ଓଡ଼ିଶା ନାଗରିକ ସମାଜର ୧୩ତମ ସ୍ୱନକ୍ଷତ୍ର ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ନାଗରିକ ସମାଜର ୧୩ତମ ସ୍ୱନକ୍ଷତ୍ର ଦିବସ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକଙ୍କ ପୌରହିତ୍ୟରେ ‘ଓଡ଼ିଶା-୨୦୩୬’ଶୀର୍ଷକ ଏକ ଆଲୋଚନାଚକ୍ରରେ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାମ୍ବାଦିକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଏକ ଖସଡ଼ା ପ୍ରସ୍ତୁତ କରିଥିଲେ । ପରିସଂଖ୍ୟନ ଅନୁଯାୟୀ ରେଳପଥ, ଆକାଶପଥ, ଜଳ, ଜଙ୍ଗଲ, ଜମି, ଖଣି, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତ୍ୟେକ କ୍ଷେତ୍ରରେ ଅନେକ ଉନ୍ନତିକରଣର ଆବଶ୍ୟକତା ରହିଛି ଓ ଏଥିରେ ନାଗରିକ ସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଇଂ ପଟ୍ଟନାୟକ ସ୍ପଷ୍ଟ ମତ ରଖିଥିଲେ ।ବିଶିଷ୍ଟ ବକ୍ତାମାନଙ୍କ ମଧ୍ୟରେ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜକିଶୋର ତ୍ରିପାଠୀ, କଂଗ୍ରେସ ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ, ବିଜେପି ନେତା ଶ୍ରୀ ଦୀପକ କୁମାର ପୁରୋହିତ ପ୍ରମୁଖ ଯୋଗ ଦେଇ ନିଜ ନିଜର ଆଭିମୁଖ୍ୟକୁ ପ୍ରକାଶ କରିଥିଲେ । ଓଡ଼ିଶା ନାଗରିକ ସମାଜର ଉପଦେଷ୍ଟା ଡଃ ଭଗବାନ ପ୍ରକାଶଙ୍କ ଦ୍ୱାରା ପ୍ରସ୍ତୁତ ଏକ ବହୁସୂତ୍ରୀ ଆଭିମୁଖ୍ୟର ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗୃହିତ କରାଯାଇଥିଲା । ସମସ୍ତଙ୍କୁ ମାଗଣା ଓ ଗୁଣାତ୍ମକ ଶିକ୍ଷା ମିଳିବା ଆମର ମୌଳିକ ଅଧିକାର ଓ ଏହାକୁ କିପରି କାର୍ଯ୍ୟକାରୀ କରାଯାଇ ପାରିବ, ସେ ନେଇ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରାଯିବା ପାଇଁ ପ୍ରସ୍ତାବ ରଖିଥିଲେ ଓଡ଼ିଶା ଅଭିଭାବକ ସଂଘର ଅଧ୍ୟକ୍ଷ ଶ୍ରୀ ବାସୁଦେବ ଭଟ୍ଟ । ଜାତିର ଉନ୍ନତି ପାଇଁ ମାତୃଭାଷାର ସୁରକ୍ଷା ଜରୁରୀ ବୋଲି ବରିଷ୍ଠ ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ମତବ୍ୟକ୍ତ କରିଥିଲେ । ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶକୁ ମାନି ଆଗେଇଲେ ଏକ ସୁନ୍ଦର ସମାଜ ପ୍ରତିଷ୍ଠା ହୋଇପାରିବ ବୋଲି ଅତ୍ୟତମ ଅତିଥି ଗୁରୁମା ଅରୁନ୍ଧତୀ ଦେବୀ ମତପକ୍ରାଶ କରିଥିଲେ ।ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀମତୀ ସୁନୀତା ବର୍ମା, ଡଃ ଲିନୁ ଚଇନି, ଗଗନ ବିହାରୀ ପଇତାଳ, ପୂର୍ଣ୍ଣଚନ୍ଦ୍ର ଦାଶ, କୈଳାଶ ଚନ୍ଦ୍ର ବେହେରା, ଅଭିମନ୍ୟୁ ଜେନା, ଅରୁନ୍ଧତୀ ଦେବୀ, କଳ୍ପନା ସାହୁ, ଶିବ ନାରାୟଣ ମିଶ୍ର ଏବଂ କୈଳାଶ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ନାଗରିକ ସମାଜର ଉପସଭାପତି ଡଃ ରୀନା ରାଉତରାୟ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ନାଗରିକ ସମାଜର ବରିଷ୍ଠ କର୍ମକର୍ତ୍ତା ବିନୋଦିନୀ ଦେବୀ, ଜ୍ୟୋତ୍ସ୍ନା ମହାନ୍ତି, ସଙ୍ଗୀତା ମାଝୀ, ମଧୁସୂଦନ ଦାସ, ପ୍ରସନ୍ନ ବିଶୋଇ, ଶେଖ ଜିଆଉଦ୍ଦିନ ପ୍ରମୁଖଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ