ଧଉଳି ସାହିତ୍ୟ ସଂସଦର ଶୀତ ଆସର ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି କୌଶଲ୍ୟାଗଙ୍ଗ ସ୍ଥିତ ସିଫା ପ୍ରେକ୍ଷାଳୟରେ ଧଉଳି ସାହିତ୍ୟ ସଂସଦର ଶୀତ ଆସର ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ପ୍ରାଣରୂପାନନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିବା ବେଳେ ଏଥିରେ ପଚାଶରୁ ଉର୍ଦ୍ଧ୍ୱ କବି କବିତା ପାଠ କରିଥିଲେ । କବିତା ସମ୍ପର୍କିତ ଆଲୋଚନା କରିଥିଲେ ଡ. ଅଜୟ ସ୍ୱାଇଁ, ଡ. ରଜନୀ ରଞ୍ଜନ, ଦିଲ୍ଲୀପ ସୁବୁଦ୍ଧି, ଦିବାକର ମାନସିଂହ, ଡ. କାଳନ୍ଦୀ ସାହୁ, ମାଧବ ବେହୁରା, ବଙ୍କିମ ଚନ୍ଦ୍ର ନାୟକ ଏବଂ ଲକ୍ଷ୍ମୀଧର ପ୍ରଧାନ । କବିତା ଗୁଡ଼ିକୁ ସଂଯୋଜନା କରିଥିଲେ ବିପିନ୍ ବେହେରା ଏବଂ ଆଶୁତୋଷ ଦାସ । ଏହି ଅବସରରେ କବି କୈଳାସ ବେହେରାଙ୍କ କବିତା ପୁସ୍ତକ ‘ଆଞ୍ଜୁଳାଏ ଜହ୍ନରାତି’ ଲୋକାର୍ପିତ ହୋଇଥିଲା । ଜୟଦେବ ସଙ୍ଗୀତର ଗାୟକ ବିଜୟରାମ ତ୍ରିପାଠୀ ଗୀତ ଗୋବିନ୍ଦ ସହ ଆଉ କିଛି ସଙ୍ଗୀତ ପରିବେଷଣ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ଅନୁଷ୍ଠାନର ସଭାପତି କବି ଅକ୍ଷୟ ସ୍ୱାଇଁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ନିରଞ୍ଜନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ସଂସଦର ପ୍ରମୁଖ ସଦସ୍ୟ ସୁମନ୍ତ କୁମାର ସୁବୁଦ୍ଧି ଓ ସବିତା ମହାପାତ୍ର ।


