ଋଷିକୂଲ୍ୟା ରୟତ ମହାସଂଘ ସଭାପତିଙ୍କ ବିୟୋଗ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଚାଷୀ ସଂଗଠନ ଋଷିକୂଲ୍ୟା ରୟତ ମହାସଂଘ ସଭାପତି ତ୍ରିନାଥ ବିଶ୍ୱାଳଙ୍କ ବୁଧବାର ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି । ସେ ଗତ କିଛି ଦିନ ପୂର୍ବରୁ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରୁ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ବୁଧବାର ତାଙ୍କରି ବିୟୋଗ ପରେ ମର ଶରୀରକୁ ପେତୃକ ଗ୍ରାମ ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁକୁ ଅଣାଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ପରେ ମର ଶରୀରକୁ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା । ସଂପୃକ୍ତ ପଂଚାୟତର ସରପଂଚ ସଙ୍ଗୀତା ସାହୁ, ସମିତିସଭ୍ୟା ରଞ୍ଜିତା ସାବତ, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ ପ୍ରମୁଖ ସ୍ୱର୍ଗତ ବିଶ୍ୱାଳଙ୍କ ବାସଭବନରେ ପଂହଚି ଶୋକସନ୍ତପ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ । ସ୍ୱର୍ଗତ ବିଶ୍ୱାଳ ସ୍ଥାନୀୟ ବ୍ଳକର ଜଣେ ଆଗ ଧାଡ଼ିର ଚାଷୀ ନେତା ଏବଂ ସେ ଜଣେ ମିଷ୍ଠାଭାଷୀ ଓ ପରୋପକାରୀ ଭାବେ ବେଶ ଜଣାଶୁଣା ଥିଲେ । ତାଙ୍କରି ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।


