ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା-ସହାୟିକା ସଂଘର ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):ବଭିନ୍ନ ଦାବିନେଇ ଶ୍ରମିକ ସଂଗଠନ ସିଆଇଟିୟୁ ଅନୁବନ୍ଧିତ ‘ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା-ସହାୟିକା ସଂଘ’ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ପାଚିକା ଓ ସହାୟିକାଙ୍କୁ ନେଇ ଏକ ଶୋଭାଯାତ୍ରା ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସଭାପତି ମୃତ୍ୟୁଞ୍ଜୟ ରାଉତ, ରାଜ୍ୟ ସାଧାରଣ ସମ୍ପାଦୀକ ଇଷାନୀ ଷଡ଼ଙ୍ଗୀ, ପୁର୍ଣ୍ଣିମା ବେହେରା, ବସନ୍ତ ପ୍ରଧାନ, ପୁତୁଲି ଦାସ, ରମାକାନ୍ତ ରଣା, କନକଲତା ଦାସ, ରେବତୀ ଦାସ, ଶ୍ୟାମାପଦ ଦାସ, ଦ୍ରୌପଦୀ ଦାସ, ମନ୍ମଥ ବେହେରା, ରାମଶଙ୍କର ଜେନା, ଶୁଶିଳା ପାଣିଗ୍ରାହୀ, ବିନୋଦିନୀ ପଣ୍ଡାଙ୍କ ସମେତ ପ୍ରମିଳା ସାହୁ, ବିଜୟ ପାତ୍ର, ରାଜକିଶୋର ଲେଙ୍କା, ଅମଲ ଦେ,ଶ୍ୟାମସୁନ୍ଦର ଜେନା ପ୍ରମୁଖ ଯୋଗଦେଇ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତକାରୀ ପାଚିକା ଓ ସହାୟିକାଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ ଭାବେ ବୃଦ୍ଧି ପାଇଥିବା ବେଳେ ଦିନକୁ ମାତ୍ର ୪୬ ଟଙ୍କା ୬୦ ପଇସା ଭତ୍ତାରେ ପାଚିକା ସହାୟିକାମାନେ କେମିତି ଚଳୁଛନ୍ତି ଏବାବଦରେ ସରକାର କେବେ ଚିନ୍ତା କରିନାହାନ୍ତି ବୋଲି ବକ୍ତାମାନେ କହିଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ନିୟମ ଅନୁସାରେ ସ୍କୁଲ ହତା ମଧ୍ୟରେ ମଧ୍ୟାହ୍ନ ଭୋଜନ ରୋଷେଇ ହେବାକଥା । ଫଳରେ ଛାତ୍ରଛାତ୍ରୀମାନେ ତଟକା ଓ ପୃଷ୍ଟିସାର ଖାଦ୍ୟ ପାଇବେ । ମାତ୍ର ରାଜ୍ୟରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ନାମକ ଏକ ଏନଜିଓକୁ ସରକାର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ୱ ଦେବା ପାଇଁ କାହା ସ୍ୱାର୍ଥରେ ନିଷ୍ପତି ନେଉଛନ୍ତି ବୋଲି ସେମାନେ ଆରୋପ କରିଛନ୍ତି । ସେହିଭଳି ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ଓ ଗୁଣାତ୍ମକ ଶିକ୍ଷାଦାନ ପ୍ରତି ଦୃଷ୍ଟି ନ ଦେଇ ସରକାର ୨୫ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ଫଳରେ ପାଚିକା ସହାୟିକାଙ୍କୁ ଛଟେଇ କରାଯାଉଛି । ଛଟେଇ ପାଚିକା ଓ ସହାୟିକାଙ୍କୁ ପୁନଃ ନିଯୁକ୍ତି ଦେବା, ବିଦ୍ୟାଳୟ ମିଶ୍ରଣ ବନ୍ଦ କରିବା, ସର୍ବନିମ୍ନ ମଜୁରି ମାସିକ ୨୮୦୦୦ ଟଙ୍କା ପ୍ରଦାନ କରିବା, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ପିଏଫ୍‌-ଇଏସ୍‌ଆଇ ଲାଗୁ କରିବା, ବର୍ଷକୁ ୨ ଖଣ୍ଡ ଶାଢ଼ି ଦେବା, କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶ ଭଳି ଅବସର ପରେ ପାଚିକାଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ଦେବା ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୮ ମାସର ବର୍ଦ୍ଧିତ ଭତ୍ତା ତୁରନ୍ତ ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଏନେଇ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।ଏହି ଅବସରରେ ସଂଘ ପକ୍ଷରୁ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ପାଚିକା ଓ ସହୟିକା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ