ମା ପଇସା ନଦେବାରୁ ବିଷ ପିଇଲା ପୁଅ
ହାଟଡ଼ିହି, (ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଢ଼େଇଦ୍ୱାର ଗ୍ରାମରେ ଘଟିଯାଇଛି ଅଘଟଣ । ନାଚ ଶିଖିବାକୁ ମା ପଇସା ନଦେବାରୁ ପୁଅ ବିଷ ପିଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ଜଣାଯାଇଛି ନନ୍ଦିପଦା ଥାନା ଅଧିନସ୍ଥ ଅଢ଼େଇଦ୍ୱାର ଗ୍ରାମର ଗଦାଧର ଦେହୁରୀଙ୍କ ପୁଅ ସନ୍ତୋଷ ଦେହୁରୀ (୧୫) ନାଚ ଶିଖିବା ପାଇଁ ନିଜ ମାକୁ ପଇସା ମାଗିଥିଲା । ମାତ୍ର ମା ପଇସା ଦେବାକୁ ମନାକରିଦେବାରୁ ସନ୍ତୋଷ ଘରେ ଚାଷ ପାଇଁ ରଖାଯାଇଥିବା କୀଟନାଶକ ପିଇ ଦେଇଥିଲା । ପରିବାର ଲୋକେ ଏହା ଜାଣିବାପରେ ତାକୁ ପ୍ରଥମେ ଶାଳଣିଆଁ ଓ ସେଠାରୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖନୋକୁ ଚିକିତ୍ସା ପାଇଁ ନେଇ ଆସିଥିଲେ । ଆନନ୍ଦପୁର ଡାକ୍ତରଖାନାର ଡାକ୍ତର ତାଙ୍କୁ ତୁରନ୍ତ କଟକ ନେବାପାଇଁ ପରାମର୍ଶ ଦେବାପରେ ମା ତାରିଣୀ ସମାଜସେବୀ ଗ୍ରୁପର ଚନ୍ଦନ ନାୟକ ଓ ରୁପନ ସାଙ୍କ ସହଯୋଗରେ ତାଙ୍କୁ କଟକ ପଠାଯାଇଛି ।


