ଓଡିଶାର ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଭାଗବତ ପ୍ରସାଦ ମହାନ୍ତି ସ୍ମୃତି କମିଟି ଆନୁକୁଲ୍ୟରେ ଓଡିଶାର ଯଶସ୍ୱୀ ରାଜନେତା କେନ୍ଦ୍ରାପଡା ମାଟିର ସଯୋଗ୍ୟ ସନ୍ତାନ ପୂର୍ବତନମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାରେ ଆଉ ସଂଗ୍ରାମର ସ୍ୱରଲିପୀର ସ୍ୱର ଶୁଣିବାକୁ ମିଳୁନାହିଁ । ଏ ମାଟିରେ ଜନ୍ମହୋଇ କେନ୍ଦ୍ରାପଡାକୁ ଗୈାରବାନ୍ୱୀତ କରିଥିବା ଭାଗବତବାବୁ ଥିଲେ ଏ ମାଟିର ଜଣେ ସୁଯୋଗ୍ୟ ସନ୍ତାନ । ଓଡିଶା ସରକାରଙ୍କ ମନ୍ତ୍ରୀ ଥିବା ବେଳେ ଏ ମାଟି ପାଇଁ ବହୁତ କିଛି କରିଯାଇଛନ୍ତି ସ୍ୱର୍ଗତ ମହାନ୍ତି । ସ୍ୱର୍ଗତ ମହାନ୍ତିଙ୍କ ଜୀବନର ଶେଷ ସମୟରେ ତାଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ମିଳିଥିଲା । କେନ୍ଦ୍ରାପଡାର ବିକାଶ ପାଇଁ ବହୁ ପରାମର୍ଶ ଦେଇଥିଲେ ସେ । ତାଙ୍କ ଦିଗଦର୍ଶନରେ ଏ ମାଟିର ଦୀନହୀନ,ଗରୀବ,ନଷ୍ପେଶିତ ଓ ମଳିମୁଣ୍ଡିଆ ଲୋକଟି ମୁହଁରେ ହସ ଫୁଟାଇ ପାରିଲେ ତାହାହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜନଗର ଯୁବ ବିଧାୟକ ଧ୍ରୁବ ଚରଣ ସାହୁ ମତବ୍ୟକ୍ତ କରିଛନ୍ତି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା ଯୋଗଦେଇ ରାଜନୈତିକ କ୍ଷେତ୍ରରେ ସମାଲୋଚନା ଓ ପର୍ଯ୍ୟାଲୋଚନା କରୁଥିବା ସ୍ୱର୍ଗତ ମହାନ୍ତିଙ୍କ ସଂଗ୍ରାମ ଆଜିବି ବଂଚି ରହିଛି । ସେ କୁହନ୍ତି ସଂଗ୍ରାମ ନକଲେ କିଛିବି ହେବନାହିଁ । ସେହି ସଂଗ୍ରାମକୁ ଆମକୁ ଜାରି ରଖିବାକୁ ପଡିବ ବୋଲି ଶ୍ରୀ ବେହେରା ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି ଯୋଗଦେଇ ଭାଗବତବାବୁ ଜଣେ ବ୍ୟକ୍ତି ନଥିଲେ ସେ ଏକ ଅନୁଷ୍ଠାନ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଭାଗବତବାବୁଙ୍କ ନୀତି ଓ ମୁଲ୍ୟବୋଧକୁ ନିଜ ଭିତରେ ଧରି ରଖିବାକୁ ନିବେଦନ କରିଥିଲେ ଆଦିକନ୍ଦ ରାଉଳ । ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା ଯୋଗଦେଇ କହିଥିଲେ ଯେ ସ୍ୱର୍ଗତ ମହାନ୍ତି ଥିଲେ ଜଣେ ବିକାଶ ପୁରୁଷ । କେନ୍ଦ୍ରାପଡାର ସର୍ବାଙ୍ଗୀନ ବିକାଶରେ ତାଙ୍କର ପ୍ରମୁଖ ଭୂମିକା ଥିବା ବେଳେ ତାଙ୍କରି ପ୍ରଚେଷ୍ଟାରେ ଏଠାରେ ଅନେକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗଢି ଉଠିଥିଲା ଯାହା ଆଜିବି ତାଙ୍କୁ ଆମ ନିକଟରେ ବଂଚାଇ ରଖିଛି । ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିରେ ପ୍ରତିବର୍ଷ ଚାଷୀ, ଗରୀବ ଖଟିଖିଆ ଓ ଦୀନଜନଙ୍କୁ ସହାୟତା ପ୍ରଦାନ କରାଯିବା, ତାଙ୍କ ସ୍ମୃତି ସମ୍ମାନରେ ପ୍ରତିଭାମାନଙ୍କୁ ସମ୍ମାନୀତ କରାଯିବା, ଅନାଥାଶ୍ରମରେ ଖାଦ୍ୟ ପ୍ରଦାନ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ସୁପରିଚାଳନା ପାଇଁ ସ୍ମୃତି କମିଟି ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବୀତ ଇଶ୍ୱର ଚନ୍ଦ୍ର ସାହୁ, ପ୍ରାଧ୍ୟାପକ ଅଜୟ କୁମାର ରାଉତ, ଧରଣୀଧର ସୁଆର, ଫକିର ଚରଣ ଖଟୁଆ, ପାଲାଗାୟକ ଗୋପବନ୍ଧୁ ନାଥ, ଶ୍ରମିକନେତା କୃଷ୍ଣଚନ୍ଦ୍ର ରାଉତ, ଦୟାନିଧି ଜେନା, ମହେନ୍ଦ୍ର ପରିଡା, ମୁକ୍ତାର ଖାଁ, ଅର୍ବାନ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ, କୁଳମଣୀ ନାୟକ, ବିଧୁଭୂଷଣ ମହାପାତ୍ର, ପ୍ରାକ୍ତନ ସରପଂଚ ଜ୍ଞାନରଞ୍ଜନ ମହାନ୍ତି, ଶରତ ବେହୁରା, କମ୍ୟୁନିଷ୍ଟ ନେତା ବାବାଜୀ ଧଳ, ରମଣୀରଞ୍ଜନ ରାଉତରାୟ, ସତ୍ୟ ମିଶ୍ର, ମୀନତୀ ଦାସ, ସାମ୍ବାଦିକ ପରୀକ୍ଷିତ ପାତ୍ର, ଚିତ୍ତରଞ୍ଜନ ଦାସ, ଗୋପାଳକୃଷ୍ଣ ଜେନା, ତାଙ୍କର ସୁଯୋଗ୍ୟ ସନ୍ତାନ ଗୁରୁ ପ୍ରସାଦ ମହାନ୍ତି, ଉପୀନ ରାଉତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ