପିତ । ପ୍ରତିରୋଧକ ସଦୃଶ ଭେକ୍ସିନ୍ ନେଲାପରେ ମଧ୍ୟ କରୋନାର ଆତଙ୍କ ଦିନକୁ ଦିନ ବଢ଼ିଚାଲିଛି । ଏହିପରି ପରିସ୍ଥିତିରେ ସାଂସ୍କୃତିକ ପରମ୍ପରା ଓ ପର୍ବପର୍ବାଣୀ ସତେ କ\’ଣ ସ୍ମୃତିର ଗନ୍ତାଘରେ, ସ୍ମୃତି ଫରୁଆରେ ଶାମୁକା ଗର୍ଭରେ ଲୁଚିଯିବ?
ବାଙ୍ଗାଲୋର
ମୋ : ୮୦୭୩୪୦୨୬୦୪


