ମିଳୁନି ସାର, ସାର ବିକ୍ରୟ କେନ୍ଦ୍ର ଓ ସମବାୟ ସମିତି ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ହାଟଡିହି (ଓ୍ବାଇଏନଏସ): ଚାଲି ଯାଇଛି ଲଗାଣ ବର୍ଷା ଓ ବନ୍ୟା। ଏବେ ଚାଷୀମାନେ ଚାଷ କାମକୁ ଆଗେଇ ନେବାର ସମୟ। କିନ୍ତୁ ଏବେ ମିଳୁନି ସାରସଙ୍କଟ ଚାଷୀ ମାନଙ୍କୁ ଚିନ୍ତାରେ ପକାଇଛି । ସମବାୟ ସମିତି ରେ ସାର ନଥିବା ବେଳେ ବଜାର ମାନଙ୍କରେ ଚଢା ଦରରେ ସାର ବିକ୍ରୟ ହେଉଥିବାରୁ ସାରକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ନେଇ ଆଜି ଅନେକ ଚାଷୀ ବଡରମ୍ପାସ ସମବାୟ ସମିତିରେ ପହଞ୍ଚି ପ୍ରତିବାଦ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ଏବେ ତଳି ପକାଇବା ଓ ରୁଆ ପୋତା ବେଳେ ଡ଼ିଏପି, ଗ୍ରୋମର ଭଳି ସାରର ଆବଶ୍ୟକତା ଥିବାବେଳେ ସମବାୟ ସମିତିକୁ କେବଳ ୟୁରିଆ ସାର ଆସିଛି। ବଜାରରେ ମଧ୍ୟ ଆବଶ୍ୟକତା ଅନୁଯାଇ ଡ଼ିଏପି ୧୮-୪୬ ସାର ମିଳୁନି। ବଜାର ଦର ୧୩୫୦ ଟଙ୍କା ଥିବାବେଳେ କେଉଁଠି ୨ ହଜାର ତ ଆଉ କେଉଁଠି ୨୨ଶହ ଦରରେ ବିକ୍ରୀ ହେଉଛି। ଚାଷୀମାନେ ସାର ପାଉ ନଥିବାରୁ ଚାଷ କାମ ଆଗେଇ ନେଇ ପାରୁ ନାହାନ୍ତି। ଯେଉଁ ୟୁରିଆ ସାର ଆସିଛି ତାହାବି ବଣ୍ଟା ହେଉନି। ଚାଷୀଙ୍କ ପାଇଁ ଗୋଟିଏ ଲେଖାଏଁ ପକେଟ ଆସିଥିବାରୁ ତାହା ସମସ୍ୟା ସୃଷ୍ଟି କରିଛି। ଏହାକୁ ନେଇ ମିନହରୀ ସେନାପତି, ମନୋଜ ସେନାପତି, କାମ ସେନାପତି, ରଞ୍ଜନ ପଣ୍ଡା, ମହେଶ୍ୱର ସୁତାର, ହରିହର ପାତ୍ର, ଭଗବାନ ବେହେରା, ନବଘନ ଜେନା କଳାକର ଜେନାଙ୍କ ସମେତ ଅନେକ ଚାଷୀ ସମବାୟ ସମିତି ସମୁଖରେ ପ୍ରତିବାଦ କରି ତୁରନ୍ତ ସାର ଯୋଗାଇ ଦେବାକୁ ଦାବି କରିଥିଲେ। ସାରର ଅଭାବୀ ବିକ୍ରୀ ଖବର ପାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ବ୍ଲକ ସହକୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତଙ୍କୁ ସାଙ୍ଗରେ ନେଇ ବଡରମ୍ପାସ ସମବାୟ ସମିତିରେ ପହଞ୍ଚି ସମିତିର ସମ୍ପାଦକଙ୍କ ଗଛିତ ସାର ସମ୍ପର୍କରେ ଆଲୋଚନା କରିଥିଲେ। ସରକାର ସମିତି ମାଧ୍ୟମରେ ଡ଼ିଏପି, ଗ୍ରୋମର ଭଳି ସାର ଦେଉନଥିବାରୁ ଏପରି ସମସ୍ୟା ହେଉଛି ବୋଲି ଦର୍ଶାଇ ଥିଲେ। ପରେ ବିଧାୟକ ଶ୍ରୀ ସେଠୀ ବଡରମ୍ପାସର ସ୍ୱାଇଁ ଟ୍ରେଡ଼ର ପରିଦର୍ଶନ କରି ଡିଲର ସନ୍ତୋଷ ସ୍ୱାଇଁଙ୍କ ଆଲୋଚନା କରିବା ପରେ  ଛେନାପଦିଛକ ସ୍ଥିତ ଜୟଲକ୍ଷ୍ମୀ ଭେରାଇଟ ଷ୍ଟୋର ସାର ବିକ୍ରୟ କେନ୍ଦ୍ର ପରିଦର୍ଶନ କରି  ଡିଲର ନାରାୟଣ ଘଡେଇଙ୍କୁ ପଚରା ଉଚୁରା କରି ଗଛିତ ସାରର ସ୍ଥିତି ଅନୁଧ୍ୟାନ କରିଥିଲେ । ସାରର ଅଭାବୀ ବିକ୍ରୀର କାରଣ ସମ୍ପର୍କରେ ଡିଲର ମାନଙ୍କ ଠାରୁ ଅବଗତ ହୋଇଥିଲେ। ବିଶେଷ କରି କେତେକ ସାରର ମୂଲ୍ୟବୃଦ୍ଧି ଘଟିଥିବା ବେଳେ ଟେଗିଙ୍ଗ ସାର ଯୋଗୁଁ ଅତ୍ୟାବଶ୍ୟକୀୟ ସାର ଉଚ୍ଚା ଦରରେ ବିକ୍ରୀ ହେଉଥିବା ଡିଲର ମାନେ ଅବଗତ କରାଇଥିଲେ। ଗୋଟିଏ ସାର ସହିତ ଅନ୍ୟ କିଛି ସାର ବାଧ୍ୟତା ମୂଳକ ଭାବେ ଦିଆ ଯାଉଥିବାରୁ ଏପରି ହେଉଛି ବୋଲି ଡିଲର ମାନେ ସୂଚନା ଦେଇଥିଲେ। ଏ ସମ୍ପର୍କରେ ବିଧାୟକ ଶ୍ରୀ ସେଠୀ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଅବଗତ କରାଇବା ସହିତ ଟେଗିଙ୍ଗ ସିଷ୍ଟମକୁ ଉଠାଇବା ଲାଗି ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲେ। ଏ ସମ୍ପର୍କରେ ସେ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ସହିତ ବିଧାନସଭାରେ ସମସ୍ୟା ସମ୍ପର୍କରେ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ