ଓଡ଼ିଶାରେ ଆନ୍ଧ୍ରର ଦବଙ୍ଗଗିରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଓଡ଼ିଆର ଗଜପତି ଜିଲ୍ଲା ଆନ୍ଧ୍ରର ସୀମାନ୍ତରେ ରହିଛି. ତେଣୁ ବହୁ ସମୟରେ ଆନ୍ଧ୍ର ଓଡିଶା ସୀମା ମଧ୍ୟରେ ଏବଂ କେତେକ ରାଜସ୍ୱ ଗ୍ରାମ ମଧ୍ୟରେ ପ୍ରବେଶ କରି ଜୋର ଜବରଦସ୍ତି ଆନ୍ଧ୍ରର ମାଲିକାନା ଜାହିର କରିବା ପାଇଁ ଅପଚେଷ୍ଟା ଚଳାଇ ଆସି ଓଡ଼ିଶାରେ ଆନ୍ଧ୍ର ପ୍ରଦେଶ ଜୋର ଜବରଦସ୍ତି ଦବଙ୍ଗଗିରି ଚଳାଇବାରେ ଲାଗିଛି. ଓଡ଼ିଶାର ଗୋଟିଏ ଗ୍ରାମ. ହେଲେ ଆନ୍ଧ୍ର ଯୋଗୁଁ ଏହି ଗ୍ରାମର ନାମ ତିନୋଟି ରହିଛି. ଏହି ଗ୍ରାମରେ ଆନ୍ଧ୍ର ଓଡ଼ିଶା ଦୁଇ ରାଜ୍ୟ ଜିଲ୍ଲା ଉପସ୍ଥିତ ଜାହିର କରୁଛନ୍ତି । ଏହା ଶୁଣିବାକୁ ତାଜୁବ ଲାଗୁଥିଲେ ମଧ୍ୟ ଗ୍ରାମକୁ ଯାଇ ଦେଖିଲେ ଯିଏବି ବିସ୍ମିତ ହୋଇଯିବେ । ଭୌଗଳିକ କି ଅନ୍ୟ ଦୃଷ୍ଟି କୋଣରୁ ଦେଖିଲେ ଗ୍ରାମ ମାତ୍ର ଗୋଟିଏ । ପ୍ରାୟ ପଚାଶରୁ ଉର୍ଦ୍ଧ ପରିବାର ରହୁଛନ୍ତି । ଆଉ ଗ୍ରାମକୁ କବଳିତ ବା ନିଜ ଅକ୍ତିଆରକୁ ନେଇ ସାରିଛି ଆନ୍ଧ୍ର ପ୍ରଦେଶ । ଆନ୍ଧ୍ର ପ୍ରଦେଶର ଏହି ଗ୍ରାମରେ ଦବଦବା ବେସି । ଆଉ ଏ ସବୁର କାରଣ ପ୍ରଶାସନର ଆନ୍ତରିକତା ଅଭାବ । ଯାହାକୁ ନେଇ ରାଜ୍ୟ ସରକାର ନିନ୍ଦିତ ହେଉଥିବାର ଆଲୋଚନା ହେଉଛି । ଏପରି ବିଚିତ୍ର ଗ୍ରାମ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ଗୁଡିଖୁଡି ଗ୍ରାମରେ । ଗୋଟିଏ ଗ୍ରାମ ତିନୋଟି ନାମରେ ପରିଚିତ । ଗଜପତି ତଥା ଓଡିଶା ରାଜ୍ୟ ଅନୁଯାୟୀ ଏହା ଗୁଡିଖୁଡି । ଆନ୍ଧ୍ର ପ୍ରଦେଶର ନାମକରଣ ଅନୁଯାଇ ଏହା ଗୁଡିଖୋଳା । ହେଲେ ଏଠାରେ ଓଡିଶାର ଗଂଜାମ ଜିଲ୍ଲା ମଧ୍ୟ ଅବସ୍ଥିତି ଜାହିର କରୁଛି । ଗ୍ରାମରେ ଗୋଟିଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ସବିତା ଶବରଙ୍କ ବାସ ଗୃହର କାନ୍ଥରେ ଲାଗିଥିବା ଫଳକରେ ଉଲ୍ଲେଖ ରହିଛି ଯେ, ବୁରାତାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅବଣ୍ଡିଆ ଗ୍ରାମ । ଏହା ଆର୍ଥିକ ବର୍ଷ ୨୦୨୧-୨୦୨୨ରେ ନିର୍ମିତ ହୋଇଥିବାର ଫଳକରେ ଉଲ୍ଲେଖ ରହିଛି । ସମ୍ପୂର୍ଣ୍ଣ ଗ୍ରାମର ସ୍ଥିତାବସ୍ଥାକୁ ନେଇ ଉଭୟ ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଏଥିରେ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ବୁରାତାଲ ପଞ୍ଚାୟତ ଅଧିନରେ ରହିଥିବାର ଦେଖିବାକୁ ମିଳୁଛି । ସେହିପରି ଗୁଡିଖୁଡିରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ଗୁଡିଖୁଡି ଗ୍ରାମ ବୋଲି ଏଠାରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଦେଖିଲେ ଜଣାପଡୁଛି ଯେ ଏହା ଗଜପତି ଜିଲ୍ଲାର । ଅନ୍ୟପଟେ ଗ୍ରାମରେ ବହୁ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାରେ ଘରକୁ ଦେଖିଲେ ଏହା ଆନ୍ଧ୍ରର ବୋଲି ଜଣାପଡୁଛି । ଏପରିସ୍ଥଳେ ଏହି ଗୁଡିଖୁଡି-ଗୁଡିଖୋଲା-ଅବଣ୍ଡିଆ କେଉଁ ପରିସରରେ ବା କେଉଁ ରାଜ୍ୟ ତଥା ଜିଲ୍ଲାର ବୋଲି ସାଧାରଣରେ ଆନ୍ଦୋଳିତ କରୁଛି । ଏଠାରେ ଗୋଟିଏ ସ୍ପଷ୍ଟ ଯେ, ଜିଲ୍ଲା ପ୍ରଶାସନ ତଥା ରାଜସ୍ବ ବିଭାଗର ଖାମଖିଆଲି ମନବୃତ୍ତି ଯୋଗୁଁ ଏପରି ଓଡିଶା ରାଜ୍ୟର ଏକ ଗ୍ରାମ ମୋଟାମୋଟି ଭାବେ କହିବାକୁ ଗଲେ ଆନ୍ଧ୍ରର ଅକ୍ତିଆରକୁ ଚାଲିଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଏଠାରେ ଆନ୍ଧ୍ର ବିଦ୍ୟୁତ ସେବା ଠାରୁ ଆରମ୍ଭ କରି ଆବାସିକ ଯୋଜନା, ସ୍ବାସ୍ଥ୍ୟସେବା ଆଦି ଯୋଗାଇ ଆସୁଛି । ଏପରିକି ଆଧାର କାର୍ଡ, ରାସନକାର୍ଡ, ଭୋଟର କାର୍ଡ ମଧ୍ୟ ପ୍ରଦାନ କରିଥିବାର ଜଣାପଡିଛି । ଏହି ଗ୍ରାମର ପ୍ରାୟତଃ ପରିବାର ନିକଟରେ ଉଭୟ ରାଜ୍ୟର ବିଭିନ୍ନ କାର୍ଡ ରହିଛି । ଏଥିର ସ୍ପଷ୍ଟ ହୋଇଛି ଯେ, ଉଲ୍ଲେଖିତ ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ଅଣଦେଖା ହୋଇଛି । ଯିଏ ବା ଯେଉଁ ରାଜ୍ୟ ସରକାର ତଥା ପ୍ରଶାସନ ଆସି ଏଠାକୁ ସୁବିଧା ଦେଉଛି ତାର ଲାଭ ଉଠାଉଛନ୍ତି । ତେଣୁ ଏଭଳି ଗଙ୍ଗାବାଡ ପଞ୍ଚାୟତର ଗୋଟିଏ ଗ୍ରାମ ନୁହଁ ଏପରି ଏହି ପଞ୍ଚାୟତର ଅନେକ ଗ୍ରାମାଞ୍ଚଳରେ ଏପରି ପରିସ୍ଥିତି ହିଁ ହୋଇଥିବାର ସହଜେ ଅନୁମେୟ ହୋଇପାରୁଛି । ତେଣୁ ପ୍ରଶାସନ ବା ରାଜସ୍ବ ବିଭାଗ ପୁନଃ ସର୍ଭେ ବା ଡିମାର୍କେସନ କରି ସୀମାନ୍ତ ଗ୍ରାମାଞ୍ଚଳ ଗୁଡିକୁ ଚିହ୍ନଟ କରିଲେ ଆଉ ଆନ୍ଧ୍ର ପ୍ରଦେଶ ଏପରି ଲୋଲୁପ ଦୃଷ୍ଟି ପକାଇବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏହା ସହ ସରକାରୀ ବାବୁ ମାନେ ନିୟମିତ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କଲେ ଏପରି ଅଞ୍ଚଳରେ କେହି ଅନୁପ୍ରବେଶ କରିବେ ନାହିଁ ବୋଲି ମଧ୍ୟ ମତ ପ୍ରକାଶ ପାଇଛି । ସେହିପରି ଏହି ଗଙ୍ଗାବାଡ ପଞ୍ଚାୟତର ବାରଘର ଗ୍ରାମ ଲୋକେ ନା ଏକୁଳରେ ଅଛନ୍ତି ନା ସେ କୁଳରେ । ତିତିଲି ମହାବାତ୍ୟାରେ 16 ଜଣଙ୍କ ପ୍ରାଣ ଯାଇଛି । ଜୀବିତ ଥିବା ଲୋକଙ୍କ ଉଜୁଡିଗଲା ଜୀବନ ଜୀବିକା । ପ୍ରଳଙ୍କାରି ବାଦ୍ୟାରେ ଲୋକେ ବେଘର ହେଲେ । ଗ୍ରାମରେ ଥିବା ୭୦ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୂରମାର ହେବା ସହ ଶହ ଶହ ଗୃହପାଳିତ ପଶୁଙ୍କର ପ୍ରାଣ ନଷ୍ଟ ହୋଇଥିଲା । ଏହି ଘଟଣା ଘଟିବା ପରେ ଏଠାକୁ ବିଭିନ୍ନ ନେତା ମନ୍ତ୍ରୀ ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଗସ୍ତ କରିଥିଲେ । ଏପରି ଏକ ହୃଦୟବିଦାରକ ଘଟଣା ଘଟିବା ପରେ ଏହି ବାରଘର ଗ୍ରାମ ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସେମାନଙ୍କ ମୌଳିକ ସୁବିଧା ଗୁଡିକୁ ପୁରଣ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ଗ୍ରାମ ପାହାଡ ଉପରେ ରହିଥିବାରୁ ଏଠାକାର ଲୋକଙ୍କୁ ସମତଳିଆ ଅଞ୍ଚଳରେ ସ୍ଥାପନ ପାଇଁ ରାଜ୍ୟ ସରକାର ତ୍ବରିତ ପଦକ୍ଷେପ ନେବାକୁ ଯାଇ ନୂଆବାରଘର ସ୍ଥାପନ କରିଥିଲେ । ଖୁବ୍ କମ ଦିନରେ ନୂଆବାରଘର ସ୍ଥାପନ ହେଲା । ରାଜ୍ୟ ସରକାରଙ୍କ ଆନ୍ତରିକ ଉଦ୍ୟମରେ ଗଢି ଉଠିଲା ନୂଆ ଜନବସତି ବା ନୂଆ ବାରଘର । ଆଉ ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କଲେ ସରକାର । ହେଲେ ପ୍ରଶାସନର ତତ୍ପରତା ଦେଖାଇ ନଥିବା ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ଥିବାର ପ୍ରକାଶ କରିଛନ୍ତି ଲୋକେ । ନୂଆ ରାସ୍ତା ହୋଇଛି । ହେଲେ ଗ୍ରାମଦାଣ୍ଡକୁ ସଂଯୋଗ ହୋଇନାହିଁ । ଗ୍ରାମ ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ୬୦୦ ମିଟର ରାସ୍ତାକୁ ପିଚୁ କିମ୍ବା କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଛି । ସେହିପରି ଦୁଇ ବଖରା ବିଶିଷ୍ଟ ଘର ଦିଆଯାଇଛି । ଯେଉଁଥିରେ ଶୌଚାଳର ବ୍ୟବସ୍ଥା ନାହିଁ । ଗ୍ରାମରେ ସୌରଚାଳିତ ପମ୍ପ ଓ ଟାଙ୍କି ରହିଛି । ପାଣି ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲେ ହେଁ ପାଣି ଆସୁ ନାହିଁ । ବିଦ୍ୟୁତ ବ୍ୟବସ୍ଥା ହୋଇଛି । ହେଲେ ମାସକରେ ୨୫ ଦିନ ବିଦ୍ୟୁତ ସରାବହ ବନ୍ଦ ରହୁଛି । ଯାହାକି ନଥିବା ସଙ୍ଗେ ସମାନ ବୋଲି ଗ୍ରାମବାସୀ କହିଛନ୍ତି । ଏହା ସହ ରୋଜଗାର ପାଇଁ କୌଣସି ପନ୍ଥା ନଥିବାରୁ ଆନ୍ଧ୍ରର ନିକଟସ୍ଥ ଗ୍ରାମାଞ୍ଚଳକୁ ଯାଇ ଶ୍ରମିକ ଭାବେ ଖଟି ଚଳୁଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପାଇଁ ସେହି ଆନ୍ଧ୍ର ଉପରେ ନିର୍ଭର କରୁଥିବାର ଜଣାଯାଇଛି । ଯଦି ମୌଳିକ ସୁବିଧା ଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ ନ କରାଯାଏ ତେବେ ଭୋଟ ବର୍ଜନ କରି ପଡୋଶୀ ଆନ୍ଧ୍ର ପ୍ରଦେଶରେ ମିଶିବାକୁ ମନସ୍ତ କରିଥିବାର କହିଛନ୍ତି । ଆଉ ଏନେଇ ଆନ୍ଧ୍ରର ମନ୍ତ୍ରୀ ଆପାଲ୍ଲାରାଜୁ ମଧ୍ୟ ଏହି ଅଞ୍ଚଳକୁ ବିଭିନ୍ନ ସମୟରେ ଗସ୍ତ କରି ପ୍ରତିଶ୍ରୁତି ଦେଉଥିବାର ପ୍ରକାଶ କରି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି, ଯେହେତୁ ନୂଆବାରଘର ଗଙ୍ଗାବାଡ ପଞ୍ଚାୟତର ଏକ ବଡ ଗ୍ରାମ ଅଟେ । ଭୋଟର ସଂଖ୍ୟା ୩୫୦ରୁ ଉର୍ଦ୍ଧ ରହିଛି । ତେଣୁ ଆନ୍ଧ୍ର ଏହାକୁ ସହଜରେ ଗ୍ରହଣ କରିବା ସହ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା କରିବ ବୋଲି ଦୃଢତାର ସହ କହିଛନ୍ତି ପ୍ରଦୀପ କୁମାର ଭୂୟାଁ, ସୁବାଷ ଚନ୍ଦ୍ର, ଗିରଧର ଭୂୟାଁ, ଗଜେନ୍ଦ୍ର ଶବର, ବାରିକ ଶବର, କାଳିଆ ଶବର, ଦ୍ରୈପଦି ଶବର, ଜାନକୀ ବେହେରା, ଦ୍ରୈପଦି ଭୂୟାଁ, ବିନିତା ଭୂୟାଁ ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ