ଏସଡିପିଓ, ଆଇଆଇସିଙ୍କୁ କରୋନା
ଗଞ୍ଜାମ: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ତେବେ ଏହା ଭିତରେ ୨ ଜଣ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ଏସଡିପିଓ ଓ ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗଞ୍ଜାମ ଏସପି ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏଥିସହ ଟ୍ୱିଟ ଜରିଆରେ ଏସପି ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
ଉଭୟ ଏସଡିପିଓ ଓ ଆଇଆଇସିଙ୍କୁ ହୋମ କ୍ୱାରେଣ୍ଟାଇନରେ ରକାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ଉପରେ ନଜର ରଖାଯାଇଛି । ସେମାନଙ୍କ ଠାରେ ଲକ୍ଷଣ ଦେଖାଦେଲେ ସେମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯିବ ବୋଲି କୁହାଯାଇଛି ।
ସୂଚନା ଯୋଗ୍ୟ, ପ୍ରବାସୀ ଶ୍ରମିକ ଓ ସଂଗରୋଧ କେନ୍ଦ୍ର ତଦାରଖ ଦାୟିତ୍ୱରେ ଥିବାରୁ କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଉଭୟ ପୁଲିସ ଅଧିକାରୀ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ଏହା ପୂର୍ବରୁ ୨ ଜଣ ହୋମଗାର୍ଡ ସଂକ୍ରମିତ ହୋଇଥିଲେ । ସେହିପରି ଏମକେସିଜି ମେଡିକାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ କରୋନା ମୁକାବିଲାରେ ନିୟୋଜିତ ଶିକ୍ଷକ, ଅଙ୍ଗନବାଡି, ଆଶାକର୍ମୀ ମଧ୍ୟ ସଂକ୍ରମିତ ହୋଇସାରିଛନ୍ତି ।


