ଉତ୍କଳ ଗୌରବ ମଧୁବାବୁଙ୍କ ୮୭ତମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସମ୍ମାନ ପାଇଲେ ଓଡ଼ିଆ ଭାଷା, ସଂସ୍କୃତି ପ୍ରାଣ ଲେଲିନ୍ ମହାନ୍ତି ଓ ନଳିନୀ କୁମାର ସ୍ୱାଇଁ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ୟୁନିଟ୍ -୮ ସ୍ଥିତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୮୭ତମ ଶ୍ରାଦ୍ଧ ଦିବସ ତାଙ୍କ ପ୍ରତିମୂର୍ତି ସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ, ଚିନ୍ତକ ତଥା ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀ ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ ଓଡ଼ିଆ ଭାଷା ଆନ୍ଦୋଳନର ମଧୁବାବୁ ଥିଲେ ମୁଖ୍ୟ ପୁରୋଧା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍ ତଥା ପ୍ରଥମ ବିହାର-ଓଡ଼ିଶା ବିଧାନସଭାର ସଦସ୍ୟ ଓ ପ୍ରଥମ ମନ୍ତ୍ରୀ । ତାଙ୍କର ଆପ୍ରାଣ ପ୍ରଚେଷ୍ଟା ଫଳରେ ଓଡ଼ିଶା ଭାଷାଭିତିକ ରାଜ୍ୟଭାବେ ପ୍ରତିଷ୍ଠା ଲାଭ କରିବା ସହିତ ଓଡ଼ିଶାର ବିଚ୍ଛିନ୍ନାଂଚଳକୁ ଏକତ୍ରିକରଣ, ଓଡ଼ିଆ ଭାଷାର ସୁରକ୍ଷା, ସମ୍ମାନ ତଥା ବିଶିଷ୍ଟ ଅଧିବକ୍ତା ଭାବରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ସବୁଦିନ ପାଇଁ ଚିରସ୍ମରଣ ହୋଇ ରହିବ । ଚମଡ଼ା ଶିଳ୍ପର ବିକାଶ ପାଇଁ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା କରିବା ତାଙ୍କର ଏକ ବିଶିଷ୍ଟ କୃତିତ୍ୱ । ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟପ୍ରାଣ ଲେଲିନ୍ ମହାନ୍ତିଙ୍କୁ ମଧୁବାବୁ ସ୍ମୃତି ସମ୍ମାନ ଓ ବିଶିଷ୍ଟ ସଂକୀର୍ତନ ବ୍ୟକ୍ତିତ୍ୱ ତଥା ପୂଜ୍ୟପୂଜା ପ୍ରାଣ, ଲକ୍ଷେଶ୍ୱର ମହାଦେବ ଆଂଚଳିକ ସଂକୀର୍ତନ ମଣ୍ଡଳୀର ମୁଖ୍ୟ ନଳିନୀ କୁମାର ସ୍ୱାଇଁଙ୍କୁ ମଧୁବାବୁଙ୍କ ସ୍ମୃତିରେ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଉକ୍ତ ସ୍ମୃତିଚାରଣ ସଭାରେ ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ବରିଷ୍ଠ ଅଧିକାରୀ ନିରଂଜନ ସେଠୀ, ପୂଜ୍ୟପୂଜା ପ୍ରାଣ ପର୍ଶୁରାମ ଦ୍ୱିବେଦୀ, ସୁରେନ୍ଦ୍ର ନାଥ ଛୋଟ୍ଟରାୟ, ଲକ୍ଷ୍ମୀଧର ବେହେରା, ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ମଧୁବାବୁଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଏହି ସ୍ମୃତିଚାରଣ ସଭାରେ ଅଭିଯାନର ଯୁଗ୍ମ ସଂଯୋଜକ ନାରାୟଣ ଓଝା ଓ ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସହିତ ସମିତା ମହାରଣା, ବ୍ରଜବନ୍ଧୁ ପରିଡ଼ା, ନାରାୟଣ ଖୁଂଟିଆ, ବି. ମୂରଲୀଧର, ଲକ୍ଷ୍ମଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


