ଏମ.ଆଇଙ୍କୁ ଘେରିଲେ ଗ୍ରାମବାସୀ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତରେ ଶୁକ୍ରବାର ପିଡିଏସ ବଣ୍ଟନ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘେରାଉ କରି ରଖିଥିଲେ । ଖବରରୁ ଜଣାଯାଇଛି ଯେ ପୁର୍ବରୁ ଉକ୍ତ ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନରେ ନାନା ସମସ୍ୟା ଦେଖାଦେଇଥିବାବେଳେ କାନପୁର ଓ ମରଚାଇପଦାର ଅନେକ ଗ୍ରାମବାସୀ ଦୀର୍ଘ ମାସ ହେବ ପିଡିଏସ ସାମଗ୍ରୀ ପାଇପାରୁ ନାହାନ୍ତି । ପଞ୍ଚାୟତ କର୍ତ୍ତୁପକ୍ଷ ପିଡିଏସ ବଣ୍ଟନ ବେଳେ ପ୍ରଥମେ ଅନ୍ୟ ଗାଁ ହିତାଧିକାରୀ ମାନଙ୍କୁ ଚାଉଳ ଗହମ ଓ କିରୋସିନି ବଣ୍ଟନ କରୁଥିବା ବେଳେ କାନପୁର ଗାଁ ଲୋକଙ୍କୁ ଶେଷକୁ ଦେବାକୁ କହିଥାନ୍ତି । କିନ୍ତୁ ଶେଷ ବେଳକୁ ସାମଗ୍ରୀର ଅଭାବ ଦେଖାଦେବାରୁ ଆରମାସକୁ ନେବ ବୋଲି କହି ସମୟ ଗଡାଇ ଚାଲିଥାନ୍ତି । ଫଳରେ ଅନେକ ପରିବାର ପିଡିଏସ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇ ରହି ଆସୁଥିଲେ । ଏଠାରେ ପଞ୍ଚାୟତ କର୍ତ୍ତୁପକ୍ଷ ପିଡିଏସ ବଣ୍ଟନ କରୁଥିବାବେଳେ ପଞ୍ଚାୟତରେ ୧୧ଜଣ ୱାଡସଭ୍ୟଙ୍କ ସମେତ କିଛି ଗ୍ରାମବାସୀ ୧୨ଦିନ ହେଲା ଧାରଣାରେ ବସିଛନ୍ତି । ଫଳରେ ଅଘଟଣ ଆଶଙ୍କାରେ ପଞ୍ଚାୟତ କର୍ତ୍ତୁପକ୍ଷଙ୍କ ବଦଳରେ ଆଜି ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ଚାଉଳ ଦେବାକୁ ଉକ୍ତ ପଞ୍ଚାୟତରେ ପହଞ୍ଚିବାପରେ କାନପୁର ଗ୍ରାମର ହିତାଧିକାରୀ ମାନେ ପ୍ରଥମେ ସେମାନଙ୍କୁ ଚାଉଳ ଦେବାକୁ ଦାବି କରିଥିଲେ । କିନ୍ତୁ ଆଧାରଲିଙ୍କ ନଥିବା ହିତାଧିକାରୀଙ୍କୁ ଚାଉଳ ଦିଆଯିବ ନାହିଁଁ ଓ ବକେୟା ନୁହଁ କେବଳ ନଗଦ ତିନିମାସର ଚାଉଳ ଦିଆଯିବ ବୋଲି ଯୋଗାଣ ଅଧିକାରୀ କହିବାରୁ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକମାନେ ଏହାର ଦୃଢ଼ ବିରୋଧ କରିବାରୁ ଯୋଗାଣ ଅôଦକାରୀ ସୋସୋ ପୁଲିସକୁ ସୁଚନା ଦେଇଥିଲେ । ପୁଲିସ ପହଞ୍ଚି ବାପରେ ମଧ୍ୟ ଲୋକମାନେ ଯୋଗାଣ ଅଧିକାରୀଙ୍କୁ ବାହାରକୁ ଛାଡି ନଥିଲେ । ଫଳରେ ଦିନ ୧୦ଟାଠାରୁ ୪ଟାପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଘେରାଉକରି ରଖିଥିଲେ । ପରେ ସରପଞ୍ଚ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେବାପରେ ଆସନ୍ତାକାଲି ଠାରୁ ଚାଉଳ ଦିଆଯିବାର ନିଷ୍ପତି ହେବାପରେ ଯାଇ ହିତାଧିକାରୀ ମାନେ ଯୋଗାଣ ଅଧିକାରୀଙ୍କୁ ଛାଡିଛନ୍ତି ।


