ଓଡିଶାର ମିନି ତିବ୍ଦତ ଗଜପତିର ଚନ୍ଦ୍ରଗିରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରଶାଦ ପଣ୍ଡା) :ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରିକୁ ଓଡିଶାର ମିନି ତିବ୍ଦତ କୁହାଯାଏ । ଓଡିଶା ସହିତ ତିବ୍ଦତୀୟ ସଂସ୍କୃତିର ମିଳନ ଘଟିଛି । ଚନ୍ଦ୍ରଗିରି ଠାରେ ତିଦ୍ଦତୀୟମାନେ ବିଗତ ୧୯୫୯ରେ ଚୀନ ଆକ୍ରମଣ ପରେ ଶରଣାର୍ଥୀ ଭାବେ ଏଠାରେ ରହି ଆସି ଛନ୍ତି । ସେହିଦିନ ଠାରୁ ଚନ୍ଦ୍ରଗିରିକୁ ହିଁ ନିଜର ନୂଆ ଠିକଣାରୂପେ ଗ୍ରହଣ କରିନେଇଛନ୍ତି । ପ୍ରାୟ ୭ହଜାରରୁ ଅଧିକ ଶରଣାର୍ଥୀ ପାଞ୍ଚ ଦଶନ୍ଧିଧରି ଏଠାରେ ବସତି ସ୍ଥାପନ କରିବା ସହିତ ଚନ୍ଦ୍ରଗିରିକୁ ଆନ୍ତର୍ଜାତିକ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ନେପାଳ, ଭୂଟାନ୍ ଓ ତିବ୍ଦତର ଅନେକ ରହିଛନ୍ତି । ଯେଉଁମାନେ ତିବ୍ଦତୀୟ ସଂସ୍କୃତି ଓ ହସ୍ତଶିଳ୍ପକୁ ଏଠାରେ ସଂପୂର୍ଣ୍ଣ ରୂପେ ବିକଶିତ କରିପାରିଛନ୍ତି । ସଂସ୍କୃତି ପ୍ରିୟ ତିବ୍ଦତବାସୀ ଓଡିଶାବାସୀଙ୍କ ସଂସ୍ପର୍ଶରେ ଆସି ଚାଷବାସକୁ ମଧ୍ୟ ଆଦରି ନେଇଛନ୍ତି । ଏଠାରେ ଏମାନେ ଉନ୍ନତ ଧରଣର ମକା ଚାଷ କରିଆସୁଛନ୍ତି । ମକାଚାଷ ଏବଂ ଉଲେନ୍ ରେ ନିର୍ମିତ ବିଭିନ୍ନ ଶୀତ ପୋଷାକ ତିଆରି କରି ଏଗୁଡିକୁ ବିକ୍ରି କରି ଏମାନେ ଜୀବନ ଜୀବିକା ନିର୍ବାହ କରିଆସୁଛନ୍ତି । ୨୦୦୩ରେ ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ଠାରେ ବିଶାଳ ବୌଦ୍ଧ ମନ୍ଦିର ଆରମ୍ଭ ହୋଇଥିଲା । ତାହାକୁ ୨୦୧୦ ଜାନୁୟାରୀରେ ଧର୍ମଗୁରୁ ମାହାମାନ୍ୟ ଦଲାଇଲାମା ଉଦ୍‌ଘାଟନ କରିଥିଲେ । ପ୍ରାୟ ୧୫ ଏକର ଜମିରେ ନିର୍ମିତ ଏହି ମନ୍ଦିର ଏସିଆର ଦ୍ୱିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର । ମନ୍ଦିରଟି ଲୋକଙ୍କ ଧର୍ମିୟ ଭାବନାକୁ ପ୍ରସ୍ଫୁଟିତ କରିବା ସହ ବୌଦ୍ଧଧର୍ମ ଦର୍ଶନକୁ ଏକ ନୂଆ ଦିଗ୍‌ଦର୍ଶନ ଦେଉଛି । ମନ୍ଦିର ପରିସରରେ ବିରାଟ ଆଶ୍ରମ ରହିଛି । ସେଠାରେ ବହୁ ବୌଦ୍ଧ ସନ୍ନ୍ୟାସୀ ରହୁଥିବା ସହ ପ୍ରାର୍ଥନା ଗୃହ, ପ୍ରାଶାସନିକକକ୍ଷ, ସମ୍ମିଳନୀ କକ୍ଷ ଓ ପାଠାଗାର ଆଦି ରହିଛି । ମନ୍ଦିରର ସବୁଠାରୁ ଆକର୍ଷଣ ହେଉଛି ବୁଦ୍ଧଙ୍କ ବିରାଟ ସ୍ୱର୍ଣ୍ଣ ଆକୃତିର ପ୍ରତିମୂର୍ତ୍ତି । ଏହାର ଦୁଇ ପାଖରେ ଅବଲୋକିତେଶ୍ୱର ଓ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି । ଏଥିସହ ଚନ୍ଦ୍ରଗିରି ଅଞ୍ଚଳରେ ବିଭିନ୍ନ ପ୍ରକାର ଫଳ ଓ ଉନ୍ନତ କିସମର କୁକୁର ବିକ୍ରି ପାଇଁ ମଧ୍ୟ ଏମାନଙ୍କ ପ୍ରସିଦ୍ଧି ରହିଛି । ଏଠାକୁ ବହୁ ସଂଖ୍ୟାରେ ଜାତୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକ ବିଶେଷକରି ବୌଦ୍ଧ ପର୍ଯ୍ୟଟକ ଆସିଥାନ୍ତି । ଏଥିସହ ଭାରତର ବିଭିନ୍ନ ଅଞ୍ଚଳରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଭାରତର ପରମ୍ପରା ସହ ତିବ୍ଦତୀୟ ସଂସ୍କୃତି ଓ ପରମ୍ପରା ସାମଞ୍ଜସ୍ୟ ରହିଛି । ଏଠାକାର ପରିବହେଶ ଅତ୍ୟନ୍ତ ସୌନ୍ଦର୍ଯ୍ୟ ପୂର୍ଣ୍ଣ । ପ୍ରାକୃତିକ ପରିବେଶ ସହ ବଣ ପାହାଡ ଘେରା ଏହି ଅଞ୍ଚଳ ଦର୍ଶକ ଓ ପର୍ଯ୍ୟଟକଙ୍କ ମନକୁ ଟାଣିନିଏ । ବର୍ଷସାରା ଏଠାରେ ପର୍ଯ୍ୟଟକ ଓ ଦର୍ଶକଙ୍କ ଭିଡ ଜମେ । ତେବେ ଶୀତ ଦିନରେ ଏଠାରେ ପର୍ଯ୍ୟଟକ ଓ ଦର୍ଶକ ସଂଖ୍ୟା ଅଧିକ ପରିମାଣରେ ଦେଖାଯାଏ । କାରଣ ଶୀତ ଦିନରେ ଏଠାକାର ଜଳବାୟୁ ଅତ୍ୟନ୍ତ ଆମୋଦ ଦାୟକ । ଏଥିସହ ତିଦ୍ଦତ ମନ୍ଦିର ନିକଟରେ ପାହାଡ ଉପରୁ ବହି ଆସୁଥିବା ଖସଡା ଝରଣାର ପ୍ରାକୃତିକ ଅଟେ । ଏହା ଦର୍ଶକ ଓ ପର୍ଯ୍ୟଟକମାନଙ୍କ ଅନ୍ୟଏକ ମୁଖ୍ୟ ଆକର୍ଷଣୀୟ ସ୍ଥଳୀ ଅଟେ । ଝରଣା ନିକଟରେ ପ୍ରତ୍ୟେକେ ବଣ ଭୋଜୀ କରି ମଜା ନିଅନ୍ତି । ବାହାରୁ ଆସିଥିବା ଦର୍ଶକ ଓ ପର୍ଯ୍ୟଟକମାନେ ଏଠାରେ ରହିବା ପାଇଁ ତିଦ୍ଦତୀୟ ମନ୍ଦିର ମଧ୍ୟରେ ଗେଷ୍ଟ ହାଉସ୍ ଏବଂ ବିଭିନ୍ନ ପ୍ରକୋଷ୍ଟର ବ୍ୟବସ୍ଥା ରହିଛି । ଏମାନେ ଖାଇବା ପାଇଁ ମନ୍ଦିର ବାହାରେ ହୋଟେଲ୍‌୍ ରହିଛି । ଗେଷ୍ଟ ହାଉସ୍ ରେ ରହିବା ବେଳେ ଅଡର ଦେଲେ ନିରାମିଷ ଭୋଜନର ବ୍ୟବସ୍ଥା ମଧ୍ୟ ରହିଛି । ଭୂବନେଶ୍ୱର ଠାରୁ ଚନ୍ଦ୍ରଗିରି ର ଦୂରତା ପ୍ରାୟ ୨୬୦ କି.ମି ଅଟେ । ଚନ୍ଦ୍ରଗିରି ଠାରେ ରହୁଥିବା ତିଦ୍ଦତୀୟ ମାନେ କହିଛନ୍ତି ଯେ,ବତ୍ତମାନ ଏହା ଆମର ଜନ୍ମ ମାଟି ଠାରୁ ଅଧିକା ଆଦରଣୀୟ ଅଟେ । ଏଠି ଆମକୁ ନିଜ ଦେଶରେ ରହିବାଭଳି ଲାଗୁଛି । ଶାନ୍ତ ଓ ଅମାୟିକ ସ୍ୱଭାବର ଏହି ଅଞ୍ଚଳର ଲୋକଙ୍କ ସହିତ ଆମ୍ଭେମାନେ ଭାଇ,ବନ୍ଧୁ ଓ ପରିବାର ଭାବେ ଅତ୍ୟନ୍ତ ଆନନ୍ଦରେ ମିଳିମିଶି ଚଳି ଆସୁଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ