ଖଣି ନିଗମ ବହନ କରିବାକୁ ଦାବି

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଦ୍ୟାଧରପୁର ଠାରେ ଥିବା ଭାରତୀୟ ବିଦ୍ୟାନିକେତନ ଇଂରାଜି ମିଡିୟମ ସ୍କୁଲଟି ଏବେ ନାନା ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏକଦା ଜିଲ୍ଲାର ଏକ ପ୍ରମୁଖ ସ୍କୁଲ ଭାବେ ପରିଚିତ ଥିବା ଏହି ବିଦ୍ୟାଳୟଟି ଫେକର କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା । ହାଟଡିହି ବ୍ଲକର ସୋସୋ, ବାଲିବରେଇ, ବାଙ୍ଗୋର, ହଦଗଡ, ପଢ଼ିଆରିପଲ୍ଲୀ ଅଞ୍ଚଳର ବହୁ ମେଧାବୀ ଛାତ୍ରଛାତ୍ରୀଙ୍କ ସହ କମ୍ପାନୀ କର୍ମଚାରୀଙ୍କପୁଅ ଝିଅମାନେ ଏଠାରେ ଶିକ୍ଷାଲାଭ କରୁଥିଲେ । ୨୦୦୪ରୁ ବଉଳା ଫେକର ଖଣି ବନ୍ଦ ହୋଇଯିବା ପରେ ଏହାର ସମସ୍ତ ଦାୟିତ୍ୱ ନୁଆସାହି ଇମ୍ଫା ଖଣି କର୍ତ୍ତୁପକ୍ଷ ବହନ କରି ଆସୁଥିଲେ । ମାତ୍ର ନୁଆସାହି ଇମ୍ଫା ଖଣି ବନ୍ଦ ହୋଇଯିବାପରେ ୨୦୧୮ରୁ ସେ ସ୍କୁଲ ପରିଚାଳନା ଦାୟିତ୍ୱରୁ ଓହରିଯିବାପରେ ଏଠାରେ ପଢ଼ୁଥିବା ଶହଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଥିଲା । ଫଳରେ ସ୍ଥାନୀୟ କିଛି ଭଦ୍ରବ୍ୟକ୍ତି ଏକ ପରିଚାଳନା କମିଟି ଗଠନ କରି ଏହାର ଦାୟିତ୍ୱ ବୁଝୁଛନ୍ତି । ଏବେ ଏହି ବିଦ୍ୟାଳୟରେ ୧୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୧୧ଜଣ ଶିକ୍ଷକ ଓ ୨ଜଣ କର୍ମଚାରୀ ଶିକ୍ଷାଦାନର ବ୍ୟବସ୍ଥା ବୁଝୁଛନ୍ତି । ମାତ୍ର ଆର୍ଥିକ ସଙ୍କଟ ଯେଗୁଁ ବିଦ୍ୟାଳୟ ପରିଚାଳନାରେ ନାନା ସମସ୍ୟା ସୃଷ୍ଟି ହେଉଛି । ୩୦କିଲୋମିଟର ଦୁରତା ମଧ୍ୟରେ ଅନ୍ୟ କୌଣସି ଇଂରାଜି ମିଡିୟମ ସ୍କୁଲ ନଥିବାରୁ ଏହି ବିଦ୍ୟାଳୟଟି ସବୁ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବାରୁ ବିଦ୍ୟାଳୟର ସମସ୍ତ ଦାୟିତ୍ୱ ନିକଟରେ ଚାଲୁଥିବା ଓଏମସି ଖଣି ନିଗମ ଏହାର ପରିଚାଳନାର ସମସ୍ତ ଦାୟିତ୍ୱ ବହନ କରିବାକୁ ପରିଚାଳନା କମିଟି ସଭାପତି ଗୋପାଳ ପଟ୍ଟନାୟକ, ସମ୍ପାଦକ ରମାକାନ୍ତ ସାହୁ, ନରୋର୍ତ୍ତମ ସତପଥି, ସଞ୍ଜୟ ସାହୁ, ମୁନୁ ପେଡା, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ସରପଞ୍ଚ ପ୍ରତିଭା ନାୟକ, ତ୍ରିଲୋଚନ ପହି,ଅଜୟ ଘଡେଇ, ଶତୃଘ୍ନ ପାତ୍ର, କୃଷ୍ଣଚନ୍ଦ୍ର ପରିଡାଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି । ଏନେଇ ସେମାନେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଓଏମସି ଖଣି କର୍ତ୍ତୁପକ୍ଷ ତୁରନ୍ତ ବିଦ୍ୟାଳୟର ପରିଚାଳନା ହାତକୁ ନେବାକୁ ଦାବି କରିଛନ୍ତି । ଆନନ୍ଦପୁର ବିଧାୟକ ଏନେଇ ବାଙ୍ଗୁର ଖଣି କତ୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଓ ଓଏମସିର ଉଚ୍ଚ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ